ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ପତାକାକୁ ଅସମ୍ମାନ ଘଟଣା । ଅଧିକ୍ଷକଙ୍କ ବିରୋଧରେ ଜରଡ଼ା ଥାନାରେ ଏତଲା ଦେଲା ଟିମ୍ ଆନ୍ନା ।

0
340

ବ୍ରହ୍ମପୁର, ୨୬/୦୯/୨୦୨୧: ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଧୀନ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପରିତ୍ୟକ୍ତ ଜଙ୍କ ରୁମରେ ଜାତୀୟ ପତାକାକୁ ଅସମ୍ମାନ ତଥା ଭାରତୀୟ ସାର୍ବଭୌମତ୍ୱକୁ ଅପମାନିତ କଲାଭଳି ଅଶୌଜନ୍ୟ ବ୍ୟବହାର ନେଇ ବିଭିନ୍ନ ମୁଦ୍ରିତ ଏବଂ ବୈଦୁତିକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାର ପରେ ଅଞ୍ଚଳ ବୁଦ୍ଧିଜୀବିମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖି ବିଭାଗୀୟ ପଦକ୍ଷେପ ନେଇ ଆଶାବାଦୀ ରହିଥିଲେ । ପରନ୍ତୁ ଏହି ଘଟଣାକୁ ସପ୍ତାହେ ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରୁଅଛି । କିଛି ସ୍ବାଧୀନଚେତା ନାଗରିକ ଏହା ବିରୋଧରେ ଜନସ୍ବାର୍ଥ ମାମଲା ରୁଜୁ କରିବା ମସୁଧାରେ ଥିଲାବେଳେ ଆଜି ଜରଡା ଥାନାରେ ଏଥିନେଇ ଲିଖିତ ଅଭିଯୋଗ କରାଯାଇଅଛି । ଜରଡାଗଡ଼ ଠାରେ ଜନହିତକର କାର୍ଯ୍ୟକ୍ରମ ମାଧ୍ୟମରେ ଗଢି ଉଠିଥିବା ସଂଗଠନ ଟିମ୍ ଆନ୍ନା ପକ୍ଷରୁ ଜରଡ଼ା ଥାନାରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇଅଛି ।ଟିମ୍ ଆନ୍ନା ସଂଗଠନ ମୁଖ୍ୟ ଶ୍ରୀନିବାସ ରେଡ୍ଡୀଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ରୋଗୀ ସୋଷନ ଏବଂ ଉବୁଟୁବୁ ଦୁର୍ନୀତି ସାଙ୍ଗକୁ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ଭାବମୂର୍ତ୍ତିକୁ ନେଇ ତୀବ୍ର ବିରୋଧ ସହ କ୍ଷୋଭ ପ୍ରକାଶ କରାଯାଇଅଛି । ଜାତୀୟ ପତାକାକୁ ଅସମ୍ମାନ ଜନକ ପୋଛାକନା ଭାବେ ବ୍ୟବହାର ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ହେଉଥିବା ନେଇ ଆପତ୍ତି ଉଠା ଯାଇଅଛି । ଏବଂ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଉଥିବା ନେଇ ମତବ୍ୟକ୍ତ କରିଛନ୍ତି । ଟିମ୍ ଆନ୍ନା ସଂଗଠନର ସଦସ୍ୟଙ୍କ ସହ ଆଜି ଜରଡା ଥାନାରେ ଶ୍ରୀନିବାସ ରେଡ୍ଡୀ ମାମଲା ରୁଜୁ କରିଥିବା ଜଣାଯାଇଛି । ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଇଥିଲେ ମଧ୍ୟ ଖବର ସଂଗ୍ରହ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here