ବ୍ରହ୍ମପୁର, ୧୪ /୧୨ /୨୦୨୧ :
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗଞ୍ଜାମ ଜିଲ୍ଲା ଗସ୍ତରେ ଶୁଭାରମ୍ଭ କରିଥିବା ଅବସରରେ ଏହାର ସୁବଣ୍ଟନ ପ୍ରକ୍ରିୟା ଜୋରସୋରରେ ଚାଲୁ ରହିଅଛି । ପ୍ରଶାସନିକ ସ୍ତରରେ ଏହାର ବଣ୍ଟନ ନେଇ ଜରୁରୀକାଳୀନ ଭିତ୍ତିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରରେ ବଣ୍ଟନ ବ୍ୟବସ୍ଥା କରାଯାଉଥିବାରୁ ଏହାକୁ ନେଇ ହିତାଧିକାରୀ ଚଳଚଞ୍ଚଳ ଥିବା ଅନୁମାନ କରାଯାଉଅଛି । ଏହି ପରିପ୍ରେକ୍ଷୀ ରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂତନ ସଂସ୍କରଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ପାଇଁ ତତ୍ପରତା ଦେଖାଇଥିବା ଜଣାଯାଇଛି । ଏହି ବଣ୍ଟନ ପ୍ରକ୍ରିୟାର ପ୍ରଥମ ଦଫାରେ ପାଟପୁର , ଆଡ଼ପଡ଼ା , ଦୟାନିଧିପୂର ଓ କଲରାପଦର ପଞ୍ଚାୟତରେ ଗତକାଲି ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମାଲିକଙ୍କ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ଦଫାରେ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଟି. ଗୋବିନ୍ଦପୁର , ପଟିଗୁଡ଼ା , ପଦ୍ମପୁର ସହ ପୋଡାମାରୀ ଗ୍ରାମ ପଞ୍ଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଅଛି । ଏହି ଅବସରରେ ପୋଡାମାରି ପଞ୍ଚାୟତ ପକ୍ଷରୁ ସରପଞ୍ଚ ଶ୍ରୀମତୀ ଭାଗ୍ୟଶ୍ରୀ ବିଷୋୟୀଙ୍କ ପୌରହିତ୍ୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗ ଦେଇଥିବା ବେଳେ ସହ ସମ୍ମାନୀତ ଅତିଥି ଭାବେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ , ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ,ବ୍ଲକ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟସରକାରଙ୍କ ସାଧାରଣ ଜନତାଙ୍କ ପ୍ରତି ଥିବା ଦାୟିତ୍ୱବୋଧକୁ ନେଇ ତର୍ଜମା କରିବା ସହିତ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ଅମିନ ପ୍ରଧାନ , ଗୀତାଞ୍ଜଳୀ ନାୟକ , ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ , ସୁବାଷ ମହାପାତ୍ର ପ୍ରମୁଖ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସହ ଅଞ୍ଚଳ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।