ପୋଲସରା, ୦୫/୦୧/୨୦୨୨: ଜାତିର ଜନକ ମହାତ୍ମା ଗାନ୍ଧୀ। ଅହିଂସା ପଥ ଅନୁସରଣ କରି ଭାରତ ମାତାଙ୍କୁ ପରାଧୀନ ରଜ୍ଜୁରୁ ମୁକ୍ତ କରିବାରେ ମହାତ୍ମା ଗାନ୍ଧୀ ବିଶ୍ୱକୁ ନୂତନ ଦିଗଦର୍ଶନ ଦେଇଛନ୍ତି। ସେଥିପାଇଁ ତ ମିଳିତ ଜାତିସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଅକ୍ଟୋବର ୦୨ ତାରିଖକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଉ ଥିବା ବେଳେ ଗ୍ରାମାଞ୍ଚଳ ଜନସାଧାରଣଙ୍କ ହୃଦୟରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ପ୍ରତିଫଳିତ ହେଉଛି। ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମାର ଜନସାଧାରଣ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପ୍ରତିଜ୍ଞା ବଦ୍ଧ ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଖଣ୍ଡୁରୁ ଗ୍ରାମରେ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଜାନୁଆରୀ ୦୪ ତାରିଖ ଦିନ ଉନ୍ମୋଚନ କରିଛନ୍ତି ପୋଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହୃଦୟରେ ସ୍ଥାନପାଇଥିବା କର୍ମବୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ। ଏହି ଅବସରରେ ଅଞ୍ଚଳର ଜନସାଧାରଣ ସେମାନଙ୍କ ଅଞ୍ଚଳର ବିଭିନ୍ନ ବିଷୟ ନେଇ ଖୋଲା ମନରେ ଆଲୋଚନା କଟିଛନ୍ତି ନିଜର ପ୍ରିୟ ବିଧାୟକଙ୍କ ସହ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଓ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ଏବଂ ସ୍ଥାନୀୟ ଲୋକପ୍ରତିନିଧି ଓ ଗ୍ରାମବାସୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା