ବ୍ରହ୍ମପୁର , ୩୧/୦୧/୨୦୨୨ : ସରକାରଙ୍କ ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ପ୍ରଶାସନର ନିର୍ବାଚନ ଆଚରଣ ବିଧି ପାଳନକୁ ନେଇ ନିରୀହ ଗଞ୍ଜାମବାସୀ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଗେହ୍ଲାପୁଅ ବନିଥିବା କିଛି ପ୍ରଶାସନିକ ଅଧିକାରୀଙ୍କ ପାଇଁ କଚେପୁଅ ବାର ଅବସ୍ଥା ଆସିଅଛି । ଦୀର୍ଘ ୨୩ ବର୍ଷ ଧରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ କ୍ରମାନ୍ୱୟରେ ସନ୍ତୁଷ୍ଟିକରଣ ରାଜନୈତିକ ଚିନ୍ତାଧାରାରେ ନିରୀହ ଜନତାଙ୍କୁ ଲୁଟୁଥିବା ଶାସକ ଦଳ ସମ୍ପ୍ରତି ଭୟଭୀତ ଥିବା ଅନୁମାନ କରାଯାଉଅଛି । ଆମ୍ମା ଭଗବାନ ଭଳି ନବୀନ ଭଗବାନଙ୍କ ବିନା କୌଣସି ନେତାଙ୍କ ସ୍ଥିତି ନଥିବା ଜାଣି ନିର୍ବାଚନ ପ୍ରକ୍ରିୟା ଆବ୍ୟବହିତରେ ଶାସକଦଳ ନବୀନ ବାବୁଙ୍କ ଫଟୋକୁ ଆୟୁଦ୍ଧ କରୁଥିବା ନଜରକୁ ଆସିଅଛି । ପଂଚାୟତ ନିର୍ବାଚନ ପରେପରେ ସହରାଞ୍ଚଳ ପରିଷଦ ନିର୍ବାଚନ ପାଇଁ ଯୋଜନା ରଖି ସରକାରଙ୍କ ଘୋଷଣା କରିଥିବାରୁ ଉଭୟ ପ୍ରକ୍ରିୟାରେ ଗଞ୍ଜାମ ଜିଲ୍ଲା ଚଳଚଞ୍ଚଳ ରହିଅଛି । ଏଣେ ଜିଲ୍ଲାର କିଛି ପ୍ରଶାସକଙ୍କ ବିଜେଡି ପ୍ରୀତି ଯୋଗୁଁ ଗଞ୍ଜାମ ରାଜନୀତିକୁ ପ୍ରତ୍ୟହ ନୂଆଁ ନୂଆଁ ହଟ ଚମଟ ଦେଖିବାକୁ ମିଳୁଥିବାରୁ ବିରୋଧୀଙ୍କ ଠାରେ ଆଲୋଚନାର ଖୋରାକି ଯୋଗାଇଛି । ପଂଚାୟତ ନିର୍ବାଚନ ଆଚରଣ ବିଧି ଲାଗୁ ପରେପରେ କୌଣସି ସରକାରୀ ଅନୁଷ୍ଠାନ କିମ୍ବା ସର୍ବସାଧାରଣ ସ୍ଥାନରେ ସରକାରୀ ଫଟୋ , ହୋର୍ଡିଂ ଆଦିରେ ରାଜନୈତିକ ଦଳ କିମ୍ବା ବ୍ୟକ୍ତିତ୍ଵଙ୍କ ଫଟୋ ରହିବା ନିୟମ ବିରୁଦ୍ଧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ପଂଚାୟତ ମୁଖ୍ୟାଳୟରେ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ଆଳରେ ନବୀନ ବାବୁ ଏବଂ ବିଜେଡି ଦଳୀୟ ଚିହ୍ନ ଥାଇ ବିରାଟ ବିରାଟ ହୋର୍ଡିଙ୍ଗ ଲାଗୁଥିବା ନେଇ ଅଭିଯୋଗ ହେଉଅଛି । ସ୍ଥାନୀୟ ଥାନା ଅଧିକାରୀ ଏବଂ ତହସିଲଦାର କିମ୍ବା ଜିଲ୍ଲା ପ୍ରଶାସନ ଏଥିକୁ ନଜର ଅନ୍ଦାଜ ନ କରି ପୋଲିସର ଫ୍ଲାଗ ମାର୍ଚ୍ଚ କୁ ଗୁରୁତ୍ଵ ଦେଇଅଛି । ଏଣେ ଦଫା ୧୦୭ ଓ ୧୧୦ ର ଦୁରୁପଯୋଗ ହେଉଥିବା ନେଇ ଅଭିଯୋଗ ହେଉଅଛି । ସେହିପରି ଶିକ୍ଷାନୁଷ୍ଠାନରେ ନବୀନ ବାବୁଙ୍କ ଫଟୋ ଥିବା ହୋର୍ଡିଂ ମାରି ସରକାର ନବୀନ ବାବୁଙ୍କୁ ମହାମାନବ ଭାବେ ପ୍ରଚାର କରୁଥିବା ନେଇ ବହୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ବ୍ରହ୍ମପୁର ଟାଉନ ଥାନା ନିକଟରେ ଥିବା ଏକ ସରକାରୀ ବାଳିକା ହାଇସ୍କୁଲର ନବୀନ ବାବୁଙ୍କ ଫଟୋ ସମ୍ବଳିତ ବିରାଟ ହୋଡିଙ୍ଗକୁ ନେଇ ଆଜି ବ୍ରହ୍ମପୁର ରାଜନୀତି ଚଳଚଞ୍ଚଳ ହୋଇଅଛି । ଲାଗିଥିବା ହୋର୍ଡିଂ କୁ ନେଇ କଂଗ୍ରେସ ପକ୍ଷରୁ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଅଭିଯୋଗ ସୋସିଆଲ ମିଡିଆରେ ଭାଇରାଲ ପରେ କର୍ତ୍ତୃପକ୍ଷ ହୋର୍ଡିଂ ଉପରେ କପଡ଼ା ଘୋଡାଇ ରଖିବା, ପରବର୍ତ୍ତୀ ଅଭିଯୋଗ ପରେ ହୋର୍ଡିଂଙ୍ଗ ଉପରୁ ପୋଷ୍ଟର ଉଠେଇବା ଘଟଣା ବ୍ରହ୍ମପୁରରେ ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଅଛି ।ସ୍ଥାନୀୟ ପ୍ରଶାସନ ବିଜେଡି ଗୋଡାଣିଆ ଭାବରେ ଆଚରଣ ସଂହିତାର ଉର୍ଦ୍ଧ୍ବ ରେ କାମ କରୁଥିବା ନେଇ ବିପକ୍ଷ ଅଭିଯୋଗ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ନିର୍ବାଚନ ପରିଚାଳନା ନ କଲେ ଜିଲ୍ଲାବାସୀ ନିର୍ଦ୍ଧିଷ୍ଟ କାର୍ଯ୍ୟପନ୍ଥା ବିଷୟରେ ଚିନ୍ତା କରୁଥିବା ଲକ୍ଷ୍ୟ କରାଯାଉଅଛି ।