୧୪ରୁ ଖୋଲିବ ସ୍କୁଲ, ୨୮ରୁ ସ୍କୁଲରେ ଆରମ୍ଭ ହେବ ଫିଜିକାଲ କ୍ଲାସ୍,

0
368

ଭୁବନେଶ୍ବର,୧୦/୦୨/୨୦୨୨ : ଆସନ୍ତା ୧୪ ରୁ ରାଜ୍ୟରେ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ବୋଲି ନିଷ୍ପତ୍ତି ହୋଇଥିବା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ମଧ୍ୟ ସ୍କୁଲ ପରିସରକୁ ସଫା କରିବା ଏବଂ ଶ୍ରେଣୀ ଗୃହକୁ ମଧ୍ୟ ସଫା କରିବା ପାଇଁ କୁହାଯାଇଥିଲା। ଯେହେତୁ ଦୁଇ ବର୍ଷ ହେଲାଣି କରୋନା ପାଇଁ ସ୍କୁଲ ଖୋଲାଯାଇନଥିଲା  ଏଣୁ ସ୍କୁଲକୁ ଭଲ ଭାବେ ସଫା କରିବା ପାଇଁ ନିର୍ଦେଶ ଦିଆଯାଇଥିଲା।
ଗତ ୭ ତାରିଖରୁ ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ ଖୋଲି ସାରିଥିବା ବେଳେ ଆସନ୍ତା ୧୪ରେ ପ୍ଲେ ସ୍କୁଲ୍ ଓ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ। ତେବେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ସ୍କୁଲ ଶିକ୍ଷକମାନେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷେ ସ୍କୁଲ ଗୁଡିକରେ ମଧ୍ୟ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିବାରୁ ସ୍କୁଲ ଖୋଲିବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଗଣଶିକ୍ଷା ବିଭାଗ । ୧୪ ତାରିଖରେ ସ୍କୁଲ୍ ଖୋଲିଲେ ବି ପିଲାମାନେ ଆସିବେ ନାହିଁ। ସେମାନେ ୨୮ରୁ ସ୍କୁଲ ଆସିବେ। ୨୭ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ହେବ। ୨୮ରୁ ଶ୍ରେଣୀ ଗୃହ ପାଠପଢ଼ାରେ ସେମାନେ ଯୋଗ ଦେବେ। ତେବେ ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଆସିବେ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ବି ସେ ଜାରି କରିଛନ୍ତି।ରାଜ୍ୟ ସରକାର ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଥିଲେ । ହେଲେ ଏନେଇ ଜିଲ୍ଲାପାଳମାନେ ଅଧିକ ସମୟ ମାଗିଥିଲେ । ଏତେ ଶୀଘ୍ର ସ୍କୁଲକୁ ସଫା ଓ ସରଞ୍ଜାମର ମରାମତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଜିଲ୍ଲାପାଳମାନେ କହିଥିଲେ । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ସ୍କୁଲ ଶିକ୍ଷକମାନେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।ତେଣୁ ଏହାକୁ ଦୃଷ୍ଟି ରଖି ଏବେ ସ୍କୁଲକୁ ୨୮ ତାରିଖରେ ପିଲାମାନେ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here