ବ୍ରହ୍ମପୁର,୧୦/୦୨/୨୦୨୨:
କନ୍ଧମାଳ-ଭିଜିଲାନ୍ସ ଜାଲରେ ପଡିଛନ୍ତି କ. ନୂଆଗାଁ ବନବିଭାଗ ରେଞ୍ଜର ବୈରାଗି ଚରଣ ବେହେରା । ଆୟ ବହିଃଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍ ଚଢାଉ କରିଛି । ସକାଳୁ ସକାଳୁ ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସର ନଅ ଜଣିଆ ଟିମ ରେଞ୍ଜରଙ୍କ ନୂଆଗାଁ କାର୍ଯ୍ୟାଳୟ ,ବାସଭବନ , ଭଞ୍ଜନଗର ଲଣ୍ଡେଇ ସାହି ସ୍ଥିତ ବାସଭବନ , ଦଦରା ଲୁଣ୍ଡା କୁକୁଡା ଫାର୍ମ , ବୌଦ୍ଧ ଜିଲ୍ଲାର ବୁଟୁବାଲି ଘର ଆଦି ପାଞ୍ଚୋଟି ସ୍ଥାନରେ ଏକକାଳୀନ ଚଢାଉ କରିଥିବା ଦେଖିବାକୁ ମିଳିଛି । ଏହି ଚଢାଉରେ ବ୍ରହ୍ମପୁର ଭିଜିଲାନ୍ସ ଡିଏସପି , ଚାରି ଇନ୍ସପେକ୍ଟରଙ୍କ ସମେତ ନଅଜଣ ଭାଗ ନେଇଥିଲେ । ଭିଜିଲାନ୍ସ ଟିମ ରେଞ୍ଜରଙ୍କ ଅଫିସ ନଥିପତ୍ର, ଗାଡିମୋଟର , ବ୍ୟାଙ୍କ ବ୍ୟାଲେନ୍ସ , ବାସଭବନର କାଗଜପତ୍ରର ତନାଘନା କରି ଯାଞ୍ଚ କରାଯାଇଥିଲା। ଘର ସନ୍ଧାନ ସମୟରେ ଏପର୍ଯ୍ୟନ୍ତ, ନିମ୍ନଲିଖିତ ସମ୍ପତ୍ତିର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ର ସଂପତ୍ତି ଠାବ କରାଯାଇଛି। ଉପରୋକ୍ତ ବାସଭବନ ସମେତ ବ୍ରହ୍ମପୁର ଅଙ୍କୁଲିରେ ଗୋଟିଏ ପ୍ଲଟ ଏବଂ ବୌଦ୍ଧ ଟାଉନରେ ଗୋଟିଏ ପ୍ଲଟ୍,ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଜମା ମୂଲ୍ୟ ୮.୫ଲକ୍ଷରୁ ଅଧିକ, ପ୍ରାୟ ୧୦ ଲକ୍ଷରୁ ଅଧିକ ମୂଲ୍ୟର ବୀମା ଜମା, ୫ ଲକ୍ଷ ୬୫ ହଜାର ମୂଲ୍ୟର ସୁନା ଓ ରୂପା ଅଳଙ୍କାର, ୫ ଲକ୍ଷରୁ ଅଧିକ ମୂଲ୍ୟର ଘରୋଇ ଉପକରଣ, ଗୋଟିଏ ଦୁଇଟି ଚକିଆ ଯାନ, ନଗଦ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ଜବତ କରାଯାଇଛି।