ଆଗାମୀ ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଗାଡ଼ି ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ପାଇଁ ନିର୍ଦ୍ଦେଶନାମା ଜାରି

0
388

ଭୁବନେଶ୍ୱର, ୧୫/୦୨/୨୦୨୨:
ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପୌର ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ନିମନ୍ତେ ଗାଡ଼ିର ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରତ୍ୟେକ ୱାର୍ଡର କାଉନସିଲର/କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇ ସର୍ବାଧୂକ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ମଧ୍ୟରେ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ି ମିଶାଇ ସର୍ବାଧିକ ଚାରୋଟି ଗାଡ଼ି ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ସେହିପରି ମହାନଗର ନିଗମ ଅଞ୍ଚଳ ମଧ୍ୟରେ ମେୟର ପଦବୀ ଲାଗି ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧୂକ ୬ଟି (ତିନିଚକିଆ ଓ ଚାରିଚକିଆ ଯାନ ସହ) ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ରାଜନୈତିକ ଦଳମାନେ ପ୍ରତ୍ୟେକ ମହାନଗର ନିଗମ ଓ ମୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନ କାର୍ଯ୍ୟରେ ଦୁଇଟି ଚାରିଚକିଆ ଗାଡ଼ି ବ୍ୟବହାର କରିପାରିବେ । ପ୍ରାର୍ଥୀମାନେ କେଉଁ ପ୍ରକାରର ଗାଡ଼ି, ଗାଡ଼ିର ପଞ୍ଜିକରଣ ନମ୍ବର ଓ ଗାଡ଼ିର ମାଲିକ ସଂପର୍କରେ ନିର୍ବାଚନ କାର୍ଯ୍ୟରେ ବ୍ୟବହାର ପୂର୍ବରୁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଲିଖ୍ ଆକାରରେ ଜଣାଇବେ ।ପୌର ନିର୍ବାଚନରେ ପ୍ରାର୍ଥୀମାନେ ଓଡ଼ିଶା ମୁନିସିପାଲିଟି ଅଧ୍ଵନିୟମ ୧୯୫୦ର ଧାରା ୧୭ (କ)ର ଉପଧାରା ଅନୁସାରେ ୫୦ ହଜାର ଜନସଂଖ୍ୟାବିଶିଷ୍ଟ ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କାଉନ୍‌ସିଲର/କର୍ପୋରେଟର ପ୍ରାର୍ଥୀମାନେ ସର୍ବାଧୂକ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧୂକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟାବିଶିଷ୍ଟ ମୁନିସିପାଲିଟି ଅଞ୍ଚଳରେ କାଉନସିଲର/କର୍ପୋରେଟର ପଦବୀ ନିମନ୍ତେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୭୫ ହଜାର ଟଙ୍କା ଓ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୩ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ସେହିପରି ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ମୁନିସିପାଲିଟି ଅଞ୍ଚଳରେ କାଉନସିଲର/କର୍ପୋରେଟର ପଦବୀ ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୧ ଲକ୍ଷ ଓ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୫ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ସେହିପରି ମହାନଗର ନିଗମର କର୍ପୋରେଟର ପଦବୀ ନିମନ୍ତେ ପ୍ରାର୍ଥୀମାନେ ସର୍ବାଧୂକ ୨ ଲକ୍ଷ ଓ ମେୟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୧୨ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here