ବ୍ରହ୍ମପୁର, ୧୭/୦୨/୨୦୨୨: ପଞ୍ଚାୟତ ନିର୍ବାଚନ ଅବ୍ୟବହିତରେ ଜିଲ୍ଲା ପ୍ରଶାସନ ପରିଚାଳନାଗତ ଦିଗକୁ ନେଇ ବ୍ୟସ୍ତ ରହୁଥିବା ବେଳେ ଦୀର୍ଘଦିନ ଧରି କ୍ଷମତାରେ ଥିବା ଶାସକଦଳ କର୍ମୀଙ୍କ ଦ୍ବାରା ପଂଚାୟତ ନିର୍ବାଚନରେ ଅସାଧୁ କାରବାରକୁ ନେଇ ସଂଶୟ ସୃଷ୍ଟି କରିଅଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ହାର ହ୍ରାସର କାରଣକୁ ନେଇ ରାଜ୍ୟ ସ୍ତରରେ ଆଲୋଚନାରେ ଥିବା ଜିଲ୍ଲାରେ ସମ୍ପ୍ରତି ଶାସକ ଦଳ କର୍ମୀଙ୍କ ଦ୍ବାରା ଘରଘର ବୁଲି ଟଙ୍କା ବଣ୍ଟା ଯାଉଥିବା ସହ ମଦ ଯୋଗାଣ ନେଇ ଭିଡିଓ ଭାଇରାଲ ହେଉଅଛି । ଆଜି ଅପରାହ୍ନରୁ ଭାଇରାଲ ଏହି ଭିଡିଓର ୧୫ ସେକେଣ୍ଡର ଦୃଶ୍ୟରେ ଏହା ଚିକିଟି ବ୍ଲକ ଲାଲମେଣ୍ଟା ପଞ୍ଚାୟତର ହୋଇଥିବା , ପୂର୍ବତନ ସରପଂଚ ଓ ସମିତି ସଭ୍ୟ ଜନୈକ ଗ୍ରାମବାସୀଙ୍କ ଘରେ ବୈଠକ କରି ଟଙ୍କା ବାଣ୍ଟୁଥିବା ଦୃଶ୍ୟ ସହ ମଦ ପାଇଁ ଅସୁବିଧା ନଥିବା ବକ୍ତବ୍ୟ ରହିଅଛି । ଉଭୟଙ୍କ ନାମ ଉଲ୍ଲେଖ ଥିବା ସତ୍ତ୍ବେ ସାଧାରଣରେ ପ୍ରଘଟ ହେଲେ ଏହାର ପ୍ରାଦୁର୍ଭାବ ନେଇ ନାମ ନିଆଯାଇନାହିଁ । ପରନ୍ତୁ ଆସନ୍ନ ନିର୍ବାଚନ ସମୟରେ ପୋଲିଂ ପାର୍ଟି ଗାଁରେ ରହିଥିବା ବେଳେ ଦଳୀୟ କ୍ଷମତା ଉପଯୋଗ କରି ଚିକିଟି ବ୍ଳକର ବିଶିଷ୍ଟ ବରିଷ୍ଠ ଦଳୀୟ ବ୍ୟକ୍ତିତ୍ଵଙ୍କ ଦ୍ଵାରା ଲାଲମେଣ୍ଟା ପଞ୍ଚାୟତର ଗ୍ରାମ ଓ ଘରଘର ବୁଲି ଟଙ୍କା ସହ ମଦ ବାଣ୍ଟିବାକୁ ନେଇ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି ହୋଇଅଛି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିଜକୁ ସୁରକ୍ଷିତ ଭାବୁନଥିବା ଚିକିଟି ବିଜେଡି ଟଙ୍କା ବାଣ୍ଟି ଭୋଟ ଗୋଟାଉଥିବା ଆଲୋଚନା ହେଉଅଛି ।