ଭଞ୍ଜବିହାରରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

0
220

ବ୍ରହ୍ମପୁର , ୧୧/୦୩/୨୦୨୨ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଆଜି ଅପରାହ୍ଣରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଏକ ଭବ୍ୟ ବାତାବରଣ ମଧ୍ୟରେ ପାଳିତ ହୋଇଯାଇଛି l ଏହି ଅବକାଶରେ ‘ଉପେନ୍ଦ୍ର ଭଞ୍ଜ କକ୍ଷ’ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗ ମୁଖ୍ୟ ପ୍ରଫେସର୍ ଡ. ପ୍ରସନ୍ନ କୁମାର ସ୍ୱାଇଁ ପୌରୋହିତ୍ୟ କରିଥିଲେ l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପସଚିବ ଡ. କୁଳମଣି ଓଝା ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସର ମହତ୍ତ୍ୱ ବିଷୟ ଉଲ୍ଲେଖ ପୂର୍ବକ ଓଡ଼ିଆ ଭାଷାର ଅଢ଼େଇ ହଜାର ବର୍ଷର ଭାଷିକ ଧାରା ଓ ପରମ୍ପରାର ବିଶେଷତା ସମ୍ପର୍କରେ ଆଲୋଚନା କରିଥିଲେ l ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନେକାନେକ ମୌଳିକ ବିଭବ ଓ ବିଶେଷତ୍ୱ ବିଷୟରେ ସୂଚନା ପ୍ରଦାନ କରି ଡ. ଓଝା ଏହାର ବିବିଧ ଉଜ୍ଜ୍ୱଳମୟ ସମ୍ଭାବିତ ଦିଗ ଓ ସମୃଦ୍ଧି ପ୍ରସଙ୍ଗରେ ଭବିଷ୍ୟତର ଭାଷା-ସାହିତ୍ୟ ସଂବାହକମାନଙ୍କୁ ସମ୍ବୋଧିତ କରିଥିଲେ l
ବିଭାଗୀୟ ପ୍ରଫେସର୍ ଡ. ସଦାନନ୍ଦ ନାୟକ ନିଜ ବକ୍ତବ୍ୟ ପ୍ରଦାନ ପୂର୍ବକ ଗବେଷକର ଧର୍ମ ଓ ଓଡ଼ିଆ ଭାଷାର ଅନେକ ନୂତନ ଦିଗ୍-ବିଦିଗ ସମ୍ପର୍କରେ ଅଧିକରୁ ଅଧିକ ମନସ୍କ ଗବେଷଣା କରିବାକୁ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l ସହକାରୀ ପ୍ରଫେସର୍ ଡ. ଦେବୀପ୍ରସାଦ ଶତପଥୀ ଓ ଅନ୍ୟତମ ସହକାରୀ ପ୍ରଫେସର୍ ଡ. ସମୀର ଭୋଇ ଏହି ଅବସରରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ନିରୂପଣ ପୂର୍ବକ ଓଡ଼ିଆ ଭାଷାରେ ଆଞ୍ଚଳିକ ଶବ୍ଦାବଳୀର ଅଧିକରୁ ଅଧିକ ପ୍ରୟୋଗ ଉପରେ ପ୍ରାଧାନ୍ୟ ଆରୋପ କରିଥିଲେ l
ପ୍ରଫେସର୍ ସ୍ୱାଇଁ ତାଙ୍କ ସଭାପତି ଅଭିଭାଷଣରେ ଓଡ଼ିଆ ଭାଷା-ସାହିତ୍ୟର ଅଧ୍ୟାପନା ଓ ଗବେଷଣା ପ୍ରତି ବିଭାଗୀୟ ଛାତ୍ରଛାତ୍ରୀମାନେ ସ୍ୱତଃ ପ୍ରବୃତ୍ତ ଭାବେ ଆଗ୍ରହାନ୍ବିତ ହେବା ସହ କଠୋର ଅଧ୍ୟବସାୟ ସାଙ୍ଗକୁ ଅଧ୍ୟୟନଶୀଳ ହେବା ଆବଶ୍ୟକ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାକ୍-ଗବେଷଣା, ସ୍ନାତକୋତ୍ତର ପ୍ରଥମ , ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ପ୍ରକଳ୍ପରେ ଗବେଷଣା କରୁଥିବା ଗବେଷକ , ଗବେଷିକାଗଣ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗର ଯୁବ ଗବେଷକ , ଗବେଷିକାଙ୍କ ମଧ୍ୟରୁ ଆର୍ଯ୍ୟରଶ୍ମି ଦଳାଇ , ସୁଶାନ୍ତ ଜେନା , ସୁମିତ୍ରା ପୃଷ୍ଟି , ରୋହିତ ବାରିକ , ରିଲୁ ପ୍ରଧାନ ଓ ଧ୍ରୁବ ସେଠୀ ପ୍ରମୁଖ ସହଯୋଗ କରିଥିଲେ l ପରିଶେଷରେ ଯୁବ ଗବେଷକ କୁନା ଜେନା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here