ମୁଖ୍ୟଶାସନ ସଚିବ ଓ ଫାଇବ୍-ଟି ସଚିବଙ୍କ ଗଞ୍ଜାମ ଗସ୍ତ : ଘଟକେଶ୍ୱର ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ

0
1387

ବ୍ରହ୍ମପୁର ,୨୮/୦୪/୨୦୨୨ : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଫାଇବ(୫)-ଟି ସଚିବ ଭି.କେ ପାଣ୍ଡିଆନ , ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ଗଞ୍ଜାମ ଗସ୍ତ କରିଛନ୍ତି । ଏହି ସ୍ବତନ୍ତ୍ର ଗସ୍ତ କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତର କୋଇଲିକୋଟ ଠାରେ ଚିକିଟି ଜଳସମ୍ପଦ ବିଭାଗ ଦ୍ୱାରା ୧୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଘଟକେଶ୍ୱର ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ୨୦୨୦ ଫେବୃଆରୀ ମସିହାରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁଭ ଦେଇଥିବା ଏହି ପ୍ରକଳ୍ପ କାର୍ଯ୍ୟ ଚଳିତ ଜୁଲାଇ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏବଂ ଜମି ଅଧିଗ୍ରହଣ ସହ ଖଜଣା ଛାଡ଼ ପ୍ରସ୍ତାବକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । ବର୍ତ୍ତମାନ ପ୍ରକଳ୍ପର ରୂପରେଖ ସହ କାର୍ଯ୍ୟକାରିତା ଉପରେ ଜଳସମ୍ପଦ ଅଧିକାରୀ ମାନେ ସଚିବଙ୍କୁ ଅବଗତ କରାଇଥିଲେ ।ଏହି ପ୍ରକଳ୍ପ କାର୍ଯ୍ୟକାରି ହେଲେ ବ୍ରହ୍ମପୁର , କୁକୁଡାଖଣ୍ଡି ଓ ରଙ୍ଗେଈଲୁଣ୍ଡା ବ୍ଲକର ୭୫ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇବ ଏବଂ ୬୦୦ ହେକ୍ଟର ଚାଷ ଜମିକୁ ପାଣି ମିଳିପାରିବ ।ମୁଖ୍ୟ ଶାସନ ସଚିବ ଓ ଫାଇବ୍(୫)ଟି ସଚିବ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ଡେମ୍ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କଂକ୍ରିଟରେ ପ୍ରସ୍ତୁତ ହେଉଥିବା ଦେଖିଥିଲେ । ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରହିଛି ।ଫାଇବ(୫)-ଟି ଦ୍ୱାରା ରୂପାନ୍ତରିତ ହୋଇଥିବା ପୁରୁଣାପାଟଣା ଉଚ୍ଚବିଦ୍ୟାଳୟକୁ ମଧ୍ୟ ସଚିବ ଗଣ ବୁଲିଦେଖିଥିଲେ । ପିଲାମାନଙ୍କୁ କେଉଁପରି ସ୍କ୍ରିନ୍ ମାଧ୍ୟମରେ ପାଠ ପଢାଯାଉଛି ପିଲାମାନେ କିପରି ଶିକ୍ଷାଲାଭ କରୁଛନ୍ତି ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ମାନେ ଅନୁପସ୍ଥିତ ଥିଲେ, ଅନ୍ୟପକ୍ଷେ ଛାତ୍ରଛାତ୍ରୀ ମାନଙ୍କ ସହ କଥା ହୋଇନପାରିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତି ଭାଷନ୍, ଜଳସମ୍ପଦ ବିଭାଗର ବିଜୟ ଚନ୍ଦ୍ର ମିଶ୍ର, ଅସୀମ କୁମାର ମହାପାତ୍ର, ଚିକିଟି ଜଳସମ୍ପଦ ବିଭାଗର ସିନିୟର ଇଞ୍ଜିନିୟର ସଂଜୀବ ଦାସ ଶର୍ମା,ବ୍ରହ୍ମପୁର ଏସ୍ ପି ପିନାକ୍ ମିଶ୍ର, କୁକୁଡାଖଣ୍ଡି ବିଡ଼ିଓ ତନ୍ମୟ ଜେନା, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା, ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ବ୍ଲକ ଅଧକ୍ଷ ଓ ଉପାଧ୍ୟକ୍ଷା ପ୍ରମୁଖ ନିଜ ସମର୍ଥକଙ୍କ ସହ ମୁଖ୍ୟଶାସନ ସଚିବଙ୍କୁ ଫୁଲତୋଡ଼ା ଦେବାକୁ ଅପେକ୍ଷା କରିଥିଲେ ମଧ୍ୟ ପ୍ରଶାସନ ତରଫରୁ ସରକାରୀ କାର୍ଯ୍ୟକ୍ରମ କହି ସ୍ଵାଗତ ସମ୍ବର୍ଦ୍ଧନାର ସୁଯୋଗ ଦିଆଯାଇନଥିଲା ।

LEAVE A REPLY

Please enter your comment!
Please enter your name here