ବ୍ରହ୍ମପୁର , ୦୪/୦୫/୨୦୨୨: ଗଞ୍ଜାମ ଜିଲ୍ଲାରେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟଗୁଡିକୁ ତୁରନ୍ତ ଖୋଲିବା ଦାବିରେ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ଘଟଣାକୁ ଏଆଇଡିଏସଓ, ଏଆଇଡିୱାଇଓ, ଏଆଇଏମଏସଏସ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହିତ ଗିରଫ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ , ରାଜ୍ୟରେ ବନ୍ଦ ହୋଇଥିବା ୧୪ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ପୁନଃ ଖୋଲିବା ଦାବିରେ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦିନଧରି ଛାତ୍ରଛାତ୍ରୀ, ଅଭିଭାବକମାନେ ଆନ୍ଦୋଳନ ଚଳାଇ ରଖିଛନ୍ତି । ମାତ୍ର ସରକାର ବିଭିନ୍ନ ସମୟରେ କେବଳ ପ୍ରତିଶୃତି ଦେଇ ତାହା ପାଳନ କରିନାହାଁନ୍ତି ।ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଆଜି ହଜାର ହଜାର ଛାତ୍ରଛାତ୍ରୀ, ମହିଳା, ଅଭିଭାବକମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ରଖିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଆଲୋଚନା କରାନଯାଇ ଓଲଟା ଆକ୍ରୋଶମୂଳକ ଭାବେ ଆନ୍ଦୋଳନ ସ୍ଥଳରୁ ଏଆଇଡିଏସଓର ରାଜ୍ୟ ଉପସଭାପତି ସୋମନାଥ ବେହେରା, ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସୁରକ୍ଷା କମିଟି ନେତା ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରି ଥାନାରେ ଅଟକ ରଖିଛି । ଏହି ଅନ୍ୟାୟ ଓ ଅଗଣତାନ୍ତ୍ରିକ ଗିରଫଦାରୀକୁ ନିନ୍ଦା କରିବା ସହ ସେମାନଙ୍କୁ ତୁରନ୍ତ ଖଲାସ କରିବା ଏବଂ ବନ୍ଦ ବିଦ୍ୟାଳୟଗୁଡିକୁ ପୁନଃ ଖୋଲିବାକୁ ଏଆଇଡିଏସଓ ରାଜ୍ୟ ସଭାପତି ଗଣେଷ ତ୍ରିପାଠୀ, ସଂପାଦକ ସୁବାସ ନାୟକ, ଏଆଇଏମଏସଏସ ରାଜ୍ୟ ସଭାନେତ୍ରୀ ବୀଣାପାଣି ଦାସ, ସଂପାଦିକା ସ୍ୱଂୟପ୍ରଭା ନାୟକ, ଏଆଇଡିୱାଇଓ ରାଜ୍ୟ ସଭାପତି ମାନସ ପାଳ, ସଂପାଦକ କେଦାରନାଥ ସାହୁ ଦୃଢ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ରାଜ୍ୟ ବ୍ୟାପୀ ଦୁର୍ବାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।ଶେଷ ଖବର ସୁଦ୍ଧା ଜିଲ୍ଲା ପ୍ରଶାସନ ଛାତ୍ରନେତା ସୋମନାଥ ବେହେରା ଏବଂ ନାରାୟଣ ସାହୁଙ୍କୁ ପୋଲିସ ବ୍ୟକ୍ତିଗତ ମୁଚାଲିକାରେ ଛାଡିଥିବା ସୂଚନା ମିଳିଅଛି ।
Home ବ୍ରହ୍ମପୁର ସ୍ପେଶାଳ ଆନ୍ଦୋଳନକାରୀ ଛାତ୍ରନେତାଙ୍କୁ ଆଲୋଚନା ଆଳରେ ଡାକି ଗିରଫ ପରେ ବ୍ୟକ୍ତିଗତ ମୁଚାଲିକାରେ ଖଲାସ, ଅନ୍ୟାୟ ଗିରଫଦାରୀକୁ...