ପାତ୍ରପୁର ତହସିଲଦାରଙ୍କ ଆକ୍ରମଣକାରୀଙ୍କୁ ଗିରଫ ନ କରାଯିବା ବିରୁଦ୍ଧରେ ତହସିଲ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ

0
285

ପାତ୍ରପୁର , ୧୦/୦୮/୨୦୨୨ : ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ଅନ୍ତର୍ଗତ ବୁଡିଘାଟି ଅଞ୍ଚଳରେ ଗତ ୦୫/୦୮/୨୨ ତାରିଖ ଦିନ ଅବକାରୀ ଚଢାଉରେ ମାଜିଷ୍ଟ୍ରେଟ ଦାୟିତ୍ବରେ କାର୍ଯ୍ୟରତ ତହସିଲଦାର ଅମିତ୍ କୁମାର ନାୟକଙ୍କ ଉପରେ କିଛି ଅସାମାଜିକ ବ୍ୟକ୍ତିବିଶେଷ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ସହ ଘଟଣାସ୍ଥଳରୁ ତହସିଲଦାରଙ୍କୁ ଉଦ୍ଧାର କରାଯାଇ ସୁରଙ୍ଗୀ ସରକାରୀ ଡ଼ାକ୍ତରଖାନାରେ ଆକସ୍ମିକ ଚିକିତ୍ସା ପରେ ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତି କରାଯାଇଥିଲା । ସଂପ୍ରତି ତହସିଲଦାର ଶ୍ରୀ ନାୟକ ଚିକିତ୍ସାଧିନ ଅବସ୍ଥାରେ ଥିବା ସୂଚନା ରହିଅଛି । ପରନ୍ତୁ ତହସିଲଦାରଙ୍କ ପ୍ରତି ଘଟିଥିବା ଏହି ଅମାନୁଷିକ କାଣ୍ଡ ପରେ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ ଥିବା ଉକ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯାଇନାହିଁ । ଏହି ପରିପ୍ରେକ୍ଷୀରେ ଆଜି ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କ ପକ୍ଷରୁ ଅଭିଯୁକ୍ତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବା ଦାବୀ ନେଇ ସମୂହ କଲମଛାଡ ଆନ୍ଦୋଳନ କରିଛନ୍ତି । ଏହା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଅନଶନରେ ବସିଛନ୍ତି । ପାତ୍ରପୁର ବ୍ଳକ ଅଞ୍ଚଳରେ ସମ୍ପ୍ରତି ଅବିଚାରିତ ଭାବେ କିଛି ଖଳ ପ୍ରକୃତିର ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦ୍ଵାରା ନିରୀହ ଅଞ୍ଚଳବାସୀଙ୍କୁ ପ୍ରତାରିତ କରାଯାଇ ପ୍ରଶାସନିକ ଅଧିକାରୀ ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ ଅମାନୁଷିକ କାର୍ଯ୍ୟଧାରା ପ୍ରତି ଆକର୍ଷିତ କରୁଥିବା ନେଇ ହେଉଥିବା ଆଲୋଚନାକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି । ଏହିଭଳି ଘଟଣା ପାତ୍ରପୁର ଅଞ୍ଚଳର ସାମାଜିକ ଭାବଧାରା ଏବଂ ପ୍ରଶାସନିକ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠାତାକୁ ପ୍ରଭାବିତ କରିଥିବାରୁ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଅତଏବ ଆକ୍ରମଣକାରୀ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଗିରଫ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନେଇ ପାତ୍ରପୁର ତହସିଲ କର୍ମଚାରୀଙ୍କ ପକ୍ଷରୁ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରସ୍ତୁତି ସହ ଏଥିରେ ଆସନ୍ତା ୨୪ ଘଣ୍ଟାର ମହଲତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here