କରୁଣା ଶାନ୍ତି ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ। ମାନବୀୟ ସଦ୍-ଗୁଣାବଳୀର ବିକାଶ ମାଧ୍ୟମରେ ବିଶ୍ୱଶାନ୍ତି ସମ୍ଭବ : ଡ. ଓଝା

0
354

ବ୍ରହ୍ମପୁର, ୨୧/୦୯/୨୦୨୨: ଶାନ୍ତି ମଣିଷର ଅଭ୍ୟନ୍ତର ଅନ୍ତର୍ଗତ ଏକ ସ୍ବର୍ଗୀୟ ଅନୁଭବ l ଚିତ୍ତବୃତ୍ତିକୁ ସକାରାତ୍ମକ ଦିଗରେ ପରିଚାଳିତ କରିବା ସଂଗେ ସଂଗେ ନିଜ ଭିତରେ ମାନବୀୟ ସଦ୍-ଗୁଣାବଳୀର ବିକାଶ ଦିଗରେ କାର୍ଯ୍ୟ କଲେ ବିଶ୍ୱଶାନ୍ତି ଆପଣା ଛାଏଁ ପ୍ରତିଷ୍ଠିତ ହୋଇପାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପସଚିବ ଡ. କୁଳମଣି ଓଝା ମତବ୍ୟକ୍ତ କରିଛନ୍ତି lବ୍ରହ୍ମପୁର ମହାନଗରାଞ୍ଚଳ ଉପକଣ୍ଠ ଗୋବିନ୍ଦନଗର ସ୍ଥିତ କରୁଣା ଶାନ୍ତି ଆବାସିକ ସ୍ନାତକ ମହାବିଦ୍ୟାଳୟ ଓ କରୁଣା ଶାନ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ସହଯୋଗରେ ଆଜି ଅପରାହ୍ଣରେ ଆୟୋଜିତ ‘ଆନ୍ତର୍ଜାତିକ ଶାନ୍ତି ଦିବସ’ କାର୍ଯ୍ୟକ୍ରମ ଉଦ୍ଘାଟନ କରି ଡ. ଓଝା କହିଲେ, ଆଜିର ସ୍ଥିତିରେ ପୃଥିବୀର ସବୁ ମଣିଷଙ୍କର ଗୋଟିଏ ପରିଚୟ ହୋଇଯାଇଛି l ଆମେ ସମସ୍ତେ ଜଣେ ଜଣେ ବିଶ୍ୱ ମଣିଷ l ଫଳତଃ ଆମ ସଭିଙ୍କ ଚିନ୍ତାଧାରାରେ ସାମ୍ୟ, ସଂହତି ଓ ସହୃଦୟତା ରହିବା ଏକାନ୍ତ ଅପରିହାର୍ଯ୍ୟ l ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମଣିଷ ଚାହିଁଲେ ଅଳ୍ପ ଆୟାସରେ ଦୟା, ସ୍ନେହ, ପ୍ରେମ, କରୁଣା, ଶାନ୍ତି, ସହିଷ୍ଣୁତା, ନମ୍ରତା, ଶୃଙ୍ଖଳା, ଉଦାରତା ଓ ମାନବିକତା ଆଦି ସ୍ବର୍ଗୀୟ ଗୁଣାବଳୀର ଅଧିକାରୀ ହୋଇପାରିବ l ସେଇ ମଣିଷ ସଚେତନ ଭାବରେ ଚେଷ୍ଟା କଲେ ନିଜ ଭିତରୁ ଔଧତ୍ୟ, ଅହଂକାର, କ୍ରୋଧ, ଈର୍ଷା, ଅସୂୟା, ହିଂସା, ପରଶ୍ରୀକାତରତା, ଅସହିଷ୍ଣୁତା ଓ ଅମାନବୀୟତା ଦୂର କରିଦେଇ ପାରିବ l ତେଣୁ ବିଶ୍ୱଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ସାକାର କରିବାକୁ ହେଲେ ପ୍ରତ୍ୟେକ ମଣିଷ ନିଜ ନିଜର ଅଭ୍ୟନ୍ତରକୁ ସ୍ୱଚ୍ଛ, ସୁନିର୍ମଳ ରଖିବା ଆବଶ୍ୟକ ବୋଲି ମୁଖ୍ୟଅତିଥି ରୂପେ ଯୋଗଦେଇ ଡ. ଓଝା କହିଥିଲେ l

ଏସ୍.ଓ.ଏଲ୍.ଆଇ.ଡି.ର ସଭାପତି ଡ. ମନୋରମା ଦେବୀ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ୧୯୮୧ ସେପ୍ଟେମ୍ବର୍ ୨୧ରୁ ଜାତିସଙ୍ଘ ପକ୍ଷରୁ ଘୋଷିତ ଆନ୍ତର୍ଜାତିକ ଶାନ୍ତି ଦିବସର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସ୍ଥାନୀୟ ଟାଟା ଷ୍ଟିଲ୍ ୟୁନିଟ୍ ମୁଖ୍ୟ ରକି ମାର୍ଟିନ୍ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଥିଲେ, ପ୍ରଥମେ ପରିବାର ଭିତରେ ଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ହେବ l ପାରସ୍ପରିକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ବିଶ୍ୱ ଶାନ୍ତି ସ୍ଥାପନ ଦିଗରେ ସହାୟକ ହୋଇପାରିବ ବୋଲି ଉଲ୍ଲେଖ କରି ମୁଖ୍ୟବକ୍ତା ମାର୍ଟିନ୍ ଚଳିତ ବର୍ଷର ବିଶ୍ୱ ଶାନ୍ତି ବାର୍ତ୍ତା ‘ଜାତିବାଦର ବିଲୋପ ଦ୍ୱାରା ଶାନ୍ତି ପ୍ରତିଷ୍ଠା ସମ୍ଭବ’ ଉକ୍ତିର ବ୍ୟାଖ୍ୟା କରିଥିଲେ l
ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ରଶ୍ମିତା ମିଶ୍ର ସ୍ୱାଗତ ସମ୍ଭାଷଣ ଏବଂ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ଦେବାଶିଷ ପଟ୍ଟନାୟକ ପ୍ରାକ୍-ସୂଚନା ପ୍ରଦାନ କରିଥିଲେ l ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ l ଅଧ୍ୟାପକ ରାଜକିଶୋର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୋନାଲିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏଥିରେ ସହଯୋଗିତା କରିଥିଲେ l ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ, ଅତିଥି, ଅଧ୍ୟାପକ, ଅଧ୍ୟାପିକା ମହମବତୀ ଜଳାଇ ଶାନ୍ତି ଶପଥପାଠ କରିଥିଲେ l ଶେଷରେ ଛାତ୍ରୀଗଣ ଶାନ୍ତି ସଂଗୀତ ପରିବେଷଣ କରିଥିଲେ lପୂର୍ବାହ୍ଣରେ ଆୟୋଜିତ ଶାନ୍ତି ପଦଯାତ୍ରାକୁ ବ୍ରହ୍ମପୁର ମହାନଗର ୨୯ ନମ୍ବର୍ ୱାର୍ଡ କର୍ପୋରେଟର୍ ସଂଜିତ୍ ପାଣିଗ୍ରାହୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଶୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ଶାନ୍ତି ବାର୍ତ୍ତା ପାଠ କରିଥିଲେ l ‘ଜାତିବାଦର ବିଲୋପ ଓ ଶାନ୍ତି ପ୍ରତିଷ୍ଠାରେ ଯୁବ ସମାଜର ଭୂମିକା’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେବା ନିବୃତ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ବନମାଳୀ ପାଣିଗ୍ରାହୀ ଓ ଇଂରାଜୀ ଅଧ୍ୟାପକ ବିଶ୍ୱନାଥ ବେହେରା ବିଚାରକ ରୂପେ ଯୋଗ ଦେଇଥିଲେ l ଶେଷରେ ଅଧ୍ୟାପକ ରାଜକିଶୋର ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here