ପାତ୍ରପୁର ,୨୫/୦୯/୨୦୨୨:ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବହୁମୂଲ୍ୟର ଶାଗୁଆନ କାଠ ଚୋରା ଚାଲାଣ ବେଳେ ଜରଡା ଥାନା ପୋଲିସ ପକ୍ଷରୁ ସେମାନଙ୍କୁ କାବୁ କରାଯାଇଛି ।ଏକ ଆନ୍ଧ୍ର ରେଜିଷ୍ଟ୍ରେସନ ଟ୍ରାକ୍ଟର ସହ ଚାରି ଜଣ ଚୋରକାଠ ଚାଲାଣକାରୀଙ୍କୁ ପୋଲିସ ସାମନ୍ତିଆପଲ୍ଲି ବନ୍ୟାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।ସୂଚନା ଅନୁସାରେ ଶନିବାର ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ବାଦପୁର ଅଞ୍ଚଳରୁ ବହୁମୁଲ୍ୟ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ମହେନ୍ଦ୍ରା ଟ୍ରାକ୍ଟର ନଂ – ଏପି ୩୯ ଟିଟି ୩୫୦୩ ରେ ଜରଡା ଦେଇ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଜରଡ଼ା ପୋଲିସ ଉକ୍ତ ଟ୍ରାକ୍ଟରକୁ ଜରଡା ଆଖପାଖ ଅଞ୍ଚଳରେ କାବୁ କରିଥିଲା । ଜରଡା ପୋଲିସ ଉକ୍ତ କାଠ ବୋଝେଇ ଟ୍ରାକ୍ଟର ସହ ଚାରି ଜଣ ଅଭିଯୁକ୍ତଙ୍କୁ ସାମନ୍ତିଆପଲ୍ଲି ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ସୂଚନା ରହିଅଛି । ଅଭିଯୁକ୍ତ ଚାରି ଜଣ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ମାଦୁ ଜାନକୀ ରାଉ(୪୨), ସାଡି ଜଗନ୍ନାଥ ରେଡ୍ଡୀ (୫୮), ବାଦ୍ରି ତାରାକେଶ (୩୨), ଏବଂ ବୋଟା ମୀନା ରାଉ(୩୦) ବୋଲି ଜଣାପଡିଛି । ଏଥି ସହିତ ଦୁଇଟି ମୋଟର ସାଇକେଲରେ ଏପି ୩୦ ଏବି ୯୫୪୧ ହିରୋ ଗ୍ଳାମର ଓ ଏପି ୩୦ ଏପି ୯୮୭୯ ହିରୋ ଡିଲକ୍ସ ବାଇକ୍ ଜବତ କରିଥିବା ବେଳେ ଜବତ ହୋଇଥିବା ୨୨ ଗୋଟି କାଠଗଣ୍ଡିର ପରିମାଣ ଆନୁମାନିକ ୫୧.୧୩ ସିଏଫଟି ବୋଲି ଜଣାପଡିଛି । ଗିରଫ ଚାରି ଅଭିଯୁକ୍ତଙ୍କ ବିରୁଦ୍ଧରେ ରବିବାର ଦିନ କେସ୍ ନଂ ୧୯୧. ୨୨/୨୩ ରେ ଏକ ମାମଲା ରୁଜୁ କରିବା ସହ ବିଭାଗ ପକ୍ଷରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସମନ୍ତିଆ ପଲ୍ଲୀ ରେଞ୍ଜର ମନୋଜ କୁମାର ପାତ୍ରଙ୍କ ପକ୍ଷରୁ ସୂଚନା ରହିଅଛି । ଅନ୍ୟପକ୍ଷରେ ସାମନ୍ତିଆପଲ୍ଲି ବାନାଞ୍ଚଳ ଅଧିନରେ ଥିବା ଜରଡା ତୁମ୍ବା ଅଞ୍ଚଳରେ ଆନ୍ଧ୍ର କାଠ ମାଫିଆ ବାରମ୍ବାର ଚୋରାଚାଲାଣ ସହ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ତିନି ଦିନ ତଳେ ଆନ୍ଧ୍ର ଚୋରା ଚାଲାଣ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ କରି ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଏକ ସପ୍ତାହ ଭିତରେ ଦୁଇ ଦୁଇଟି କାଠ ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ବାରମ୍ବାର ଟ୍ରାକ୍ତର ଓ ଅଟୋରେ ଚୋରା ଚାଲାଣ କରାଯାଉଥିବା ମୂଲ୍ୟବାନ କାଠକୁ ଜବତ କରିଥିବା ଜଣାପଡିଛି। ଧରାପଡ଼ିଥିବା ସମସ୍ତ ଟ୍ରାକ୍ଟର ତିନି ଚକିଆ ଅଟୋ ଓ ମଟର ସାଇକେଲ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆନ୍ଧ୍ର ମାଫିଆ ମାନଙ୍କ ଏହା ବଡ଼ ଧରଣର ରାକେଟ ବୋଲି ଅନୁମାନ କରାଯାଉଛି । ଏହି ରାକେଟକୁ ସ୍ଥାନୀୟ କିଛି ଦଲାଲ ମଧ୍ୟସ୍ଥି ସହଯୋଗ କରୁଥିବା ସୂଚନା ମଧ୍ୟ ରହିଅଛି ।
Home ବ୍ରହ୍ମପୁର ସ୍ପେଶାଳ ସାମନ୍ତିଆପଲି ବନାଞ୍ଚଳରେ ମାତିଛନ୍ତି ଆନ୍ଧ୍ର ଚୋରା କାଠ ମାଫିଆ : ଚୋରା ଚାଲାଣ ହେଉଛି ବହୁମୁଲ୍ୟ...