ବ୍ରହ୍ମପୁର, ୨୮/୦୯/ ୨୦୨୨:
ରାଜ୍ୟର ସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିଲା ବେଳେ ବେସରକାରୀ କଲେଜ କ୍ଷେତ୍ରରେ ଶିକ୍ଷକମାନଙ୍କୁ ଉପେକ୍ଷା କରାଯାଇଛି । ଉଚ୍ଚଶିକ୍ଷା ଓ ଅର୍ଥ ବିଭାଗ ଦ୍ବାରା ବେସରକାରୀ କଲେଜ କ୍ଷେତ୍ରରେ ୭ମ ବେତନ କମିଶନ ଲାଗୁ ପାଇଁ ପ୍ରକାଶିତ ନିର୍ଦ୍ଦେଶନାମାରେ ବ୍ୟାପକ ଅସଙ୍ଗତ ଥିବାର ଅଧ୍ୟାପକ ଓ କର୍ମଚାରୀ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ରାଜ୍ୟର ସମସ୍ତ କର୍ମଚାରୀ ୭ମ ବେତନ କମିଶନ ସୁପାରିଶ ଅନୁଯାୟୀ ବର୍ଦ୍ଧିତ ଦରମା ୧.୧.୨୦୧୬ ତାରିଖରୁ ପାଉଥିଲା ବେଳେ ବେସରକାରୀ କଲେଜ କ୍ଷେତ୍ରରେ ୨୦୧୭ ଅକ୍ଟୋବର ରୁ ଲାଗୁ କରାଯାଇଛି । ଯାହାଫଳରେ ଅଧ୍ୟାପକ ଓ କର୍ମଚାରୀ ତଥା ପେନସନ୍ ଭୋଗୀମାନେ ୨୧ମାସ ବର୍ଦ୍ଧିତ ଦରମାରୁ ବଞ୍ଚିତ ହୋଇଛନ୍ତି ।ଅନ୍ୟପକ୍ଷରେ ୬ଷ୍ଠ ବେତନ କମିଶନ ଅନୁଯାୟୀ ବେସରକାରୀ କଲେଜ କ୍ଷେତ୍ରରେ ଗ୍ରାଚୁଇଟି ର ସର୍ବଳ ସୀମା ୭.୫ ଲକ୍ଷ ଟଙ୍କା ଥିଲାବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଅର୍ଥ ବିଭାଗ ୭ମ ବେତନ କମିଶନରେ ୫ ଲକ୍ଷ ଟଙ୍କାକୁ କମାଇ ଦେଇଛନ୍ତି । ଗ୍ରାଚୁଇଟି ସୀମାର ବୃଦ୍ଧି ପରିବର୍ତ୍ତେ ଏହାକୁ କମାଇବା ଅର୍ଥ ବିଭାଗର ବୈମାତୃକ ମନଭାବର ପରିଚୟ ଦିଏ । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରୁଥିବା ବ୍ଳକ୍ ଗ୍ରାଣ୍ଟ ରୁ ପୁର୍ଣ୍ଣ ଅନୁଦାନ ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କ କ୍ଷେତ୍ରରେ ଅବସରକାଳୀନ ସୁବିଧା ଓ ଚାକିରି ସର୍ତାବଳୀ ଲାଗୁ କରାଯାଇନାହିଁ । ଯାହା ଫଳରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପୁଞ୍ଜିଭୂତ ଅସନ୍ତୋଷ ଏକ ବିସ୍ଫୋରକ ପରିସ୍ଥିତିରେ ପହଞ୍ଚିଛି । ସରକାରୀ
କର୍ମଚାରୀମାନେ ପାଉଥିବା ସମସ୍ତ ଅବସରକାଳୀନ ସୁବିଧା ସମସ୍ତ ଅନୁଦାନପାଉଥିବା ଅଧ୍ୟାପକ ଓ କର୍ମଚାରୀ କ୍ଷେତ୍ରରେ ଲାଗୁ କରିବାପାଇଁ ସଂଘ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ଅର୍ଥ ବିଭାଗର ଟାଳଟୁଳ ନୀତି ଓ ବୈମାତୃକ ମନୋଭାବ ଏଥିରେ ବାଧକ ସୃଷ୍ଟି କରୁଛି । ବେସରକାରୀ କଲେଜ କ୍ଷେତ୍ରରେ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧିକରିବା, ପୂନଃବାସ ପ୍ରଚଳନ, ୟୁଜିସି ଦରମା ପ୍ରଦାନ ତଥା ବେସରକାରୀ ସାହାର୍ଯ୍ୟପ୍ରାପ୍ତ କଲେଜ ପରିବର୍ତ୍ତେ ସରକାରୀ ସାହାଯ୍ୟପ୍ରାପ୍ତ କଲେଜ ନାମକରଣ କରିବା ପାଇଁ ସଂଘଦାବୀ କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ସଂଘ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଚିତ ମହାପାତ୍ର,ଶ୍ରୀ ମଦନ ମଲାଣ, ଜିଲ୍ଲା ସଭାପତି ଶ୍ରୀ ବିପ୍ର ମହାଙ୍କୁଡ଼, ସଂପାଦକ ଶ୍ରୀ ବିଧୁଭୂଷଣ ନୟକ, ସଂଘଟନ ସଂପାଦକ ବିପିନ ମିଶ୍ର, ଶ୍ରୀ ସୁକାନ୍ତ ରଣା,ସଂଘଠନ ସମ୍ପାଦକ ଶ୍ରୀ ବସନ୍ତ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।