ବ୍ରହ୍ମପୁର,୩୦/୦୯/୨୦୨୨:
ଗୋଳନ୍ଥରା ଥାନା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟରୁ ଆର ଟି ଆଇ କର୍ମୀ ଅପହରଣ ଓ ହତ୍ୟା ଉଦ୍ୟମ ଅଭିଯୋଗ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବା ପ୍ରତିବାଦରେ ଆଜି ଏସ୍ପିଙ୍କୁ ଦାବି ପତ୍ର ପ୍ରଦାନ କରିଛି ଓଡ଼ିଶା ସୂଚନା ଅଧିକାର ମଞ୍ଚ ଗଞ୍ଜାମ ଜିଲ୍ଲା ଶାଖା। ଗତ ୧୯ ତାରିଖରେ ରଙ୍ଗେଇଲଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଏକ ଆର ଟି ଆଇ ଅପିଲ ମାମଲାରେ ସୂଚନା ଅଧିକାର କର୍ମୀ ବିଶ୍ବମ୍ବର ପାତ୍ର ଯାଇଥିବା ବେଳେ ବିଜେଡି ନେତା ବାଈରି ପାତ୍ର ଓ ଅନ୍ୟ ଦୁଇ ଜଣ ମିଶି ତାଙ୍କୁ ବ୍ଲକ ଅଫିସ ସାମନାରୁ ଅପହରଣ କରି ନେଇ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କୁ କିଛି ବିଜେଡି ନେତା ଯାଇ ମାମଲା ଆପୋଷ ସମାଧାନ କରି ରଫଦଫା କରିବା ନ୍ୟାୟରେ ମୁକୁଲାଇ ଆଣିଥିଲେ। ଏନେଇ ବିଶ୍ବମ୍ବର ଥାନାରେ ଅଭିଯୋଗ କରିଥିଲେ ହେଁ ଏଯାଏଁ ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିପାରିନାହିଁ। ବାଈରୀ ପାତ୍ର ଜଣେ ଆଜୀବନ କାରାଦଣ୍ଡ ପାଇଥିବା କଏଦୀ ଓ ହାଇକୋର୍ଟ ଅପିଲ ଜାମିନରେ ରହିଛନ୍ତି। ଏଣୁ ତାଙ୍କୁ ଗିରଫ ଓ ଅପିଲ୍ ଜାମିନ କୁ ବାତିଲ କରି ଜେଲ ପଠାଇ ବାକୁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି କର୍ମୀ ମାନେ କହିଛନ୍ତି। ସବୁ ପ୍ରମାଣ ଓ ଅଡିଓ ରେକର୍ଡ ରହିଥିଲେ ମଧ୍ୟ କାହିଁକି ପୋଲିସ ଗିରଫ କରୁନି ଓ ପୋଲିସ ଉପରେ ଚାପ ପ୍ରୟୋଗ କରାଯାଇଥିବା କର୍ମୀମାନେ କହିଛନ୍ତି।