ବୁଗୁଡା, ୩୦/୦୯/୨୦୨୨ : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳସେଚନ ଡିଭିଜନ ଅନ୍ତର୍ଗତ ବୁଗୁଡା ବାଘୁଆ ଓ ଧନେଇ ଜଳସେଚନ ଉପବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ସେପ୍ଟେମ୍ବର ୩୦ ତାରିଖ ଦିନ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ୧-ବୁଗୁଡା କାର୍ଯ୍ଯାଳୟ ଚେମ୍ବେର, ୨-ବୁଗୁଡାର ପୈତୃକ ଗୃହ, ୩-ସରକାରୀ କ୍ୱାଟର, ୪-ବୁଗୁଡ଼ାରେ ଏକ ବାସ ଗୃହ, ୫-ବୁଗୁଡା ବାଲିପିଣ୍ଡିର ସନ୍ତୋଷି ମନ୍ଦିର ସାହିରେ ତାଙ୍କ ଚାକରଙ୍କ ଗୃହ, ୬-ବ୍ରହ୍ମପୁରର ବିଜୟବିହାର କୋଠା, ୭-ବ୍ରହ୍ମପୁର ନୀଳାଦ୍ରି ବିହାର କୋଠା, ୮-ବ୍ରହ୍ମପୁର ଶକ୍ତି ନଗର ରେ ତାଙ୍କ ସମ୍ପର୍କୀୟଙ୍କ ଗୃହ, ଓ ୯-ବ୍ରହ୍ମପୁର ଲୋଚାପଡା ଗୋବିନ୍ଦ ବିହାରରେ ଜଣେ ସହଯୋଗୀଙ୍କ ଗୃହ, ମୋଟ ୯ ଟି ସ୍ଥାନରେ ୯ଟି ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ। ଚଢ଼ାଉ କାର୍ଯ୍ୟରେ ଜଣେ ଅତିରିକ୍ତ ଏସ.ପି., ୪ ଜଣ ଡି.ଏସ.ପି , ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଚଢ଼ାଉ ସମୟରେ ୧. ୩୮ ଲକ୍ଷ ନଗଦ ଟଙ୍କା, ବିଭିନ୍ନ ସଂସ୍ଥାରେ ୮୫.୩୩ ଲକ୍ଷ ଟଙ୍କା ଜମା, ବ୍ରହ୍ମପୁର ସହରର ବିଜୟ ବିହାର ୨ୟ ଗଳିରେ ଗୋଟିଏ ତିନି ମହଲା କୋଠା ଯାହାର ମୂଲ୍ୟ ୧.୩୮ କୋଟି ଟଙ୍କା, ବ୍ରହ୍ମପୁର ନୀଳାଦ୍ରି ବିହାର ୧ମ ଗଳିରେ ଗୋଟିଏ ଦୁଇ ମହଲା କୋଠା, ଦୁଇଟି ପ୍ଲଟ, ଏକ ହୁଣ୍ଡାଇ କାରର ମୂଲ୍ୟ ୯.୯୯ ଲକ୍ଷ ଟଙ୍କା, ୩ ଗୋଟି ଦୁଇ ଚକିଆ ଯାନ ୧.୬୧ ଲକ୍ଷ ଟଙ୍କା, ସୁନା ଓ ରୁପା ଅଳଙ୍କାର ମୂଲ୍ୟ ୮.୩୫ ଲକ୍ଷ ଟଙ୍କା, ଘରେ ବ୍ୟବହାର ହେଉଥିବା ଜିନିଷପତ୍ରର ମୂଲ୍ୟ ୧୧.୪୮ ଲକ୍ଷ ଟଙ୍କା ଠାବ କରାଯାଇଛି।