ବ୍ରହ୍ମପୁର,୦୧/୧୦/୨୦୨୨:ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ପୋଲିସ ପକ୍ଷରୁ ୨୦୨୧ ବର୍ଷର ୧୧ ଗୋଟି ଗଞ୍ଜେଇ ଧରପଗଡ ମାମଲାରେ ଜବତ ୧୩୨୫ କେ ଜି ଗଞ୍ଜେଇକୁ ଜିଲ୍ଲା କୋର୍ଟର ନିର୍ଦ୍ଦେଶକ୍ରମେ ଶୁକ୍ରବାର ପାଟପୁର ଥାନା ପୋଲିସ ପକ୍ଷରୁ ନଷ୍ଟ କରାଯାଇଛି । ଜିଲ୍ଲା ଡ୍ରଗ ଡିସପୋଜାଲ କମିଟି ତଥା ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପ୍ରକାରେ ଆସିକା ଏସଡିପିଓ ଉମାଶଙ୍କର ସିଂଙ୍କ ତତ୍ତ୍ଵାବଧାନରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ଗଚ୍ଛିତ ଗଞ୍ଜେଇକୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଅରଖପଦା ଗ୍ରାମରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ପୋଡ଼ି ନଷ୍ଟ କରିଛନ୍ତି । ବିଭିନ୍ନ ସମୟରେ ଚୋଲା ଗଞ୍ଜେଇ ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢାଉ କରି ଜବତ କରାଯାଇଥିବା ଗଞ୍ଜେଉକୁ ଏଭଳି ଜିଲ୍ଲା କମିଟି ଏବଂ କୋର୍ଟ ନିଷ୍ପତ୍ତି ପ୍ରକାରେ ପ୍ରାବଧାନ ସହ ନଷ୍ଟ କରାଯିବା ବିଷୟ ପୂର୍ବଦିନ ମାନଙ୍କରେ ସାଧାରଣରେ ଦେଖାଯାଇନଥିବା ବେଳେ ସମ୍ପ୍ରତି ପାଟପୁର ଥାନାର ଜବତ ଗଞ୍ଜେଇକୁ ଏଭଳି ନଷ୍ଟ କରାଯିବା ବିଷୟ ସାଧାରଣରେ ଆଲୋଚନାର ବିଷୟ ହୋଇଅଛି । ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ପ୍ରଥମ ଥର ପାଇଁ ପାଟପୁର ଥାନା ପକ୍ଷରୁ ଏହା କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସୂତ୍ରରୁ ସୂଚନା ମିଳିଛି ।