ପାଟପୁର ପଞ୍ଚାୟତରେ ଥମୁନି ଜିଆରଏସ ଝଡ଼ । ଗାନ୍ଧୀ ଜୟନ୍ତୀରେ ପଞ୍ଚାୟତ ବୈଠକ ବର୍ଜନ କଲେ ସରପଞ୍ଚଙ୍କ ସହ ୧୦ ୱାର୍ଡ ସଭ୍ୟ

0
107

ବ୍ରହ୍ମପୁର , ୦୨/୧୦/୨୦୨୨ : ସ୍ଵାଧୀନ ଭାରତରେ ଗ୍ରାମ ସ୍ୱରାଜର ସ୍ବପ୍ନ ଦେଖିଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଦୂରଦୃଷ୍ଟିକୁ ସାକାର କରାଇବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯତ୍ନଶୀଳ ଥିବା ବେଳେ ରାଜନୈତିକ ଏବଂ ପ୍ରଶାସନ କଳର ସ୍ୱେଚ୍ଛାଚାରିତାରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଦ୍ଵାରା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଗ୍ରାମପଞ୍ଚାୟତ ସ୍ତରରେ ଏକ ସ୍ବତନ୍ତ୍ର ଗ୍ରାମସଭା ଡକାଇ ପଞ୍ଚାୟତର ସର୍ବବିଧ ବିକାଶକୁ ନେଇ ମିଳିତ ନିଷ୍ପତ୍ତି ସହ ପ୍ରକଳ୍ପ ସ୍ଥିତିକରଣ , ଖର୍ଚ୍ଚ ଅଟକଳ ଧାର୍ଯ୍ୟ ସହିତ ନିର୍ବାହୀ ସଂସ୍ଥାର ପରିଚାଳନା ଗତ ଦକ୍ଷତା ନେଇ ଆଲୋଚନାର ଲିପିବଦ୍ଧ କରାଯାଉଥିବା ବେଳେ ସରକାରଙ୍କ ଏହି ବିଶେଷ ବ୍ୟବସ୍ଥା ପଞ୍ଚାୟତ ମାନଙ୍କୁ କ୍ଷମତା ସମ୍ପନ୍ନ ଏବଂ ଦିଶାଯୁକ୍ତ ସମାଜ ଗଠନର ସହାୟକ ହୋଇଥାଏ । ପରନ୍ତୁ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ବିଗତ ଦିନରେ ପାଟପୁର ପଞ୍ଚାୟତରୁ ଅନ୍ୟତ୍ର ବଦଳି କରାଯାଇଥିବା ଜନୈକା ଗ୍ରାମ ରୋଜଗାର ସେବିକାଙ୍କୁ ଚାରିମାସ ପରେ ପୁଣି ପାଟପୁର ପଞ୍ଚାୟତରେ ନିଯୁକ୍ତି ଦେଇଥିବା ବିଷୟକୁ ନେଇ ପଞ୍ଚାୟତ ସରପଞ୍ଚଙ୍କ ସହ ୧୦ ଜଣ ୱାର୍ଡ ସଭ୍ୟ/ସଭ୍ୟା ଏହାକୁ ଖୋଲା ବିରୋଧ କରି ଗାନ୍ଧୀ ଜୟନ୍ତୀ ଅବସରରେ ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ସ୍ଵତନ୍ତ୍ର ବୈଠକକୁ ବର୍ଜନ କରିଥିବା ବିଷୟ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସମନ୍ଵୟତାକୁ ନେଇ ପ୍ରଶ୍ନ ଉଠିଛି । ବିଗତ ଦିନରେ ଏହି ମହିଳା ଜିଆରଏସଙ୍କୁ କର୍ତ୍ତବ୍ୟରେ ଖିଲପି ଆଳରେ ପଞ୍ଚାୟତରେ ବହୁ ବିରୋଧର ଶିକାର ହୋଇଥିଲେ ।ମନରେଗା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ବହୁ ବେନିୟମ କାର୍ଯ୍ୟରେ ଅବହେଳା କାରଣରୁ ବ୍ଲକ ପ୍ରଶାସନ ତାଙ୍କୁ ଅନ୍ୟତ୍ର ବଦଳି କରିଥିଲେ । ସଂପ୍ରତି ତାଙ୍କୁ ପୁଣି ପାଟପୁରରେ ଅବସ୍ଥାପିତା କରାଯାଉଥିବା ଖବର ପରେ ସରପଞ୍ଚ ଶ୍ରୀମତୀ ଶ୍ରୀମତୀ ବଜାୟ ଲକ୍ଷ୍ମୀ ବରାଡ ୧୦ ଜଣ ୱାର୍ଡସଭ୍ୟ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ସାନଖେମୁଣ୍ଡି ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏହାର ଅଭିଯୋଗ କରିଥିଲେ ଏବଂ ମହିଳା ଜିଆରଏସ ସନ୍ଧ୍ୟାରାଣୀ ସେଠୀଙ୍କୁ ପାଟପୁର ପଞ୍ଚାୟତରେ ପୁନଃ ଅବସ୍ଥାପିତ ନ କରିବାକୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଜନ ପ୍ରତିନିଧିଙ୍କ ଅଭିଯୋଗର ତର୍ଜମା ସହ ପଦକ୍ଷେପ ଗ୍ରହଣ କରିବା ବଦଳରେ ସାନଖେମୁଣ୍ଡି ବିଡ଼ିଓ ଶ୍ରୀମତୀ ସେଠୀଙ୍କୁ ପଟପୁରରେ ଯୋଗଦାନ କରାଇଥିବା ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।

ବିଡ଼ିଓ ମହୋଦୟ ଜାଣିଶୁଣି ପଞ୍ଚାୟତକୁ ଅବହେଳା କରୁଥିବା ଏବଂ ଜିଆରଏସଙ୍କ ପଞ୍ଚାୟତରେ ଉପସ୍ଥିତିକୁ ବିରୋଧ କରି ଆଜି ଗାନ୍ଧୀ ଜୟନ୍ତୀରେ ସ୍ଵତନ୍ତ୍ର ବୈଠକ ବର୍ଜନ କରିଥିବା ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ଆଜିର ବୈଠକରେ ସମିତି ସଭ୍ୟ ପ୍ରତିନିଧିଙ୍କ ସହ ଦୁଇଜଣ ୱାର୍ଡ ସଭ୍ୟ ଏବଂ କିଛି ପଞ୍ଚାୟତ କର୍ମଚାରୀଙ୍କ ଗହଣରେ ଜିଆରଏସ ଏବଂ ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକ ବର୍ଜନ କରିଥିବା ସହ ଗଣ ମାଧ୍ୟମରେ ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ । ବ୍ଲକ୍ ପ୍ରଶାସନ ନିଜ ମାନମାନିରେ ପାଟପୁର ପଞ୍ଚାୟତକୁ ବଦନାମ କରିବା ପାଇଁ ମସୁଧା କରୁଥିବା ଏବଂ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିକାଶ ଧାରାକୁ କୋମାରେ ରଖିବା ନେଇ ବ୍ଲକ ପ୍ରଶାସନ ଖୋଲା ଚାଲେଞ୍ଜ କରୁଥିବା ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here