ବ୍ରହ୍ମପୁର,୧୪/୧୦/୨୦୨୨:
ସେଣ୍ଟ୍ରାଲ ଦିଲ୍ଲୀର ସମ୍ମାନ ଜନକ ଆଗା ଖାନ ହଲ୍ ରେ ଅନୁଷ୍ଠିତ ସର୍ବଭାରତୀୟ ଶିଳ୍ପକଳା ଉତ୍ସବରେ ଚଳିତ ବର୍ଷ ଓଡିଶା ଵିଶେଷ କରି ମୟୁରଭଞ୍ଜ ର ହସ୍ତଶିଳ୍ପ ସମସ୍ତ ଙ୍କ ଦ୍ଵାରା ବେଶ ଆଦୃତ ହୋଇଛି। ବିଗତ ୯୫ ବର୍ଷ ପୂର୍ବରୁ ୧୯୨୭ ମସିହାରେ ସ୍ଥାପିତ ଅଲ ଇଣ୍ଡିଆ ଓମେନ କନ୍ଫରେନ୍ସ ଦ୍ୱାରା ଏହି ଉତ୍ସବ ଗତ ବାର ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଏଥିରେ ସମଗ୍ର ଦେଶର ମହିଳା ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ,ବୟନ ଶିଳ୍ପ ଓ ଚିତ୍ରକଳା ଇତ୍ୟାଦି ଅନେକ ପ୍ରକାରର ଜିନିଷ ପତ୍ର ପ୍ରଦର୍ଶିତ ତଥା ବିକ୍ରି ବଟା ହୋଇଥାଏ।ଏହି ମେଳା ରେ ଦେଶର ଅନେକ ମୃତ ପ୍ରାୟ ହସ୍ତଶିଳ୍ପ କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ଦିଆଯାଇ ସେଗୁଡିକ କୁ ପୁନରୁଦ୍ଧାର କରିବାରେ ଅଲ ଇଣ୍ଡିଆ ଓମେନ କନ୍ଫରେନ୍ସ ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଛି।
ଚଳିତ ବର୍ଷ ଉକ୍ତ ସଂସ୍ଥା ର ବରିଷ୍ଠ ସଙ୍ଗଠିକା ଶ୍ରୀମତୀ ସ୍ୱପ୍ନା ଆଚାର୍ଯ୍ୟ ଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ଓଡିଶା କୁ ମୁଖ୍ୟ ଥିମ ଭାବେ ନିଆ ଯାଇ ଓଡ଼ିଆ ଶିଳ୍ପୀ ମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ କୁ ପ୍ରଦର୍ଶନ କରିବାର ସୁଯୋଗ ଦିଆ ଯାଇଥିଲା। ମୟୁରଭଞ୍ଜ ର ମହାରାଣୀ ଶ୍ରୀମତୀ ରଶ୍ମୀ ରାଜ୍ୟଲଷ୍ମୀ ଭଞ୍ଜଦେଓ ଙ୍କ ଆଗ୍ରହ ତଥା ଆର୍ଥିକ ସହାୟତା କ୍ରମେ ଶୁଳିଆପଦା ବ୍ଲକ ର ବଡଷୋଳ ସବାଇ ପ୍ରଡ୍ୟୁସର ଗ୍ରୁପ ସବାଇ କ୍ରାଫ୍ଟ, କୁଳିଅଣା ର ଢ଼ୋକ୍ରା କ୍ରାଫ୍ଟ, ବାରିପଦା ସହରର ପାଲବଣି ସ୍ଥିତ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଗାନିକ ଆଚାର ଓ ମୟୁରଭଞ୍ଜ ଛଉନୃତ୍ୟ ଇତ୍ୟାଦି ସେଠାରେ ପ୍ରଦର୍ଶିତ ହୋଇ ସମସ୍ତଙ୍କ ମୁଖ୍ୟ ଆକର୍ଷଣ ସାଜିଥିଲା। ଏହାବ୍ୟତୀତ ବୟନିକା,ପିପିଲି ର ଚାନ୍ଦୁଆ,କଟକ ର ତାରକସି,ରଘୁରାଜପୁର ର ତାଳପତ୍ର ପଟ୍ଟଚିତ୍ର ଆଦି ମଧ୍ୟ ଉକ୍ତ ଉତ୍ସବରେ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଶିଲା କାକଡେ ଙ୍କ ପୌରହିତ୍ୟ ରେ ବିଗତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ ଜାତୀୟ ସ୍ତରର ଉତ୍ସବକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଉଦଘାଟନ କରିଥିଲେ। ମହାରାଣୀ ରଶ୍ମୀ ରାଜ୍ୟଲଷ୍ମୀ ଭଞ୍ଜଦେଓ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଉଦଘାଟନୀ ଉତ୍ସବରେ ଅନୁଷ୍ଠାନ ର ମହାସଚିବ ଶ୍ରୀମତୀ କୁଲଜିତ କୌର ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷା ଶ୍ରୀମତୀ ରେହାନା ବେଗମ ଉତ୍ସବର ପରିଚାଳନା କରିଥିଲେ।ଏହି ଅବସରରେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଏହାର ନିର୍ଦ୍ଦେଶକ ଶ୍ରୀ ବିଭୁଦତ୍ତ ଦାସଙ୍କ ନେତୃତ୍ୱରେ ଯାଇଥିବା ବଡ଼ଜାମବଣି ଛଉ ନୃତ୍ୟ ଦଳର କେବଳ ମହିଳା ନୃତ୍ୟ ଶିଳ୍ପୀ ଙ୍କ ଦ୍ଵାରା ପ୍ରସ୍ତୁତ ୱାର ଡ୍ୟାନ୍ସ ଦିଲ୍ଲୀ ବାସୀଙ୍କୁ ଚକିତ କରିଦେଇଥିଲା।