ବ୍ରହ୍ମପୁର , ୧୯/୧୦/୨୦୨୨: ଗଞ୍ଜାମ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଆନୁକୁଲ୍ୟରେ ଗତକାଲି ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଲକ ପଳାଶପୁର ନିକଟ ଶ୍ରୀ ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଜନପ୍ରତିନିଧି ଏବଂ ପଞ୍ଚାୟତ ସ୍ତରୀୟ ଜଳ ବିଭାଜିକା କର୍ମକର୍ତ୍ତାଙ୍କ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବର୍ଷାଜଳର ସଂରକ୍ଷଣ ଓ ସୁବିନିଯୋଗ ନେଇ ସୁନିଶ୍ଚିତ ମାଧ୍ୟମ ଏବଂ ଯୋଜନାର ବିଭିନ୍ନ ପଦ୍ଧତିକୁ ଜନସାଧାରଣରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳ ବିଭାଜିକା ଉପନିର୍ଦ୍ଧେଶକ ଶୁଭେନ୍ଦୁ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଜଳ ବିଭାଜିକା ବିଭାଗ ଜନିତ କାର୍ଯ୍ୟଧାରା ଏବଂଏହାର ସାମୁହିକ ଉଦ୍ଦେଶ୍ୟ ନେଇ ଉପସ୍ଥିତ ଜନପ୍ରତିନିଧି ଏବଂ ପଞ୍ଚାୟତ କର୍ମକର୍ତ୍ତାଙ୍କ ଉଦ୍ଧେଶ୍ୟରେ ସେ ନିଜ ଅଭିବ୍ୟକ୍ତି ରଖିଥିଲେ । ଜଳ, ଜମି , ଜଙ୍ଗଲ , ଜନ୍ତୁ ଓ ଜନଧନର ସୁପରିଚାଳନାରେ ଜଳର ଭୂମିକା ଅତୀବ ଗୁରୁତ୍ଵ ରଖିଥିବାରୁ ଏହାର ସଂରକ୍ଷଣ ଦିଗରେ ନିଜ ବିଭାଗୀୟ ଦୃଷ୍ଟିଭଙ୍ଗି ଅବତାରଣା କରିଥିଲେ । ସାନଖେମୁଣ୍ଡି ବ୍ଲକ ଅଧକ୍ଷ୍ ସିମାଞ୍ଚଳ ପାତ୍ର , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ମୋନାଲିସା ହୋତା , ନିର୍ବାହୀ ଅଧିକାରୀ ଶେଖ ମମତାଜ ଅଲ୍ଲୀ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅନୁପ ବେହେରା , କନିଷ୍ଠ ଯନ୍ତ୍ରୀ ତଥା ସଂଯୋଜକ ସିମାଞ୍ଚଳ ହୋତା , ଜିଲ୍ଲାପରିଷଦ ପ୍ରତିନିଧି ରାଜୀବ ପାତ୍ର ପ୍ରମୁଖ ଯୋଗ ଦେଇ ଜଳ ବିଭାଜିକାର ମହତ ଉଦ୍ଧେଶ୍ୟ ନେଇ ଉପସ୍ଥିତ ଚାଷୀ ତଥା ଯୋଜନା ଉପଭୋକ୍ତାଙ୍କୁ ସଚେତନା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶୀୟ କାରିଗରୀ କୌଶଳ ଏବଂ ବୁଦ୍ଧିର ବିକାଶ ହେବା ନେଇ ଶିବିରରେ ମଞ୍ଚାସୀନ ପଦାଧିକାରୀ ନିଜ ମତାତ ରଖିଥିଲେ । ସମ୍ବଳହୀନ ବ୍ୟକ୍ତିଙ୍କ ଜୀବନ ଜୀବିକାର ଅଭିବୃଦ୍ଧି ହେବା ସହିତ ମହିଳାମାନଙ୍କର ଆର୍ଥିକ ତଥା ସାମାଜିକ ସୁରକ୍ଷା ହୋଇପାରିବା ନେଇ ସରକାରଙ୍କ ଏହି ଯୋଜନା ଗ୍ରାମାଞ୍ଚଳରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିପାରିବ ବୋଲି କର୍ମକର୍ତ୍ତାଗଣ ନିଜ ନିଜ ମତ ରଖିଥିଲେ l ଆୟୋଜିତ ଏହି ଜଳ ବିଭାଜିକା କର୍ମଶାଳାରେ ବ୍ଲକର ସରପଞ୍ଚ , ସମିତିସଭ୍ୟଙ୍କ ସମେତ ଜଳ ବିଭାଜିକା ପଞ୍ଚାୟତସ୍ତରୀୟ କର୍ମକର୍ତ୍ତାଙ୍କ ସହ ଅଞ୍ଚଳ ଚାଷୀ ଉପସ୍ଥିତ ରହିଥିଲେ l