ଚିକିଟି ବ୍ଲକ୍ ରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

0
149

ବ୍ରହ୍ମପୁର,୨୮/୧୦/୨୦୨୨:ସମଗ୍ର ଶିକ୍ଷା, ଗଞ୍ଜାମ ଏବଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଚିକିଟିଙ୍କ ମିଳିତ ଆନୁକୁଲ୍ୟରେ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଚିକିଟି ବ୍ଲକ୍ ର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ା ଓ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିଶୋଲା ଠାରେ ଦୃଷ୍ଟି ପରୀକ୍ଷା କାର୍ଯ୍ୟକ୍ରମ (ସୁନେତ୍ର) ଅନୁଷ୍ଠିତ ହୋଇ ଯାଇଛି। ନୂଆପଡ଼ା, ପତି ଗୋବିନ୍ଦ ପୁର, ଗିରିଶୋଲା, ଗୋବିନ୍ଦ ନଗର, ସୁନପୁର, ଝାଟିପଦର ଆଦି ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ଦୃଷ୍ଟି ପରୀକ୍ଷା କରାଯାଇ ଥିଲା। ଉଭୟ ଶିବିରରେ ବିଦ୍ୟାଳୟ ସ୍ତରରେ ଚିହ୍ନଟ ହୋଇଥିବା ସର୍ବମୋଟ ୪୮୬ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ବରିଷ୍ଠ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ଵାରା ପରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକ ଚଷମା ଓ ଔଷଧ ପ୍ରଦାନ ବ୍ୟବସ୍ଥା କରାଯାଇ ଥିଲା। କାର୍ଯ୍ୟକ୍ରମକୁ ଚିକିଟି ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଚକ୍ଷୁ କେତେ ମୂଲ୍ୟବାନ ଓ ଏହାର ଯତ୍ନ କିପରି ନେବା ଉଚିତ୍, ସେ ବିଷୟରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇ କହିଥିଲେ। ଗଞ୍ଜାମ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ବିଭାଗର ସଂଯୋଜକ ଶ୍ରୀ ତପନ କୁମାର ସାହୁ ଉପସ୍ଥିତ ରହି ସୁନେତ୍ର କାର୍ଯ୍ୟକ୍ରମର ଗୁରୁତ୍ବ, ଏହାର ସଫଳ ଆୟୋଜନ ସମ୍ପର୍କରେ ମତାମତ ରଖିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସିମାଞ୍ଚଳ ପଣ୍ଡା, ଶ୍ରୀ ପ୍ରଭାକର ସେଠୀ ଓ ଶ୍ରୀ ନିଗମାନନ୍ଦ ପଣ୍ଡା କାର୍ଯ୍ୟକ୍ରମ ତଦାରଖ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ସି.ଆର୍.ସି, ବି.ଆର୍.ଟି. ଓ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ପୂର୍ଣ୍ଣ ସହଯୋଗ କରିଥିଲେ। ନୂଆପଡ଼ା ଶିବିରକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ତାରା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗିରିସୋଲା ଶିବିରକୁ ସାଧନ ସଂଯୋଜକ ଶ୍ରୀ ବଦ୍ରିନାଥ ପଣ୍ଡା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here