ବିଧାୟକ ଭାବେ ଶପଥ ନେବା ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା। ମୁଁ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ କରିବି, ଏହି ବିଜୟ ମୋର ନୁହଁ, ଧାମନଗରବାସୀଙ୍କର : ସୂର୍ଯ୍ୟବଂଶୀ ସୂରଜ

0
135

ଭୁବନେଶ୍ୱର,୦୯/୧୧/୨୦୨୨: ଧାମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ମୁକୁଟ ପିନ୍ଧିବା ପରେ ଆଜି ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସୂରଜଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବିଜେପିର କୋର କମିଟି (କେନ୍ଦ୍ରୀୟ ନେତା) ସୂରଜଙ୍କୁ ଏକ ଭରଚୁଁଆଲ ବୈଠକରେ ସ୍ଵାଗତ ଶୁଭେଚ୍ଛା ଜଣାଇଥିଲେ । ପରେ ସ୍ଵର୍ଗତଃ ବିଧାୟକ ବିଷ୍ଣୁ ସେଠୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଆଜିର ଦିନଟି ଭାରତୀୟ ଜନତା ପାର୍ଟି ଲାଗି ଏକ ଐତିହାସିକ ଦିନ ଅଟେ ।ରାଜ୍ୟ କାର୍ଯ୍ୟାଳୟରେ ସୂରଜ ବାପା ସ୍ଵର୍ଗତଃ ବିଷ୍ଣୁ ସେଠୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ କହିଛନ୍ତି ଯେ, ବିଜେପି ଓ ଧାମନଗରବାସୀ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି । ଉପନିର୍ବାଚନ ଜିତିବା ଲାଗି ମୁଁ କିଛି କରିନି,ଏଠି ଧାମନଗରବାସୀ ଲଢ଼ୁଥିଲେ । ଏହି ବିଜୟ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବିଜୟ । ମୁଁ ଧାମନଗର ଉପନିର୍ବାଚନରେ ପ୍ରଚାର କରିନି ବରଂ ଆର୍ଶୀବାଦ ଭିକ୍ଷା କରିଛି ବୋଲି ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ସେବକ ହୋଇ ଧାମନଗରବାସୀଙ୍କ ସେବା କରିବି ଏବଂ ଭାରତୀୟ ଜନତା ପାର୍ଟି ଲାଗି ମୁଁ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ କରିବି ବୋଲି ସୂରଜ କହିଛନ୍ତି ।ନିର୍ବାଚନ ମଣ୍ଡଳୀର ପାନୀୟଜଳ,ଜଳସେଚନ, ରାସ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ଏବଂ ମହିଳାଙ୍କୁ ଅର୍ଥନୀତି କ୍ଷେତ୍ରରେ ସୁଦୃଢ଼ କରିବା ସହ ସଶକ୍ତିକରଣ କରିବା ଲାଗି ଆଗାମୀ ଦିନରେ କାର୍ଯ୍ୟ କରିବେ ବୋଲି ସୂରଜ କହିଛନ୍ତି ।ବିଧାନସଭାରେ ଶପଥ ନେବାକୁ ଯିବା ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକର୍ତାମାନଙ୍କ ଭିତରେ ବହୁ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା । ବିଜେପିର ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ସ୍ଵର୍ଗତଃ ବିଷ୍ଣୁ ସେଠୀଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ସମସ୍ତେ ଏକତ୍ରିତ ହୋଇ ନାଚଗୀତ, ବାଣବାଜା ବଜାଇ ନବ ନିର୍ବାଚିତ ବିଧାୟକ ଶ୍ରୀ ସୂରଜଙ୍କୁ ସ୍ଵାଗତ ଓ ସମ୍ବୋର୍ଦ୍ଧନା ଦିଆଯାଇଥିଲା ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତା ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ,ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, ଲିଗାଲ ସେଲ୍ ସଂଯୋଜକ ଜୟନ୍ତ ଜେନା, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here