ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ , ସ୍ପଷ୍ଟୀକରଣ ଦେଲା ଓପିଏସ୍‌ସି

0
202

କଟକ,୧୦/୧୧/୨୦୨୨:ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆସିବାର ପ୍ରାୟ ୩ ଦିନ ପରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) କର୍ତ୍ତୃପକ୍ଷ ଆଜି ଲିଖିତ ସ୍ପଷ୍ଠୀକରଣ ରଖିବା ସହ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା କହି ଫାଙ୍କି ଦେଇଛନ୍ତି। ଏକ ପ୍ରେସ୍ ନୋଟ ଜାରି କରି ଓପିଏସସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଓ ଅନୁପସ୍ଥିତ ଥିବା ପ୍ରାର୍ଥୀଙ୍କ ନାଁ ବି ପରୀକ୍ଷା ଫଳରେ ରହିଥିବା ନେଇ ଆଗଧାଡ଼ିର ଗଣମାଧ୍ୟମ ଓ ସୋସିଆଲ ମିଡିଆ ମାଧ୍ୟମରେ କିଛି ପ୍ରାର୍ଥୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ଓପିଏସସିଙ୍କ ପ୍ରଚଳିତ ନୀତି ଅନୁସାରେ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ହିଁ କମିଶନ ସମସ୍ତ ଉତ୍ତର ଖାତା, କଟଅଫ ମାର୍କ ଓ ବ୍ୟକ୍ତିଗତ ପ୍ରାର୍ଥୀଙ୍କ ମାର୍କ ଆଦି କମିଶନଙ୍କ ୱେବସାଇଟରେ ଉପଲବ୍ଧ ହେବ । ଏହି ନିୟମ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓ ୟୁପିଏସସି ପରୀକ୍ଷାରେ ଅବଲମ୍ବନ କରାଯାଇଥାଏ।କମିଶନଙ୍କ ଦ୍ୱାରା ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଓ ପାରଦର୍ଶିତାର ସହ ହୋଇଥାଏ । ଏଏସଓ ପରୀକ୍ଷାରେ ମଧ୍ୟ ସେହି ନୀତି ପାଳନ କରାଯାଇଛି । ମେରିଟ୍ ଆଧାରିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କମିଶନଙ୍କ ନିରପେକ୍ଷତାକୁ ଧୂମିଳ କରିବାକୁ ହେଉଥିବା ପ୍ରୟାସକୁ ଓପିଏସସି କର୍ତ୍ତୃପକ୍ଷ ଦୃଢ଼ ନିନ୍ଦା କରୁଛନ୍ତି । କମିଶନ ତାଙ୍କ ସ୍ପଷ୍ଟୀକରଣରେ ଦର୍ଶାଇଛନ୍ତି ଯେ , ଏଏସଓ ପରୀକ୍ଷାରେ ମୋଟ ୧ଲକ୍ଷ ୪୮ହଜାର ୮୮୮ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୧୦୪ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ଏହା ମୋଟ ବିଜ୍ଞାପିତ ହୋଇଥିବା ପଦବୀ ୭୯୬ର ଦେଢ଼ଗୁଣ ଅଟେ।ପ୍ରତ୍ୟେକ ପେପର ଓ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ କଟଅଫ୍ ମାର୍କ ଚୂଡ଼ାନ୍ତ କରିବା କମିଶନଙ୍କ କ୍ଷମତା ପରିସର । ଏହି ଆଧାରରେ ସର୍ବନିମ୍ନ ମାର୍କ ସ୍ଥିର କରାଯାଇଛି ।ସୂଚନାଯୋଗ୍ୟ , ଗତ ସୋମବାର ଏଏସଓ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠୁ ବହୁ ଚାକିରି ଆଶାୟୀ ପ୍ରାର୍ଥୀ ରାଜରାସ୍ତାକୁ ଓହ୍ଲାଇ ପରୀକ୍ଷା ପରିଚାଳନାରେ ଓପିଏସସି କର୍ତ୍ତୃପକ୍ଷ ବ୍ୟାପକ ଅନିୟମିତତା ଓ ଦୁର୍ନୀତି କରିଥିବା ନେଇ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here