ବ୍ରହ୍ମପୁର,୧୩/୧୧/୨୨: ଅନ୍ତଃଜିଲ୍ଲା ପ୍ରଥମ ଚିଲଡ୍ରେନ୍ସ କପ୍ ଆନ୍ତଃ ବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୮ଟି ବିଦ୍ୟାଳୟର ମୋଟ ୩୬ଟି ଦଳ ଅଂଶଗ୍ରହଣ କରିଥିଲେ । ଆୟୋଜିତ ଏହି ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଏମ. ବିବେକ୍ ରେଡ୍ଡି, ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ, ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ବାଇଁ, ସ୍ଥାନୀୟ କର୍ପୋରେଟର ପ୍ରଦୀପ କୁମାର ଶତପଥୀ, ଅଭିପ୍ରାୟର ଉପଦେଷ୍ଟା ମିଟୁ ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ବୃନ୍ଦଙ୍କ ଦ୍ୱାରା ହାସ୍ୟ ଅଭିନେତା ଆନ୍ନା ତଥା ଓଏଭି କୁସୁମୀ କ୍ରୀଡା ଶିକ୍ଷକ ମଧୁସୂଦନ ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଭାଗ ନେଇ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜାତୀୟସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ଚୟନ କରାଯିବ ବୋଲି ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ସୁରେଶ କୁମାର ପାଢୀ ଓ ଏନ୍.ଆଇ.ଏସ୍ ସାର୍ଟିଫିକେଟ ପ୍ରାପ୍ତ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥ ସୂଚନା ଦେଇଛନ୍ତି । ଆଜିର ଏହି ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, ସମ୍ପାଦକ ସୁରେଶ କୁମାର ପାଢୀ, ଉପସଭାପତି ଡ଼ଃ ସରୋଜ ସାମନ୍ତ, କୋଷାଧ୍ୟକ୍ଷ ଡା. ମନୋଜ କୁମାର ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସନ୍ଦୀପ ପାତ୍ର, ପ୍ରମୋଦ ପଟ୍ଟନାୟକ, ଚକାଡୋଳା ପାଣିଗ୍ରାହୀ ପ୍ରମୁଖ ରେଫ୍ରି ଭାବେ ଦାୟିତ୍ୱ ତୁଲାଇଥିଲେ। ଆସନ୍ତା କାଲି ୧୪ ତାରିଖ ଶିଶୁ ଦିବସ ଅବସରରେ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି।