ଭୁବନେଶ୍ୱର,୧୭/୧୧/୨୦୨୨: ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଛି । ପଦ୍ମପୁର ଉପନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପିର ପ୍ରାର୍ଥୀଭାବେ ପ୍ରଦୀପ ପୁରୋହିତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କର ପ୍ରାର୍ଥୀପତ୍ର ଦାଖଲ ସମୟରେ ଦଳର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି,ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରଗଡ ସାଂସଦ ସୁରେଶ ପୂଜାରୀ, କେଭି ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ବାଳ, ମାନସ ବକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନାଥାଉ କି, ଚାଷୀ ଆନ୍ଦୋଳନ ଓ ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନକାରୀ ମାନଙ୍କୁ ସମର୍ଥନ ଜଣାଇ ଗତ ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିନଥିଲେ ପ୍ରଦୀପ ପୁରୋହିତ । ଆଜି କଂଗ୍ରେସ ଓ ବିଜେଡି ଉଭୟ ମନୋନୟନ ପତ୍ର ଦାଖଲ କରିବାରୁ ବିଜେପି ଶେଷରେ ଏହି ଉପନିର୍ବାଚନ ରେ ଭାଗ ନେଲା । ଚାଷୀଙ୍କ ପ୍ରତି ବିଜୁ ଜନତା ଦଳର ଅବହେଳା,ପଦ୍ମପୁରବାସୀଙ୍କ ପ୍ରତି ରାଜ୍ୟ ସରକାର କରିଥିବା କ୍ରମାଗତ ପାତରଅନ୍ତର ବିଷୟ ହେବ ବିଜେପିର ମୁଖ୍ୟ ପ୍ରସଙ୍ଗ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୯୮୫ ମସିହାରୁ ଗନ୍ଧମାର୍ଦ୍ଦନ ବଂଚାଅ ଆନ୍ଦୋଳନରୁ ନିଜର ସାମାଜିକ ଜୀବନ ଆରମ୍ଭ କରିଥିଲେ ।ପଦ୍ମପୁର ଚାଷୀ ସମସ୍ୟା, କେନ୍ଦୁପତ୍ର ତୋଳାଳିଙ୍କର ସମସ୍ୟାର ସମାଧାନ ପାଇଁ ରାଜରାସ୍ତାରୁ ନେଇ ବିଧାନସଭା ପର୍ଯ୍ୟନ୍ତ ସବୁଠି ଲଢ଼ିଛନ୍ତି ପ୍ରଦୀପ ପୁରୋହିତ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।