ବ୍ରହ୍ମପୁର ,୧୭/୧୧/୨୦୨୨ : ସାଂପ୍ରତିକ ସମାଜରେ ଆଧୁନିକତା ଛାପର ବଶବର୍ତ୍ତୀ ହୋଇ ଯୁବ ସମାଜ ପାଶ୍ଚାତ୍ୟ ଦୃଷ୍ଟିଭଙ୍ଗୀରେ ପାରମ୍ପରିକ ସ୍ମରଣୀୟ ଦିବସ ପାଳନ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ପଂଚାୟତ ଅନ୍ତର୍ଗତ ବେତାରସିଂ ଗ୍ରାମର ଜନୈକ ଯୁବକ ନିଜ ପ୍ରଥମ ବିବାହ ବାର୍ଷିକୀ ସ୍ଥାନୀୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର, ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ ଆଡମ୍ବର ସହକାରେ ପାଳନ କରିଥିବା ବିଷୟ ଅଞ୍ଚଳରେ ଚର୍ଚ୍ଚିତ ବିଷୟ ହୋଇଅଛି । ମୋହନା ନିକଟ ବେତାରସିଂର ଇଞ୍ଜିନିୟର ରଜନିକାନ୍ତ ବୀର ଧର୍ମପତ୍ନୀ ସସ୍ମିତା ଲିମା ନିଜ ପ୍ରଥମ ବିବାହ ବାର୍ଷିକ ଉତ୍ସବ ଜନିତ ପାଳନ ଦିବସକୁ ପରିବାର ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ଥିବା ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଭୋଜନର ବ୍ୟବସ୍ଥା ସହ ସେମାନଙ୍କୁ ଶୀତବସ୍ତ୍ର ଉପହାର ପ୍ରଦାନ କରି ନିଜ ମହାନତା ପ୍ରଦର୍ଶନ କରିଥିଲେ । ସାମ୍ପ୍ରତିକ ସ୍ୱାର୍ଥ ସର୍ବସ୍ବ ସମାଜରେ ଯୁବ ଇଞ୍ଜିନିୟରଙ୍କ ଏତାଦୃଶ ଅଭିନବ ପ୍ରୟାସକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦମ୍ପତିଙ୍କୁ ପ୍ରଶଂସା ସହ ମଙ୍ଗଳ କାମନା କରାଯାଇଥିଲା । ଅନ୍ତେବାସୀଙ୍କ ଦ୍ଵାରା ସେମାନଙ୍କ ବୈବାହିକ ଜୀବନର ପ୍ରଥମ ବାର୍ଷିକ ଦିବସ ସହ ଆଗାମୀ ଦାମ୍ପତ୍ୟ ଜୀବନର ଶୁଭକାମନା କରାଯାଇଥିଲା । ଆୟୋଜିତ ଏହି କାର୍ଯକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟି ଓ କର୍ମଚାରୀ ସମୂହ ସହଯୋଗ କରିଥିଲେ | ଦିବ୍ୟାଙ୍ଗ ଅନ୍ତେବାସୀ ରଜନିକାନ୍ତଙ୍କ ଉପହାର ଗ୍ରହଣ କରି ଖୁସି ଅନୁଭବ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ଓ ପରିଚାଳନା କମିଟି ବୃନ୍ଦ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ହୋଇଥିଲେ । ପରିଶେଷରେ ଯୁବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ ସହ ଉପହାର ପ୍ରଦାନ କରିଥିଲେ |
Home ବ୍ରହ୍ମପୁର ସ୍ପେଶାଳ ପ୍ରଥମ ବିବାହ ବାର୍ଷିକୀ ପାଳନ ଅବସରରେ ମୋହନା ସ୍ଵତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ଅନ୍ତେବାସୀଙ୍କୁ ପଙ୍କ୍ତିଭୋଜନ ସହ...