ବ୍ରହ୍ମପୁର,୧୮/୧୧/୨୦୨୨: ମିଶନ ରାଣୀ ମାଁ ମାରୀୟାଙ୍କ ପର୍ଵ ୨୦୨୨ର ଉଦଘାଟନ ଦିବସ ଅର୍ଥାତ ପବିତ୍ର ନବୀନାର ପ୍ରଥମ ଦିନ ଦୀର୍ଘ ୨ ବର୍ଷର କୋଭିଡ କଟକଣା ପରେ ମହା ଆଡ଼ମ୍ବର ସହ ଆଜି ସ୍ଥାନୀୟ ଚର୍ଚ୍ଚ ରୋଡ ସ୍ଥିତ ମିଶନ ରାଣୀ ମହାଦେବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ନବୀନା ଉତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆଗାମୀ ତା.୨୬.୧୧.୨୨ ରିଖ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ ତା.୨୭.୧୧.୨୨ ରିଖ ଦିନ ମିଶନ ରାଣୀ ମାଁ ମାରୀୟାଙ୍କ ପର୍ଵ ଭକ୍ତିଭାଵ ସହ ପବିତ୍ର ଦିବ୍ୟଯଜ୍ଞ ଉତ୍ସର୍ଗ କରି ପାଳନ କରାଯିବ। ଆଜିର ଏହି ପବିତ୍ର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ପ୍ରଭୁଦାସ ନାୟକ, ବ୍ରହ୍ମପୁର ଧର୍ମପ୍ରଦେଶର କୋଷାଧ୍ୟକ୍ଷ ଯାଜକ ସୁରେଶ ଚନ୍ଦ୍ର ନାୟକ, ଯାଜକ ବଲବନ୍ତ ରଣସିଙ୍ଗ,ଯାଜକ ଆକବର ବିଷୋୟୀ ଓ ଯାଜକ ଦୀନବନ୍ଧୁ ନାୟକ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ।ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ ଦିବ୍ୟଯଜ୍ଞ ପୌରହିତ୍ୟ କରିଥିଲେ ଏବଂ ” ମାଁ ମାରୀୟା ଆମ୍ଭ ମାନଙ୍କର ଆବଶ୍ୟକତା ପାଇଁ ସବୁବେଳେ ଅବଗତ ଥାଆନ୍ତି”, ଏହି ବିଷୟରେ ଉଦବୋଧନ ଦେଇ ସର୍ବ ମଣ୍ଡଳୀକୁ ଉଦବୋଧନ ଦେଇଥିଲେ। ବ୍ରହ୍ମପୁର ଧର୍ମାଞ୍ଚଳର JESUS YOUTH ର ଯୁବ ଗୋଷ୍ଠି ସ୍ୱାଗତ ନୃତ୍ୟ ପରିବେଷଣ ଠାରୁ ଆରମ୍ଭ କରି ସଙ୍ଗୀତ ଗାୟନ ସହ ଦିବ୍ୟଯଜ୍ଞ ଉତ୍ସର୍ଗରେ ସାହାଯ୍ୟ କରିଥିଲେ। ଏହି ଉଦ୍ଘାଟନ ନବୀନା ଉତ୍ସଵର ଶୃଙ୍ଖଳିତ ଓ ସୁନ୍ଦର ପରିଚାଳନା ନିମନ୍ତେ ଅନୁଷ୍ଠାନର ସେବାଭ୍ରାତା ଓ ସେବାଭଗ୍ନୀ ଗଣ, ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ପର୍ବର ବିଭିନ୍ନ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଏହି ଉଦ୍ଘାଟନ ଉତ୍ସବରେ ସହଯୋଗ କରିଥିଲେ।