ଖଲ୍ଲିକୋଟ ଥାନା ଅଞ୍ଚଳର ୨ଟି ସ୍ଥାନରେ ଅବକାରୀ ପୋଲିସର ଚଢ଼ାଉ, ଦେଶିମଦ ସହ ଅଟୋ ଜବତ, ୨ ଗିରଫ

0
231

ବ୍ରହ୍ମପୁର,୨୩/୧୧/୨୦୨୨ (ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ୨ଟି ସ୍ଥାନରେ ଅବକାରୀ ପୋଲିସ ଚଢ଼ାଉ କରି ୫୪୦ ଲିଟର ଦେଶିମଦ, ଗୋଟିଏ ଅଟୋ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଞ୍ଚଳରେ ଚୋରା ମଦ କାରବାରକୁ ରୋକିବା ପାଇଁ ଅବକାରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଚୋରା ଦେଶି ମଦ ଜବତ କରୁଥିଲେ ମଧ୍ୟ ଚୋରାମଦ କାରବାର ଥମିବାର ନା ଧରୁନି । ଖଲ୍ଲିକୋଟ ଅବକାରୀ ଥାନା ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାରକୁ ରୋକିବା ପାଇଁ ଛତ୍ରପୁର ଅବକାରୀ ସଦର ରେଞ୍ଜ୍ ଇନ୍ସପେକ୍ଟର ଦୀପ୍ତିମୟୀ ସାହୁଙ୍କ ନେତୃତ୍ୱରେ ବୁଧବାର ସକାଳ ସାଢ଼େ ୬ଟାରେ ବାଦପଲ୍ଲୀ ଅଞ୍ଚଳରୁ ୫୦୦ ଲିଟର ଚୋରା ଦେଶୀମଦ ଏକ ଅଟୋ ଯୋଗେ ଅଙ୍ଗାରଗାଁ ଅଭିମୁଖେ ଯାଉଥିବା ବେଳେ ସୁମଣ୍ତଳ ରାସ୍ତାରେ ଅବକାରୀ ପୋଲିସ ଉକ୍ତ ଅଟୋଟିକୁ ଜବତ କରିବା ସହ ଚୋରା ମଦ ଚାଲାଣ ଅଭିଯୋଗରେ କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମର ବାସୁଦେବ ସାହୁଙ୍କୁ ଗିରଫ କରିଥିଲେ । ସେହିପରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଗଲପୁର ରାସ୍ତାରେ ୪୦ ଲିଟର ଚୋରା ଦେଶିମଦ ସହ ଚୋରା ଦେଶିମଦ ବିକ୍ରି ଅଭିଯୋଗରେ ରବି ସ୍ବାଇଁଙ୍କୁ ଗିରଫ କରିଥିଲେ । ଏହି ଚଢ଼ାଉରେ ଖଲ୍ଲିକୋଟ ଅବକାରୀ ଥାନା ଇନଚାର୍ଜ ତଥା ଏଏସଆଇ ଜି. କାମେଶ୍ବର, କନେଷ୍ଟବଳ ପର୍ଶୁରାମ ରେଡ଼ି, କାହ୍ନୁ ଚରଣ ନାହାକ, ଟୁଟୁ ସାମଲ, ମନୋଜ ‍କୁମାର ଲେଙ୍କାଙ୍କ ସହ ଅନ୍ୟ କର୍ମଚାରୀ ମାନେ ସାମିଲଥିବା ବେଳେ ଚୋରା ଦେଶିମଦ ଚାଲାଣ ଓ ବିକ୍ରି ଅଭଯୋଗରେ ଦୁଇଟି ମାମଲା ରୁଜୁ କରାଯାଇ ସନ୍ଧ୍ୟାରେ ଗିରଫ ବାସୁଦେବ ସାହୁ ଓ ରବି ସ୍ବାଇଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଅବକାରୀ ସଦର ରେଞ୍ଜ୍ ଇନ୍ସପେକ୍ଟର ଦିପ୍ତିମୟୀ ସାହୁ ସୂଚନା ଦେଇଛନ୍ତି । ଅଟୋ ଡ୍ରାଇଭର୍ ବାସୁଦେବ ର ମଦ ନେଣଦେଣ ପଛରେ ଅଙ୍ଗାରଗାଁ ପଞ୍ଚାୟତ ଅଞ୍ଚଳର ଜୈନକ ନିର୍ବାଚିତ ଜନପ୍ରତିନିଧି ଏବଂ ଜଣେ ଯୁବକଙ୍କ ହାତ ଥିବା ଅଞ୍ଚଳରେ ଚର୍ଚ୍ଚା ଚାଲିଛି !

LEAVE A REPLY

Please enter your comment!
Please enter your name here