ଭୁବନେଶ୍ୱର,୨୩/୧୧/୨୦୨୨ : ୨୨ବର୍ଷର ବିଜୁ ଜନତା ଦଳ ଲୋକପ୍ରିୟତା ଅଛି ବୋଲି ଆତ୍ମବଢ଼ିମା ଦେଖାଉଛି କିନ୍ତୁ ନିର୍ବାଚନ ଆସିଲେ ଶାସକ ଦଳର ଅସଲ ମୁଖା ଖୋଲିଯାଉଛି । ନିର୍ବାଚନ ଓ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦଳର କୌଣସି କର୍ମୀ ବା କାର୍ଯ୍ୟକର୍ତା ଉପରେ ଭରସା ନକରି ସରକାରୀ କର୍ମଚାରୀଙ୍କୁ ନେଇ ନିର୍ବାଚନ ପ୍ରଚାର କରୁଛନ୍ତି । ଶାସକ ଦଳ ନିର୍ବାଚନ ବୈତରଣୀ ପାର ହେବା ଲାଗି କଳ, ବଳ ଓ କୌଶଳର ଅପବ୍ୟବହା ସହ ସରକାରୀ ଅଫିସ ଓ କର୍ମଚାରୀଙ୍କୁ ଅପବ୍ୟବହାର ରାଜନୈତିକ କାର୍ଯ୍ୟ କରାଯାଉଛି । ପଦ୍ମପୁର ଉପନିର୍ବାଚନ ରେ ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ କାଳିଚରଣ ଦୁବେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନୀରଞ୍ଜନ ପୂଜାରୀ, ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂବରିହା, ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଓ ପ୍ରଚାରର ଫଟୋ ପକାଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ସରକାରୀ କର୍ମଚାରୀ ହୋଇ ଖୋଲାଖୋଲି ଭାବେ ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ କଣ୍ଡକ୍ଟ ରୁଲକୁ ଉଲ୍ଲଂଘନ କରିଛନ୍ତି ଶ୍ରୀ ଦୁବେ । ତେଣୁ ଶ୍ରୀ ଦୁବେଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ତାଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ତରଫରୁ ଦାବୀ କରାଯାଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ତଥ୍ୟ ଓ ପ୍ରମାଣ ପ୍ରଦାନ କରିଛନ୍ତି ।
ସରକାରୀ କର୍ମଚାରୀମାନଙ୍କୁ ରାଜନୈତିକ କାର୍ଯ୍ୟ କରିବାକୁ ଅନୁମତି ନାହିଁ ଏଥିରୁ ନିବୃତ ରହିବାକୁ ଡ.ଲେଖାଶ୍ରୀ କହିଛନ୍ତି । ଯଦି ସରକାରୀ କର୍ମଚାରୀମାନେ ବିଜୁ ଜନତା ଦଳ କଥାରେ ପ୍ରଭାବିତ ହୁଅନ୍ତି ତାହାଲେ ସରକାରୀ ଶିକ୍ଷକ କୃଷ୍ଣ ମୋହନ ପଣ୍ଡା, ବିନୟ ରଞ୍ଜନ ପଣ୍ଡା, ସୁଧୀର ରଥଙ୍କ ଭଳି ଦଣ୍ଡିତ ହୋଇ ଚାକିରୀ ହରାଇବେ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍, ରାଜ୍ୟ ଲିଗାଲ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।