ଧାର୍ଯ୍ୟ ହକ୍ ଓ ଦାବୀ ନେଇ ବିଏମଏସ ଅନୁବନ୍ଧିତ ସାନଖେମୁଣ୍ଡି ବ୍ଲକ ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କ ବିକ୍ଷୋଭ ରାଲି

0
147

ବ୍ରହ୍ମପୁର, ୨୫/୧୧/୨୦୨୨ : ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଅଙ୍ଗନୱାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ଵ ରଖୁଥିଲା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ସାମାଜିକ ନିରାପତ୍ତା ସହ କରୁଥିବା କାମ ଅନୁସାରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନରେ ଅବହେଳା କରି ଆସୁଛନ୍ତି । ପ୍ରତାରଣା ପୂର୍ଣ୍ଣ ଅଧ୍ୟାଦେଶ ଜରିକରି କର୍ମୀ ଓ ସହାୟିକାଙ୍କ ଲଲିପପ୍ ଧରାଇ ଗ୍ରାମାଞ୍ଚଳର ତୃଣମୂଳ ସ୍ତରର ସମସ୍ତ ସରକାରୀ କାର୍ଯ୍ୟ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ହାସଲ କରୁଥିବା ବେଳେ ସେମାନଙ୍କ କାର୍ଯ୍ୟକୁ ସେବା ଆଳରେ ପରିତୋଷିକ ବ୍ୟବସ୍ଥା କରାଯାଇଛି । ଏଥିନେଇ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ହରତାଳ ମାଧ୍ୟମରେ ସରକାରଙ୍କ ଠାରେ ଦାବି କରୁଥିଲେ ମଧ୍ୟ ସରକାରଙ୍କ ଠାରେ ଏହାର ପ୍ରଭାବ ଅନୁଭୂତ ହେଉଥିବା ଜଣାଯାଉନାହିଁ । ଏହି ପରିପ୍ରେକ୍ଷୀରେ ସମ୍ପ୍ରତି ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଲେଡିସ ୱାର୍କର ଏସୋଷିଏସନ୍ ଅଙ୍ଗନୱାଡ଼ି କର୍ମୀ ସମୂହ କାର୍ଯ୍ୟ ବନ୍ଦ ଡାକରା ଦେଇ ଭୁବନେଶ୍ୱରରେ ଅହୋରାତ୍ର ଧାରଣାରେ ବସି ସରକାରଙ୍କ ଠାରେ ଦାବି ଉପସ୍ଥାପନ କରୁଥିବା ବେଳେ ରାଜ୍ୟ ସଂଗଠନର ଆଦେଶ କ୍ରମରେ ବ୍ଲକ ସ୍ତରରେ କର୍ମୀଙ୍କ ଦ୍ଵାରା ଆନ୍ଦୋଳନ ବିକ୍ଷୋଭ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣକୁ ଜାରି ରଖିଛି । ଏହି ଅବସରରେ ସାନଖେମୁଣ୍ଡି ବ୍ଲକ ଅଧିନ ଅଲ୍ ଓଡିଶା ଲେଡିସ ୱାର୍କରସ ଏସୋସିଏସନ୍ ଅଧିନ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସମୂହ ଆଜି ପାଟପୁର ଗାନ୍ଧୀ ଛକ ଠାରେ ମିଳିତ ହୋଇ ଏକ ବିଶାଳ ପଦଯାତ୍ରା ରାଲିରେ ବ୍ଲକ ସଦର ମହକୁମାରେ ପହଞ୍ଚି ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମାନ କାମକୁ ସମାନ ଦରମା , ପରିତୋଷିକ ବଦଳରେ ଦରମା , ନିୟୋଜିତ ବଦଳରେ ନିଯୁକ୍ତି ଓ ପଦନ୍ନୋତି ସହ ସରକାରୀ ମାନ୍ୟତା ଦାବିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ପରିଶେଷରେ ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚି, ସଂଗଠନର ଦାବି ସମୂହକୁ ଅଧିକାରୀଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here