ସିଇଓଙ୍କଠାରେ ଫେରାଦ ହେଲା ବିଜେପି।ପଦ୍ମପୁରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହେଉ : ଡ.ଲେଖାଶ୍ରୀ

0
129

ଭୁବନେଶ୍ୱର,୩୦/୧୧/୨୦୨୨: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଦ୍ୱାରା ବଢ଼ୁଥିବା ହିଂସା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଉପନିର୍ବାଚନକୁ ନିଜ ସପକ୍ଷରେ ନେବା ପାଇଁ ଶାସକ ଦଳ ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରିଛି । ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ବନ୍ଧୁକ ଦେଖାଇ, ଧମକାଇ ବିଜେପି କାର୍ଯ୍ୟକର୍ତା ଦିଲୀପ ସେନାପତିଙ୍କୁ ଝାରବନ୍ଧ କୋଠଗୁଡାଠାରେ ଅପହରଣ କରିଛନ୍ତି ଏବଂ ପରବର୍ତୀ ସମୟରେ ତାଙ୍କୁ ମାରପିଟ୍ କରି ଫିଙ୍ଗିଦେଇ ପଳାଇଛନ୍ତି । ଦୀର୍ଘ ସମୟ ପରେ ଅଧମରା ଅବସ୍ଥାରେ ଦିଲୀପ ସେନାପତି ମିଳିଲା ପରେ ତାଙ୍କୁ ରାୟପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ପୋଲିସରେ ଏଫଆଇଆର ଦେବା ସତ୍ୱେ ଏଯାଏଁ ପୋଲିସ ଏଫଆଇଆର ରେଜିଷ୍ଟର କରିନାହିଁ ଏବଂ ଆକ୍ରମଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ପୋଲିସ ଉର୍ଦ୍ଦେଶମୂଳକଭାବେ ବିଜେଡି ପାଇଁ କାର୍ଯ୍ୟକରୁଛି ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସମାନ୍ତସିଂହାର କହିଛନ୍ତି ।
ପାଇକମାଳ ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ନବ ଦାଶ ନିର୍ବାଚନ ଘୋଷଣା ହେବାର ୫ଦିନ ପୂର୍ବରୁ ପାଇକମାଳ ପୋଲିସ ଆଇଆଇସିଙ୍କୁ ବଦଳି କରି ତାଙ୍କ ଅଂଚଳର (ଝାରସୁଗୁଡା) ଜଣେ ଆଇଆଇସିଙ୍କୁ ସେଠାରେ ପୋଷ୍ଟିଂ କରିଛନ୍ତି । ଏହି ଆଇଆଇସି ଏବେ ନବ ଦାଶଙ୍କ ଇଙ୍ଗିତରେ ବିଜେପି ସପକ୍ଷରେ କାମ କରୁଥିବା ବ୍ୟକ୍ତିମାନଙ୍କ ନାଁରେ ମିଛ କପୋଳକଳ୍ପିତ ଏଫଆଇଆର ଦର୍ଜ କରି ତାଙ୍କୁ ହଇରାଣ ହରକତ କରିବାରେ ଲାଗିଛନ୍ତି । ଏହି ଆଇଆଇସି ନିରୀହ କେନ୍ଦୁପତ୍ର ତୋଳାଳିଙ୍କୁ ମଧ୍ୟ ବାଧ୍ୟ କରି କେନ୍ଦୁପତ୍ର ସିଜନାଲ ଷ୍ଟାପ୍ ନାଁରେ ମିଛ ଏଫଆଇଆର ସୃଷ୍ଟି କରିଛନ୍ତି । ଯେହେତୁ କେନ୍ଦୁପତ୍ର ତୋଳାଳିଙ୍କ ମହାସଂଘର ସଚିବ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଅଛନ୍ତି ତାଙ୍କ ସଂଘ ଭିତରେ ଫାଟ ସୃଷ୍ଟି କରିବା ପାଇଁ ଏହିପରି କରାଯାଇଛି ।
କିଛି ଲୋକ ନିଜକୁ କେନ୍ଦୁପତ୍ର ସିଜନାଲ ଷ୍ଟାପ କହି ଟଙ୍କା ବାଂଟି ଧରାପଡିଥିବାବେଳେ ପୋଲିସ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଚିନ୍ତା ସୃଷ୍ଟି କରିଛି । ପୋଲିସର ଏଭଳି ପକ୍ଷପାତିତାକୁ ନେଇ ଡ. ଲେଖାଶ୍ରୀଙ୍କ ତତ୍ୱାବଧାନରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓଙ୍କ)ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରାଯାଉ । ବିଜୁ ଜନତା ଦଳର ଗୁଣ୍ଡାଗର୍ଦ୍ଦି ଏବଂ ହିଂସାତ୍ମକ ଆଭିମୁଖ୍ୟକୁ ଆଖି ଆଗରେ ରଖି ନିର୍ବାଚନରେ ବହୁ ସଂଖ୍ୟାରେ ପାରା ମିଲିଟାରୀ ଓ ସେଂଟ୍ରାଲଫୋର୍ସ ମୁତୟନ କରାଯାଉ ବୋଲି ଦାବି କରାଯାଇଛି ।
ସେହିପରି ପଦ୍ମପୁର ବ୍ଲକର ସମାସିଂ ଗାଁର ଜଣେ ମିଶନଶକ୍ତିର ଏମ୍‌ବିକେ ସୁନୀତା ନାୟକ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ଧରାପଡିଛନ୍ତି । ତାଙ୍କର ଏହି ଫଟୋ ଭାଇରାଲ ହେଉଛି । ନିର୍ବାଚନ ଆଦର୍ଶ ଆଚରଣବିଧି ଉଲଘଂନ କରିଥିବାରୁ ତାଙ୍କ ଉପରେ ତୁରନ୍ତ ନିଲମ୍ବିତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here