ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର୍ ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାନ୍ତ

0
141

ବ୍ରହ୍ମପୁର,୦୧/୧୨/୨୦୨୨ : ଓଡ଼ିଆ ଭାଷା-ସାହିତ୍ୟର ମୌଳିକ ଗବେଷଣା ଓ ସୂତ୍ରାଶ୍ରୟୀ ଗାଣିତିକ ସମାଲୋଚନା ଧାରାର ଶେଷ କୀର୍ତ୍ତିମାନ୍ ସମାଲୋଚକ ପ୍ରଫେସର୍ ସୁଦର୍ଶନ ଆଚାର୍ଯ୍ୟଙ୍କର ଆଜି ପୂର୍ବାହ୍ନରେ ଅଶୋକନଗର ସ୍ଥିତ ‘ଯତିରାଜ ନିକେତନ’ ବାସଗୃହରେ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ଏବଂ ଶେଷଶଯ୍ୟା ନିକଟରେ ଏକମାତ୍ର ପୁତ୍ର ବିଷ୍ୱକ୍ସେନ (ବାବୁ), ପୁତ୍ରବଧୂ, ସାନଝିଅ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ l ପ୍ରଫେସର୍ ଆଚାର୍ଯ୍ୟଙ୍କ ତିରୋଧାନ ଖବର ପାଇବା ପରେ ବ୍ରହ୍ମପୁର ସହରାଞ୍ଚଳ ଓ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟର ଓଡ଼ିଆ ଅଧ୍ୟାପକ ଓ ସାହିତ୍ୟିକଙ୍କ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି l ବ୍ରହ୍ମପୁର ସହରର ବହୁ ବିଶିଷ୍ଟ ସାହିତ୍ୟିକ, ଅଧ୍ୟାପକ ଓ ସଂସ୍କୃତିପ୍ରେମୀ ତାଙ୍କ ଯତିରାଜ ନିକେତନକୁ ଯାଇ ଶେଷ ଦର୍ଶନ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି l
ଜଗତସିଂହପୁରରୁ ବଡ଼ଝିଅ ଓ ଜ୍ୱାଇଁ, ଦିଲ୍ଲୀରୁ ଭଣଜା ଓ ଅନ୍ୟ ସମ୍ପର୍କୀୟମାନେ ଆସି ପହଞ୍ଚିବା ପରେ ଆଜି ସନ୍ଧ୍ୟାରେ ଗେଟ୍ ବଜାର ସ୍ଥିତ ଗୋକ6ର୍ଣ୍ଣଶ୍ଵର ଶ୍ମଶାନରେ ହିନ୍ଦୁଧର୍ମର ବୈଦିକ ବିଧାନ ଅନୁଯାୟୀ ପ୍ରଫେସର୍ ଆଚାର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ପୁତ୍ର ବିଷ୍ୱକ୍ସେନ ମୁଖାଗ୍ନି ଦେଇଥିଲେ l ପ୍ରଫେସର୍ ଆଚାର୍ଯ୍ୟଙ୍କ ମୃତ୍ୟୁ ଖବର ପାଇବା ପରେ ଡ. ନିଖିଳାନନ୍ଦ ପାଣିଗ୍ରାହୀ, ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ, ଡ. ବାଇଲଡୁ ପାଣିଗ୍ରାହୀ, ଡ. କୈଳାସ ଚନ୍ଦ୍ର ତ୍ରିପାଠୀ, ମେଜର୍ ରମାରମଣ ପାଢ଼ୀ, ଡ. କମ୍ବୁପାଣି ସାମନ୍ତ, ଡ. ସୂଚନା ପାଢ଼ୀ, ବିପ୍ର ଆଚାର୍ଯ୍ୟ, ଡ. ରମେଶ ଚରଣ ତ୍ରିପାଠୀ, ଡ. ଲମ୍ବୋଦର ପାଣିଗ୍ରାହୀ, ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ, ଡ. ଅଲେଖ ଚନ୍ଦ୍ର ପ୍ରଧାନ, ଆକାଶବାଣୀର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ, ଡ. ବନମାଳୀ ପାଣିଗ୍ରାହୀ, ଡ. କୃଷ୍ଣପ୍ରସାଦ ମହାପାତ୍ର, ପ୍ରଫେସର୍ ସଦାନନ୍ଦ ନାୟକ, ଡ. ସୁଶାନ୍ତ ଜେନା, ଡ. କୁଳମଣି ଓଝା, ଡ. କାହ୍ନୁଚରଣ ପାଢ଼ୀ, ଡ. ରମେଶ ପ୍ରଧାନ, ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଡ. ବିଦ୍ୟୁତ୍ ପ୍ରଭା ସାହୁ, ଡ. ହୃଷୀକେଶ ପଣ୍ଡା, ଡା. ସାଗର ରଞ୍ଜନ ତ୍ରିପାଠୀ, ଡ. ସଞ୍ଜୟ କୁମାର ପଣ୍ଡା, ଡ. ମିହିର ତ୍ରିପାଠୀ, ଡ. ଅଶୋକ କୁମାର ପଣ୍ଡା, କବି ଅନୁପ ମିଶ୍ର, ଡ. ରାଜେନ୍ଦ୍ର କୁମାର ତ୍ରିପାଠୀ, ନଳିନୀ କୁମାର ଗୌଡ଼, ଦୀନବନ୍ଧୁ ଶ୍ରୀପଲ୍ଲଵ ପ୍ରମୁଖ ତାଙ୍କ ବାସଭବନକୁ ଶେଷଦର୍ଶନ କରିବା ସଂଗେ ସଂଗେ ଯାଇ ଶବାଧାରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l ପ୍ରଫେସର୍ ଦାଶରଥି ଦାସ, ପ୍ରଫେସର୍ ନିତ୍ୟାନନ୍ଦ ସାହୁ, ଡ. ସଂଘମିତ୍ରା ମିଶ୍ର, ଡ. ବିଜୟ କୁମାର ଶତପଥୀ, ଡ. ବସନ୍ତ କୁମାର ପଣ୍ଡା, ଡ. ଦୁର୍ଗାମାଧବ ନନ୍ଦ, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ଗୌରାଙ୍ଗ ଚରଣ ଦାଶ, ଡ. ହୃଷୀକେଶ ମଲ୍ଲିକ, ଡ. ଶତ୍ରୁଘ୍ନ ପାଣ୍ଡଵ, ପ୍ରଫେସର୍ କୃଷ୍ଣଚନ୍ଦ୍ର ପ୍ରଧାନ, ଡ. କ୍ଷୀରୋଦ ଚନ୍ଦ୍ର ବେହେରା, ଡ. ଅଜୟ କୁମାର ମିଶ୍ର, ପ୍ରଫେସର୍ ମଣୀନ୍ଦ୍ର ମେହେର, ଡ. ବିଭୂତି ପଣ୍ଡା, ଡ. ରଞ୍ଜିତ କୁମାର ପରିଡ଼ା, ଡ. ପୂ6ର୍ଣ୍ଣନ୍ଦୁ ତ୍ରିପାଠୀ, ଡ. ବାସନ୍ତୀ ମହାନ୍ତି, ଡ. ଅନନ୍ତ କିଶୋର ଜେନା, ଡ. ରବି ଶତପଥୀ, ଡ. ଦିଲୀପ କୁମାର ସ୍ୱାଇଁ, ଡ. ରମେଶ ଚନ୍ଦ୍ର ବେହେରା, ଡ. ଦେବାଶିଷ ପାତ୍ର, ଡ. ଅଜୟ କୁମାର ତ୍ରିପାଠୀ, ଡ. ଦେବୀ ପ୍ରସାଦ ଶତପଥୀ, ଡ. ସମୀର ଭୋଇ, ଡ. ଚନ୍ଦ୍ରଶେଖର ଦାସଙ୍କ ସମେତ ଓଡ଼ିଆ ଭାଷା ସାହିତ୍ୟର ଶତାଧିକ ଅଧ୍ୟାପକ ଓ ଗବେଷକ ଶୋକବାର୍ତ୍ତାମାନ ପଠାଇଛନ୍ତି l
ପ୍ରଫେସର୍ ଆଚାର୍ଯ୍ୟ ୧୯୩୯ ମସିହା ଜାନୁଆରୀ ୨୮ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଜରଡ଼ା ନିକଟବର୍ତ୍ତୀ ସୁବର୍ଣ୍ଣପୁର ଗ୍ରାମରେ ପିତା ଯତିରାଜଙ୍କ ଔରସ ଓ ମାତା ଋକ୍ମିଣୀଙ୍କ କୋଳମଣ୍ଡନ ପୂର୍ବକ ଜନ୍ମଗ୍ରହଣ କରିଥିଲେ l ଶ୍ରୀକାକୁଲମ୍ ମହାବିଦ୍ୟାଳୟ, ୧୯୬୨ରୁ ୧୯୬୮ ପର୍ଯ୍ୟନ୍ତ ଖଲ୍ଲିକୋଟ ମହାବିଦ୍ୟାଳୟ ଓ ୧୯୬୯ରୁ ୧୯୯୯ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟାପକ, ପ୍ରାଧ୍ୟାପକ, ପ୍ରଫେସର୍, ବିଭାଗ ମୁଖ୍ୟ ରୂପେ ଦାୟିତ୍ୱ ନିର୍ବାହ କରିବା ସହ ଆଞ୍ଚଳିକ ଗବେଷଣା କେନ୍ଦ୍ର (ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟର ଆଲୋଚନା)ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ବହୁବିଧ ଉଲ୍ଲେଖନୀୟ କାର୍ଯ୍ୟ କରି ଯାଇଛନ୍ତି l ତାଙ୍କ ଦ୍ୱାରା ସଂଗୃହୀତ ଶତାଧିକ ତାଲପତ୍ର ପୋଥି, ପ୍ରାଚୀନ ପତ୍ରପତ୍ରିକା ଓ ପୁରାତନ ପୁସ୍ତକାବଳୀ ଓଡ଼ିଆ ବିଭାଗ ପାଇଁ ସ୍ୱତନ୍ତ୍ର ମର୍ଯ୍ୟାଦା ଆଣି ଦେଇଥିଲା l ଏହି କେନ୍ଦ୍ର ଆନୁକୂଲ୍ୟରେ ତାଙ୍କ ଦ୍ୱାରା ସଂପାଦିତ ‘ଇନ୍ଦ୍ରଧନୁ’ ପତ୍ରିକା, ଚାରି ଖଣ୍ଡରେ ରାମଚନ୍ଦ୍ର ଆଚାର୍ଯ୍ୟ ଗ୍ରନ୍ଥାବଳୀ ଓ ଜଗନ୍ନାଥ ନାରାୟଣ ଦେବ ଗ୍ରନ୍ଥାବଳୀ ପ୍ରକାଶ କରି ଜାତୀୟ କାର୍ଯ୍ୟ ସମ୍ପାଦନ କରି ଯାଇଛନ୍ତି l ତାଙ୍କ ରଚିତ ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ସାହିତ୍ୟ ଓ ସାହିତ୍ୟିକ’, ‘ସ୍ରଷ୍ଟା ଓ ସୃଷ୍ଟି’, ‘ଓଡ଼ିଆ କାବ୍ୟ କୌଶଳ’, ‘ଓଡ଼ିଆ ଅସ୍ମିତା ସନ୍ଧାନ ଓ ଉପେନ୍ଦ୍ର ଭଞ୍ଜ କାବ୍ୟାଲୋଚନା’ ସହିତ ସମ୍ପାଦିତ ଗ୍ରନ୍ଥ ସମୂହ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରଥମ କାବ୍ୟ ଚିତ୍ରଲେଖା, ବଲ୍ଳଭ ନାରାୟଣ ମହାପାତ୍ରଙ୍କ ବିଷ୍ଣୁପୁରାଣ, ରାଜା କୃଷ୍ଣ ସିଂହଙ୍କ ଶ୍ରୀରାମ ରସାୟନ, ଉଷା ଅଭିଳାଷ, ଚାରିଟି ଚଉତିଶାର ଚିତ୍ର ସମ୍ବଳିତ ରେଖା ଓ ରଙ୍ଗରେ ଚଉତିଶା, ଅନ୍ତଃପୁରର ଅଭିଲେଖ, ଜଗନ୍ନାଥ ନାରାୟଣ ଦେବ ଗ୍ରନ୍ଥାବଳୀ, ଊନବିଂଶ ଶତାବ୍ଦୀର ତିନିଟି ପତ୍ରିକା ଇନ୍ଦ୍ରଧନୁ, ଉତ୍କଳ ମଧୁପ, ପ୍ରଦୀପର ପୁନଃ ସମ୍ପାଦନା, ରାମଚନ୍ଦ୍ର ଗ୍ରନ୍ଥାବଳୀ, ପଦ୍ମନାଭ ନାରାୟଣ ଦେବ ଗ୍ରନ୍ଥାବଳୀ, ଗୋପୀନାଥ ନନ୍ଦ ଗ୍ରନ୍ଥାବଳୀ, ଫକୀରମୋହନଙ୍କ ଜୀବନ ଚରିତ, ଫକୀରମୋହନଙ୍କ ବୌଦ୍ଧାବତାର କାବ୍ୟ, ରାମାୟଣ ବାଳଖଣ୍ଡ, ଅଯୋଧ୍ୟା କାଣ୍ଡ ପ୍ରମୁଖ ସ୍ୱତନ୍ତ୍ର ବୀକ୍ଷଣ ଓ ଅନୁଶୀଳନର ଅପେକ୍ଷା ରଖେ l ସୋମଦେବଙ୍କ ‘କଥାସରିତ ସାଗର’ (ପାଞ୍ଚଟି ଭାଗ), କନ୍ନଡ଼ ଔପନ୍ୟାସିକ ଅଣଣା ରାଙ୍କ ‘ନିଃସର୍ଗ’ ଓ ପ୍ରାକୃତ କଥାସମ୍ରାଟ ହରିଭଦ୍ର ସୁରୀଙ୍କ ‘ଧୂର୍ତ୍ତାଖ୍ୟାନ’ ପ୍ରଫେସର୍ ଆଚାର୍ଯ୍ୟଙ୍କ ତିନିଟି ଅନୂଦିତ ଗ୍ରନ୍ଥ lପ୍ରଫେସର୍ ଆଚାର୍ଯ୍ୟଙ୍କ ପିଏଚ୍.ଡି. ନିବନ୍ଧ ‘ଓଡ଼ିଆ କାବ୍ୟ କୌଶଳ’ ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ ମାଇଲ୍ ସ୍ତମ୍ଭ l ସାରସ୍ୱତ ପ୍ରତିଭାର ସ୍ବୀକୃତି ସ୍ୱରୂପ ପ୍ରଫେସର୍ ଆଚାର୍ଯ୍ୟ ଅନୁବାଦ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀର ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ଭାରତ ସରକାରଙ୍କ ଭାଷା ଭାରତୀ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଆ ପାଠକ ସଂସଦ, ଏଷଣା, ସତ୍ୟ ନାରାୟଣ ରାଜଗୁରୁ ସମ୍ମାନ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସମ୍ମାନରେ ସମ୍ମାନିତ ହୋଇଥିଲେ l ପ୍ରଫେସର୍ ଆଚାର୍ଯ୍ୟଙ୍କ ବିୟୋଗ ଫଳରେ ଓଡ଼ିଆ ଗବେଷଣା ଓ ସମାଲୋଚନା ସାହିତ୍ୟରେ ଗୋଟିଏ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଲା l

LEAVE A REPLY

Please enter your comment!
Please enter your name here