ପୋଲସରା ପଞ୍ଚାୟତ ସମିତିର ପଞ୍ଚମ ବୈଠକ ଅନୁଷ୍ଠିତ

0
186

ପୋଲସରା, ୧୫/୧୨/୨୦୨୨: ଡିସେମ୍ବର ୧୪ ତାରିଖ ଦିନ ପୋଲସରା ପଞ୍ଚାୟତ ସମିତିର ପଞ୍ଚମ ବୈଠକ ସମିତି ସମ୍ମିଳନୀ କକ୍ଷରେ ବ୍ଲକ୍ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ସ୍ୱାଗତ ଭାଷଣ ସହ କାର୍ଯ୍ୟସୂଚୀ ବିଷୟରେ ଧାରଣା ଦେଇଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରତି ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ପର୍ଯ୍ୟାୟ କ୍ରମେ ଆଲୋଚନା କରି କର୍ଯ୍ୟ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସମସ୍ତଙ୍କ ମିଳିତ ଉଦ୍ୟମରେ ପୋଲସରା ବ୍ଲକକୁ ଏକ ନମ୍ବର କରିବାକୁ ଆହ୍ୱାନ ଦେଇଥିଲେ । ଗ୍ରାମାଞ୍ଚଳର ବିକାଶ ଦ୍ଵାରା ହିଁ ରାଜ୍ୟର ବିକାଶ ସମ୍ଭବ । ପୋଲସରା ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୫୦ କୋଟି ଟଙ୍କାର ପ୍ରକଳ୍ପ, ପୂର୍ତ୍ତ ବିଭାଗ ଅଧିନରେ ପ୍ରାୟ ୧୦୦ କୋଟି ଟଙ୍କାର ପ୍ରକଳ୍ପ, ଧନେଇ ଡ୍ୟାମ୍ ନିକଟରେ ୫କୋଟି ଟଙ୍କାର ପାର୍କ, ମାରଦା ମନ୍ଦିର ନିକଟରେ ଶିଳ୍ପ ତାଲିମ୍ କେନ୍ଦ୍ର ଓ ପୋଲସରା ସହରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ମଞ୍ଜୁରୀ ମିଳିଥିବା ନେଇ ବୈଠକରେ ମନ୍ତ୍ରୀ ସୂଚନା ଦେଇଥିଲେ। ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ଝୁନୁ ଦାସ ଓ ବିକ୍ରମ କୁମାର ନାୟକ, ସାଂସଦ ପ୍ରତିନିଧି ପ୍ରତାପ କୁମାର ପ୍ରଧାନ, ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କେତେକ ପ୍ରକଳ୍ପ ନିର୍ମାଣାଧୀନ ରହିଥିବା ଓ ଆଉ କେତେକ ପ୍ରକଳ୍ପର ଟେଣ୍ଡର ପକ୍ରିୟା ଶେଷ ହୋଇଥିବା ଯନ୍ତ୍ରୀ ପ୍ରକାଶ କରିଥିଲେ। ବିଭିନ୍ନ ପ୍ରକଳ୍ପରୁ ଦୁର୍ବୁତ୍ତ ମାନେ ବିଦ୍ୟୁତ୍ ତାର ଚୋରି କରିବା ଘଟଣାରେ ଥାନାରେ ଏତଲା କରାଯିବାକୁ ବୈଠକରେ ନିଷ୍ପତି ନିଆଗଲା। ସ୍ଥାନୀୟ ସରପଞ୍ଚଙ୍କ ଅଗୋଚରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଉଥିବାରୁ ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବା ଘଟଣାକୁ ନେଇ ଜନପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସମ୍ୱନିତ ଶିଶୁ ବିକାଶ ବିଭାଗର ୨୧୪ଟି ଅଙ୍ଗନୱାଡ଼ି ପଦବୀ ମଧ୍ୟରୁ ତିନୋଟି ଖାଲି ପଡିଥିବା ଓ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୩୪ଟି କେନ୍ଦ୍ର ନିର୍ମାଣାଧୀନ ରହିଥିବା ବେଳେ ୨୬ଟି କେନ୍ଦ୍ରର ନିଜସ୍ଵ ଗୃହ ନଥିବା ନେଇ ସିଡିପିଓ ପ୍ରକାଶ କରିଥିଲେ । ଉଦ୍ୟାନ ବିଭାଗର ନିଜସ୍ଵ ଗୃହ, ହୀରାପଲ୍ଲୀ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଜମି ଯୋଗାଣ, ସମସ୍ତ ଗୃହପାଳିତ ପଶୁଙ୍କୁ ଟୀକା କରଣ, ମାଛ ଚାଷି ଓ ବ୍ୟବସାୟ, ବନବିଭାଗ ପକ୍ଷରୁ ବନୀକରଣ ନହୋଇ ଚାରା ନଷ୍ଟ କରାଯାଉଥିବା, ବାଘୁଆ କେନାଲରେ ଜଳ ଯୋଗାଣ, ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା । ମନରେଗା ଯୋଜନାରେ ପୋଲସରା ବ୍ଲକରେ ୨୦ଲକ୍ଷ ୧୭ହଜାର ୯୮୫ ଶ୍ରମ ଦିବସ ସୃଷ୍ଟି ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ବେଳେ ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ୧୧ ଲକ୍ଷ ୧୯ ହଜାର ୫୯୨ଟି ଶ୍ରମଦିବସ ହୋଇ ୫୫.୪୮ ପ୍ରତିଶତ ପୂରଣ ହୋଇଥିବା ଜଣାପଡିଛି। କ୍ଷୁଦ୍ର ଜଳସେଚନ ବିଭାଗର ଜିଲୁଣ୍ଡାର ସାନବନ୍ଧ, ସୁନାରି ବୁଗୁଡ଼ା ଜଳାଶ୍ରୟ ଓ ବୁଢେଇଶୁଣିର କଞ୍ଚଣ ଦେବୀ ଜଳାଶ୍ରୟ ର ପୁନରୁଦ୍ଧାର, ପୋଲସରା ସହରର ଧନେଇ ନଦୀ ଉପରେ ନୂତନ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ବୁଢାମ୍ୱ-ବୁଗୁଡ଼ା ରାସ୍ତାର ଉନ୍ନତିକରଣ ନିମନ୍ତେ ଟେଣ୍ଡର ଶେଷ ହୋଇଥିବା ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ବିଭିନ୍ନ ବିଭାଗ ଅଧିକାରୀ ବୃନ୍ଦଙ୍କ ସମେତ ପୋଲସରା ବ୍ଲକ୍ ସମସ୍ତ ବିଭାଗର ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here