ଭୁବନେଶ୍ୱର,୨୦/୧୨/୨୦୨୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଗୋବିନ୍ଦ ସାହୁର ମୃତ୍ୟୁ ପରେ ଘଟଣାର ରହସ୍ୟ ଆହୁରି ବଢିଯାଇଛି । ଆଜି ମମିତାଙ୍କୁ ହତ୍ୟା କରିଥିବା ଗୋବିନ୍ଦ ସାହୁ କଂଟାବାଞ୍ଜି ଜେଲ୍ରେ ଆତ୍ମହତ୍ୟା କରିଥିବା କୁହାଯାଉଛି । କିନ୍ତୁ ବାସ୍ତବରେ ବିଜୁ ଜନତା ଦଳର ନିଜର ମନ୍ତ୍ରୀ, ନେତାଙ୍କୁ ବଂଚାଇବାକୁ ଯାଇ ତାଙ୍କୁ ହତ୍ୟା କରାଯାଇଛି । ଏହା ଆତ୍ମହତ୍ୟା ନୁହେଁ ବରଂ ସିଧାସଳଖ ହତ୍ୟା ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ରାଜ୍ୟରେ ଘଟିଯାଇଥିବା ବଡ ବଡ ଅପରାଧରେ ଶାସକ ବିଜେଡିର ବଡ ବଡ ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତିର ଯଥେଷ୍ଟ ପ୍ରମାଣ ରହିଛି । ଆଇନର ବାଟକୁ ଓଗାଳି ତଦନ୍ତକୁ ବାଟବଣା କରିବା ସହିତ ସଂପୃକ୍ତ ଅପରାଧୀମାନଙ୍କୁ ଖସାଇ ଦେବା ପାଇଁ ଶାସକ ବିଜେଡି ଦ୍ୱାରା ପ୍ରଚେଷ୍ଟା ଜାରୀ ରହିଛି । ନିଜ ନେତା ଓ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସାକ୍ଷୀମାନଙ୍କୁ ହତ୍ୟା କରି ପ୍ରମାଣକୁ ନଷ୍ଟ କରିବାକୁ ମଧ୍ୟ ପଛାଉନାହାନ୍ତି ରାଜ୍ୟ ସରକାର । ମାହାଙ୍ଗା ଡବଲ୍ ମର୍ଡର ଘଟଣାର ଅଭିଯୁକ୍ତ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କୁ ବଂଚାଇବା ପାଇଁ ଘଟଣାର ମୁଖ୍ୟ ସାକ୍ଷୀ ପ୍ରଫୁଲ୍ଲ ବିଶ୍ୱାଳ (କାବୁଆ); ରାଜ୍ୟ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ବଂଚଇବା ପାଇଁ ଘଟଣାର ମୁଖ୍ୟ ସାକ୍ଷୀ ଧର୍ମେନ୍ଦ୍ର ସାହୁର ମୃତ୍ୟୁ ପରେ ବର୍ତମାନ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିବ୍ୟଶଂକର ମିଶ୍ରଙ୍କୁ ବଂଚଇବା ପାଇଁ ଘଟଣାର ମୁଖ୍ୟ ସାକ୍ଷୀ ଗୋବିନ୍ଦ ସାହୁଙ୍କୁ ମଧ୍ୟ ହତ୍ୟା କରାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।ବାସ୍ତବରେ ଅଭିଯୁକ୍ତ ଦାଗୀ ମନ୍ତ୍ରୀ ଓ ନେତାଙ୍କୁ ବଂଚାଇ ନିଜ ଭାବମୁର୍ତିକୁ ସଫାସୁତୁରା ରଖିବାର ପ୍ରୟାସ କରୁଛନ୍ତି କ୍ଷମତାଲୋଭି ରାଜ୍ୟ ସରକାର । ଶାସକ ଦଳର କଳାକାରନାମାକୁ ଲୁଚାଇବାକୁ ଯାଇ ସରକାରୀ କଳମାଧ୍ୟମରେ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି । ଗୋବିନ୍ଦ ସାହୁଙ୍କୁ ପ୍ରଥମେ ଥାନା ଭିତରୁ ଖସେଇ ଦେବାର ପ୍ରୟାସ ପରେ ଆଜି ଜେଲ୍ ପରିସରରେ ହତ୍ୟା କରାଯାଇଛି । ମମିତା ମେହେର ହତ୍ୟା ଘଟଣାରେ ପ୍ରଥମରୁ ହିଁ ଗୃହ ବିଭାଗର କାର୍ଯ୍ୟକଳାପ ସନ୍ଦେହଜନକ ଥିଲା । ଘଟଣାର ପ୍ରଥମ ଦିନରୁ ହିଁ ପୋଲିସ ଏବଂ ଗୃହବିଭାଗ ଦ୍ୱାରା “ଲିପା ପୋଛା”ର କାମ ଆରମ୍ଭ ହୋଇଯାଇଥିଲା । ବର୍ତମାନ ମଧ୍ୟ ଅନୁରୁପ ଭାବେ ଗୋବିନ୍ଦ ସାହୁ ମୃତ୍ୟୁର କାରଣ ଓ ପ୍ରମାଣକୁ ଲିପାପୋଛା କରିବାର ବହୁ ଆଶଂକା ରହିଛି । ବିଭିନ୍ନ ଅପରାଧର ମୁଖ୍ୟ ସାକ୍ଷୀମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଧିବଦ୍ଧ ଯୋଜନା କରାଯାଇଥିବା ପ୍ରମାଣିତ ହୋଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ଗୋବିନ୍ଦ ସାହୁ ମୃତ୍ୟୁ ପ୍ରସଙ୍ଗ: ଆତ୍ମହତ୍ୟା ନୁହେଁ ବରଂ ସିଧାସଳଖ ହତ୍ୟା: ସ୍ମୃତି ପଟ୍ଟନାୟକ *...