ଅଙ୍ଗନୱାଡି କର୍ମୀଙ୍କ ଦୀର୍ଘ ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନରେ ସକ୍ରିୟ ପ୍ରଶାସନ : ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୁରୁଖୁରୁରେ ଚାଲିଛି ସାନଖେମୁଣ୍ଡିର ଗାଁ ଗାଁ ରେ ଛତୁଆ ବଣ୍ଟନ ।

0
158

ବ୍ରହ୍ମପୁର , ୨୩/୧୨/୨୦୨୨ : ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ସନାନ୍ଵିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅନ୍ତର୍ଗତରେ ନିୟୋଜିତ ଥିବା ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଙ୍ଗନୱାଡ଼ି କର୍ମୀଙ୍କ ଅଲ୍ ଓଡ଼ିଶା ଲେଡ଼ିସ ୱାର୍କର୍ସ ୟୁନିଅନ ସମ୍ପ୍ରତି ମାସାଧିକ କାଳ ହେବ ରାଜଧାନୀ ଭୁବନେଶ୍ଵର ସହ ପ୍ରକଳ୍ପ ସ୍ତରରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣାରେ ବସିଥିବା କାରଣରୁ ଏହି ବିଭାଗର ସେବା ଓ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଖରେ ଉପଯୁକ୍ତ ସେବା ପହଞ୍ଚାଇବା ନେଇ ଅଜବ ସ୍ଥିତି ସୃଷ୍ଟି ହୋଇଅଛି । କାର୍ଯ୍ୟରତ କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କାରଣରୁ କେନ୍ଦ୍ର ପରିସରରେ ଥିବା ପ୍ରାକ ବିଦ୍ୟାଳୟ ଶିଶୁଙ୍କ ନିୟମିତ ଗରମ ରନ୍ଧନ ବ୍ୟବସ୍ଥା ଠପ୍ ହୋଇଥିବା ବେଳେ ଗର୍ଭବତୀ ଓ ପ୍ରସୂତି ହିତାଧିକାରୀ ମାଆ ଙ୍କ ପାଇଁ ବ୍ୟବସ୍ଥା ଗତରେ ଉଦ୍ଧିଷ୍ଟ ସରକାରଙ୍କ ମାଗଣା ସୁଷମା ଶୁଖିଲା ପୃଷ୍ଟିକର ଖାଦ୍ୟ ଛତୁଆ , ସୁଜି , ବାଦାମ ଲଡୁ ଓ ଖାଇବା ତେଲ ସହ ଅଣ୍ଡା ବିତରଣରେ ବ୍ୟାଘାତ ସୃଷ୍ଟି ହୋଇଅଛି । ଯଦିଓ ଅନ୍ୟ ସଂଗଠନ ଅନୁବନ୍ଧିତ ସିଂହଭାଗ କର୍ମୀ ଏଥିରେ ସାମିଲ ନାହାନ୍ତି ପରନ୍ତୁ କିଛି ଜିଲ୍ଲା ଓ ବ୍ଲକରେ ଏମାନଙ୍କ ପତିଆରା ସ୍ପଷ୍ଟ ବାରି ହେଉଅଛି । ନଭେମ୍ବର ୨୦ ତାରିଖରୁ ବିଏମସି ସଂଘ ଅଧୀନ କର୍ମୀ ଓ ସହାୟିକା ସମୂହଙ୍କ ଆନ୍ଦୋଳନ ଯୋଗୁଁ ଏମାନଙ୍କ କେନ୍ଦ୍ର ଅଞ୍ଚଳ ହିତାଧିକାରୀଙ୍କ ପାଖରେ ଉପଲବ୍ଧ ସେବା ସମୂହ କୁ ପହଞ୍ଚାଇବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରକାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି । ପ୍ରକଳ୍ପ ଓ ବ୍ଲକ ସ୍ତରରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ସେଥିରେ ସ୍ଥାନୀୟ ଜନ ପ୍ରତିନିଧି , ମହିଳା ସଂଚୟିକା ଗୋଷ୍ଠୀ ମହିଳା , ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମିଳିତ ସହଯୋଗରେ ବିଭାଗ ଅନ୍ତର୍ଗତ ହିତାଧିକାରୀଙ୍କ ନିକଟରେ ସେବା ପହଞ୍ଚାଉଥିବା ଦେଖିବାକୁ ମିଳିଛି ।

ଏହି କ୍ରମରେ ସାନଖେମୁଣ୍ଡି ଶିଶୁ ବିକାଶ ସେବା ପ୍ରକଳ୍ପ ଅନ୍ତର୍ଗତରେ କେନ୍ଦ୍ରକର୍ମୀଙ୍କ ଧାରଣା କାରଣରୁ ସେବା ବଞ୍ଚିତ ହିତାଧିକାରୀଙ୍କ ନିକଟରେ ପ୍ରଶାସନ ପହଞ୍ଚି ଉଦ୍ଧିଷ୍ଟ ସେବା ପ୍ରଦାନ କରିଥିବା ଜଣାଯାଇଛି । ପାଖାପାଖି ଦୁଇଶହ କେନ୍ଦ୍ରର ହିତାଧିକାରୀଙ୍କ ପାଖରେ ସେବା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କ୍ରମାଗତ ଭାବରେ ଛତୁଆ ଆଦି ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯାଉଥିବା ସାନଖେମୁଣ୍ଡି ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଅର୍ଚ୍ଚନା କହଁର ସୂଚିତ କରିଛନ୍ତି । ଆନ୍ଦୋଳନ ରତ କର୍ମୀଙ୍କ ସହ ଆଲୋଚନା ଏବଂ ହିତାଧିକାରୀଙ୍କ ଉପଯୋଗୀ ଆବଶ୍ୟକତା ଭିତ୍ତିରେ ଚଳିତ ଥର ବଣ୍ଟନ ବ୍ୟବସ୍ଥା ପର୍ଯ୍ୟାୟ କ୍ରମ କାରଣରୁ ବିଳମ୍ୱିତ ହୋଇଥିବା ବେଳେ ଆସନ୍ତା ସମୟରେ ସବୁ ବ୍ୟବସ୍ଥା ଠିକଠାକ୍ ହେବା ନେଇ ବକ୍ତବ୍ୟ ରଖିଛନ୍ତି । ଏହା ସହିତ ଚଳିତ ମାସର ବଣ୍ଟନ ବ୍ୟବସ୍ଥାରେ ପ୍ରାୟ ପଞ୍ଚାୟତରେ ବଣ୍ଟନ ଶେଷ ହୋଇଥିବାରେ ସହଯୋଗ କରିଥିବା ଜିଲ୍ଲା ପରିଷଦ ସଭ୍ୟ , ପଞ୍ଚାୟତ ସରପଞ୍ଚ , ସମିତି ସଭ୍ୟ , ୱାର୍ଡ ସଭ୍ୟଙ୍କ ସହ ମହିଳା ଗୋଷ୍ଠୀ କାର୍ଯ୍ୟକର୍ତ୍ତା ଏବଂ ପ୍ରାଧିକୃତ ପରିବେଷଣ ଓ ଯୋଗାଣକାରୀ ସଂସ୍ଥା ଗୋପୀନାଥ ସ୍ଵୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତାଙ୍କ ସହଯୋଗକୁ ନେଇ ସାଧୁବାଦ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here