ଚିକିଟି ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଗୋଳନ୍ଥରା ଏବଂ ଜରଡା ଥାନା ଅଧିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି : ମନୋରଞ୍ଜନ ଦ୍ୟାନସାମନ୍ତରା

0
379

ବ୍ରହ୍ମପୁର,୦୩/୦୧/୨୦୨୩: ଦିନକୁ ଦିନ ଚିକିଟି ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଗୋଳନ୍ଥରା ଏବଂ ଜରଡା ଥାନା ଅଧିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ନେଇ ବିଜେପି ଅଭିଯୋଗ କରିଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା ଏମିତି ଅଭିଯୋଗ କରିବା ସହ ଚିକିଟି ବିଧାୟିକା ,ତାଙ୍କ ପୁଅ ଓ ସ୍ବାମୀ ଙ୍କ ନେତୃତ୍ୱରେ ଚିକିଟି ନିର୍ବାଚନ ମଣ୍ଡଳୀ ର ବିଜେଡି କର୍ମୀ ମାନେ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି।
ସାଧାରଣ ନିର୍ବାଚନ ଯେତେ ପାଖଉଛି ଚିକିଟି ନିର୍ବାଚନ ମଣ୍ଡଳୀରେ ବିଧାୟିକା, ତାଙ୍କ ପୁତ୍ର ଓ ସ୍ବାମୀଙ୍କ ନେତୃତ୍ୱରେ ଚିକିଟି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କର୍ମୀ ମାନେ ଭୟର ବାତାବାରଣ ସୃଷ୍ଟି କରିବା ପାଇଁ ଦିବାଲୋକରେ ହତ୍ୟା,ହତ୍ୟା ଉଦ୍ୟମ ମରଣାନ୍ତିଙ୍କ ଆକ୍ରମଣ କରୁଛନ୍ତି। ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବଗାଁ ଗ୍ରାମର ୨ଜଣଙ୍କୁ ଗୁରୁତର ଆକ୍ରମଣ ସହ ଜଣକୁ ହତ୍ୟା କରିବାର ଆଜିକୁ ୧୩ଦିନ ବିତିଯାଇଥିଲେ ମଧ୍ୟ ଜରଡା ପୋଲିସର ହାତ ଖାଲି ଥିଲା।
ଜରଡା ପୋଲିସ ଜାଣିଶୁଣି ଅପରାଧୀ ମାନଙ୍କୁ ଗିରଫ କରୁନଥୁଲା। ଗୁରୁତର ଚିକିତ୍ସିତ ୨ଜଣ ହସ୍ପିଟାଲରୁ ଡିସଚାର୍ଜ ହେବାର ସମୟ ପାଖେଇଥିବା ଜାଣି ସେମାନଙ୍କୁ ବେଲ୍ ମିଳିବା ସହଜ କରାଇ ଅପରାଧୂ ମାନଙ୍କୁ ଜରଡା ପୋଲିସ ଗିରଫ କରିଥିବା ଗତକାଲି ସଂଧ୍ୟାରେ ଜଣାଇଛି। ବାସ୍ତବରେ ଜରଡା ପୋଲିସ ଅପରାଧି ମାନଙ୍କୁ ନିରାପଦ ସ୍ଥାନରେ ରଖି ଅପରାଧୀ ମାନଙ୍କୁ ସହଯୋଗ କରିଥିବା ସନ୍ଦେହ ଘନୀଭୂତ ହେଉଛି।ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଘଟିଥିବା ଆମ୍ବଗାଁ ହତ୍ୟାକାଣ୍ଡର ୧୨ଦିନ ନପୁରୁଣୁ ପୁଣି ଚିକିଟିର ବିଧାୟିକା ଓ ପରିବାର ସଦସ୍ୟ ପିତାତଳିରେ ଅଶାନ୍ତି ସୃଷ୍ଟି କରାଇ ପୁଣି ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଇଛନ୍ତି। ଯେଉଁ ପରିବାର ଆକ୍ରମଣର ଶୀକାର ହୋଇ ଗୋଳନ୍ଥରା ଥାନାକୁ ନ୍ୟାୟ ପାଇଁ ଯାଉଛି ଥାନା ଅଧିକାରୀ ନ୍ୟାୟ
ଦେବା ବଦଳରେ ପୀଡିତ ପରିବାର ଉପରେ ଅତ୍ୟାଚାର କରୁଛି। ଏହାର ଜ୍ଵଳନ୍ତ ଉଦାହରଣ ହେଲା ୨୦-୧୧-୨୦୨୨ ତାରିଖରେ ରାମେୟାପାଟଣାରେ ୟୁ. କର୍କେୟା ଓ କେ. ରାଜେୟା ଉପରେ ଘଟିଥିବା ଆକ୍ରମଣ ଘଟଣା । ଆକ୍ରମଣକାରୀକୁ ଗିରଫ ନକରି ଆକ୍ରମଣରେ ଶିକାର କର୍ଲେୟାକୁ ଗୋଳନ୍ଥରା ଥାନା ଗିରଫ କରି ଜେଲ୍ କୁ ପଠାଇଥିଲେ କିନ୍ତୁ କରଲେୟା ଓ ରାଜେୟାର ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଗତ ୦୫-୦୯-୨୦୨୨ ତାରିଖରେ ରାମଚନ୍ଦ୍ରପଲ୍ଲୀ ଗ୍ରାମର ପୂର୍ଣ୍ଣିମା ଦାସ ଆକ୍ରମଣରେ ଶିକାର ହୋଇ ଅଭିଯୋଗ କରିବା ପାଇଁ ଗୋଳନ୍ଥରା ଥାନାକୁ ଯାଇଥିବା ବେଳେ ଥାନା ଅଧିକାରୀ ଆକ୍ରମଣ କରିଥିବା ବ୍ୟକ୍ତିକୁ ଥାନାକୁ ଡକାଇ ପୂର୍ଣିମା ଦାସ ନାମରେ ମିଥ୍ୟା ପ୍ରତିମାମଲା ଦରଜ କରାଇ ଉଭୟଙ୍କୁ ୪୧ ସିଆରପିସି ଅନୁସାରେ ଥାନାରୁ ଛାଡିଦିଆଗଲା। ସେହିପରି ୧୫-୧୨-୨୦୨୨ରେ ପିତାତଳି ଛକରୁ ବିଜେଡି ସମର୍ଥକ
ଠାରୁ ୪୦ ଲିଟର ମଦ ଜବତ ହୋଇଥିବା ବେଳେ ଆଇନର ପଞ୍ଝାରୁ ଫିଟାଇବା ପାଇଁ ସେହି ଛକରେ ହିଁ ଫାଷ୍ଟଫୁଡ ଦୋକାନ କରିଥିବା ବିଜେପି ସମର୍ଥକ କେ. ବାଲେୟାକୁ ନିଘୋଷରେ ମଧ୍ୟ ସେହି ମଦ ମାମଲାରେ ଛନ୍ଦିଲେ। ସେହିପରି ୩୧-୧୨-୨୦୨୨ ଦିନ ଘଟିଥିବା ପିତାତଳିର ଗଣ୍ଡଗୋଳରେ ଯେଉଁମାନେ ଆକ୍ରମଣ କରିଲେ ସେମାନଙ୍କୁ ଗିରଫ ନକରି ବରଂ
ହିଂସା ତିଆରି କରିଥିବା ବ୍ୟକ୍ତିମାନଙ୍କ ମିଥ୍ୟା ଅଭିଯୋଗ ଅନୁସାରେ କୌଣସି ସମ୍ପୃକ୍ତ ନଥିବା ପି.ମୋହନଙ୍କୁ ପୋଲିସ
ଆକ୍ରୋଶ ମୂଳକ ଭାବରେ ନାମକୁ ଯୋଡି ମିଥ୍ୟାମାମଲାରେ ଛନ୍ଦି ଜେଲକୁ ପଠାଇଛନ୍ତି।ଆଜି ଯାଏଁ ଭାରତୀୟ ଜନତା ପାର୍ଟିର ସମର୍ଥକ କାର୍ଯ୍ୟକର୍ତ୍ତା ବିଜେଡି ଦ୍ବାରା ଆକ୍ରମଣର ଶୀକାର ହେଉଛନ୍ତି
ଅନ୍ୟପଟେ ପୋଲିସ ଆକ୍ରମଣକାରୀ କୁ ଗିରଫ କରୁନାହିଁ।ବହୁ ମାମଲାରେ ବିଜେପି କର୍ମକର୍ତ୍ତା ମାମଲା ଦରଜ ପାଇଁ ଥାନାକୁ ଗଲେ ଥାନା ବାଲା ବିଧାୟିକାଙ୍କ ଇସାରାରେ ବିଜେଡିର ଲୋକଙ୍କୁ ଡାକି ମାମଲା ଦରଜ କରାଇ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିବା ସହ ହଇରାଣ ହରକତ କରୁଛି। ଏହା ହିଁ ବିଜେଡି ଗୁଣ୍ଡା ମାନଙ୍କୁ ଉତ୍ପାତ ହେବା ପାଇଁ ବଳ ଯୋଗାଉଛି।ଗୋଳନ୍ଥରା ଏବଂ ଜରଡା ପୋଲିସ ଏକପାଖିଆ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜୁ ଜନତା ଦଳ ଗୁଣ୍ଡାମାନଙ୍କୁ ହିଂସା ଓ ଅପରାଧ କରିବା ପାଇଁ ପ୍ରୋତ୍ସାହନ ଯୋଗାଉଛି।୩ଦିନ ତଳେ ପିତାତଳିରେ ବିଧାୟିକା ତଥା ନଗର ଉନ୍ନୟନ ମନ୍ତ୍ରୀଙ୍କ ଇଂଗିତରେ ଆକ୍ରମଣ ହେଲା ପରେ
ଆକ୍ରମଣକାରୀଙ୍କୁ ଗିରଫ ବଦଳରେ ଅଭିଯୋଗକାରୀ ଓ ଅଭିଯୋଗକାରୀ ଙ୍କ ସମର୍ଥକଙ୍କ ଘରେ ଉପରେ ତଦନ୍ତ ନାମରେ ଚଢ଼ାଉ କରି ମହିଳା ମାନଙ୍କ ଉପରେ ଅତ୍ୟାଚାର ସହ ଆସବାବପତ୍ର ଭଙ୍ଗାରୁଜା କରିଅଛି।ଦଳୀୟ କର୍ମୀ ଙ୍କୁ ଦବାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଗୋଳନ୍ଥରା ପୋଲିସ ୭୭ବର୍ଷିୟ ବହୁରୋଗରେ ପୀଡିତ ବରିଷ୍ଠ ନାଗରିକ ନରସିଂହ ମୂର୍ତ୍ତିଙ୍କ
ନାମରେ ମିଥ୍ୟାମାମଲା ଯୋଡୁଛି। ଆକ୍ରମଣକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନକରି ବରଂ ସେମାନଙ୍କ ଦ୍ବାରା ଚା’ପାଣିରେ ଆପ୍ୟାୟିତ ହେଲେ। ଯେଉଁ ସବୁ ମୋବାଇଲରେ ପୋଲିସର ଦମନଲୀଳା, ଭଙ୍ଗାରୁଜାର ଭିଡିଓ ସହ ଆକ୍ରମଣର ଭିଡିଓ ଓ ଆକ୍ରମଣକାରୀଙ୍କ ସହ ମିଶି ଚା’ ଜଳଖିଆ ଖାଇବା ପ୍ରମାଣ ରହିଥିଲା ସେହି ସବୁ ମୋବାଇଲକୁ ବଳପୂର୍ବକ ଛଡାଇ ନେଇଛି। ବିଜେପି ସମର୍ଥକଙ୍କ ଘରଦାଣ୍ଡରେ ଥିବା ୨ଟି ମୋଟର ସାଇକେଲକୁ ମଧ୍ୟ ଗୋଳନ୍ଥରା ଥାନା ଅଧିକାରୀ ନେଇ ଯାଇଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ବିଜେପି ସମର୍ଥୀତ ୧୦ଟି ମୋଟର ସାଇକେଲ ଏବେ ୨ଟି ମୋଟର ସାଇକେଲ ଏପରି ମୋଟ ୧୨ଟି ମୋଟର ସାଇକେଲକୁ ଗୋଳନ୍ଥରା ଥାନା ଅଧିକାରୀ ଯୋରଜବରଦସ୍ତି ନେଇଯାଇଛନ୍ତି ।ବିଧାୟକଙ୍କ ପରିବାର ସଦସ୍ୟଙ୍କ ଘନିଷ୍ଠ ଜରଡା ଥାନା ଅନ୍ତର୍ଗତ ନନ୍ଦିଗାଁର ଜନୈକ ବ୍ୟକ୍ତି ଯିଏ କି ବିଭିନ୍ନ ମାଲିମକଦ୍ଦମାରେ ଜଡିତ ତାହା ଦ୍ବାରା ଜରଡା ଏବଂ କେ.ନୂଆଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚଲାଇ ବିପୁଳ ବେଆଇନ ଅର୍ଥ ଆଦାୟ କରୁଛନ୍ତି। ସେହିପରି ଗୋଳନ୍ଥରା ଥାନର ଜାଣତରେ ଏକସିଂ ଗ୍ରାମର ଓଡିଆରପି କଲୋନିରେ ରୀତିମତ ଜୁଆ ଆଡ୍ଡା ଚାଲୁଅଛି, ଯାହାର ସିଂହ ଭାଗ ରାଜପରିବାରକୁ ଯାଉଅଛି। ଏହି ଅର୍ଥକୁ ବ୍ୟବହାର କରି ଚିକିଟି ବିଧାୟକଙ୍କ ପୁଅ ଓ ସମ୍ପର୍କୀୟ ହିଂସା ଓ ଅପରାଧରେ ବ୍ୟବହାର କରୁଛନ୍ତି।ଗୋଳନ୍ଥରା ଓ ଜରଡା ଥାନା ଅଧିକାରୀଙ୍କ ଦମନ ଲୀଳା ଓ ଉପରିସ୍ଥ ଅଧିକାରୀଙ୍କୁ ଭୁଲ ତଥ୍ୟ ପ୍ରମାଣ ପ୍ରଦାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନନେଲେ ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସହ ଗୋଳନ୍ଥରା ଜରଡା ଥାନା ଘେରାଉ ହେବ। ଅଣାୟତ ପରିସ୍ଥିତି ପାଇଁ ପୋଲିସ ପ୍ରଶାସନ ଦାୟୀ ରହିବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ନେତ୍ରୀ ମୀନା ଦ୍ୟାନସାମନ୍ତରା, ଅଜିତ ପ୍ରଧାନ, ଅମୁଲ୍ୟ ଚୌଧୁରୀ, ଏମ.ମୋହନ ରାଓ,ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here