ଜବତ ବାଣକୁ ନେଇ ପାଟପୁର ଥାନାର ବିଭାଗୀୟ ବାଣ ପୋଡି

0
167

ବ୍ରହ୍ମପୁର , ୦୬/୦୧/୨୦୨୩ : ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ପକ୍ଷରୁ ବିଭିନ୍ନ ସମୟରେ ଅତର୍କିତ ଚଢ଼ାଉରେ ଜବତ କରାଯାଇଥିବା ବେଆଇନ ବାଣକୁ ଆଜି ମାନ୍ୟବର କୋର୍ଟଙ୍କ ନିର୍ଦ୍ଧେଶ ପ୍ରକାରେ ନିର୍ଦ୍ଧାରିତ ପ୍ରକ୍ରିୟାରେ ନଷ୍ଟ କରାଯାଇଅଛି । ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଛତ୍ରପୁର ସ୍ଥିତ ବିସ୍ପୋରକ ନିଷ୍କ୍ରିୟକାରୀ ଟିମରେ ଦିଲୀପ କୁମାର ରଣା , ସୁଶାନ୍ତ କୁମାର କହଁର , ସାନଖେମୁଣ୍ଡି ଅଗ୍ନିଶମ ସେବା ଅଧିକାରୀ ଜିତେନ୍ଦ୍ର ଭୋଇ ପ୍ରମୁଖ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ତତ୍ବାବଧାନରେ ଆମ୍ବୁଲାନ୍ସ ସହ ଉପସ୍ଥିତ ରହି ଜବତ ବିପୁଳ ପରିମାଣର ବାଣକୁ ନଷ୍ଟ କରିଛନ୍ତି । ବିଭାଗୀୟ ବିଧି ସମ୍ମତରେ ଆଜି ଥାନା ପକ୍ଷରୁ ଅଞ୍ଚଳର ଏକ ଅଗମ୍ୟ ଜଙ୍ଗଲ ମଧ୍ୟକୁ ଜବତ କରାଯାଇଥିବା ବାଣକୁ ନେଇ ହିଟ୍ଟାଚି ଦ୍ଵାରା ୧୦ ଫୁଟର ମାଟି ଖୋଲାଯାଇ ଉକ୍ତ ଗାତରେ ଜବତ ବାଣକୁ ଭର୍ତ୍ତି କରାଯାଇଥିଲା। ବଣ ଭର୍ତି ଗାତରେ ଡିଜେଲ ପକାଇ ବିସ୍ପୋରକ ନିଷ୍କ୍ରିୟକାରୀ ଟିମର ହାବିଲଦାର ଦିଲୀପ କୁମାର ରଣା ସତର୍କତାର ସହିତ ନିଆଁ ମାରିଥଲେ । ପରବର୍ତ୍ତୀ ମୁହୂର୍ତ୍ତ ସ୍ମରଣୀୟ ହୋଇଥିଲା । କିଛି ସମୟ ପାଇଁ ବାଣର ସାମୁହିକ ବିସ୍ପୋରଣ ଶବ୍ଦରେ ଅଞ୍ଚଳ ପ୍ରକମ୍ପିତ ସହିତ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ପରବର୍ତ୍ତୀ ପ୍ରକ୍ରିୟାରେ ଦମକଳ ବାହିନୀ ପକ୍ଷରୁ ପୋଡା ବାଣ ନିଆଁରେ ପାଣି ଭର୍ତ୍ତି କରି ପୁଣି ହିଟ୍ଟାଚି ସାହାଯ୍ୟରେ ଗାତକୁ ସମ୍ପୂର୍ଣ୍ଣ ପୋତି ଦିଆଯାଇଥିଲା l ପାଟପୁର ଥାନା ଦ୍ଵାରା ପୂର୍ବ ସମୟରେ ଏଭଳି ଜବତ ଅବୈଧ ବାଣ ଓ ବିସ୍ପୋରକ ସାମଗ୍ରୀକୁ ବିଭାଗୀୟ ନିଷ୍ପତି ଓ ଅନୁମତି ପ୍ରକାରେ ନଷ୍ଟ କରାଯାଇଥିବା ନଜିର ନଥିବାରୁ ଆଜିର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏକା ସହ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣକୁ ପୋଲିସ ନିଷ୍କ୍ରିୟ କରିବା ଘଟଣାକୁ ଅଞ୍ଚଳରେ ପୋଲିସର ବାଣ ପୋଡ଼ି ଆଖ୍ୟା ଦିଆଯାଇଥିବା ସାଧାରଣ ଆଲୋଚନାରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here