ବ୍ରହ୍ମପୁର,୦୮/୦୧/୨୦୨୩:,ସ୍ଥାନୀୟ ଗିରି ରୋଡ ସ୍ଥିତ ଭି.ଭି.ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଏଆଇଡିଏସଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ବର୍ଷ ଜୟନ୍ତୀର ଉଦଯାପନୀ ଉପଲକ୍ଷେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଛାତ୍ରଛାତ୍ରୀ ଓ ଯୁବସମାଜ ମଧ୍ୟରେ ନୀତି ନୈତିକତା, ମୂଲ୍ୟବୋଧର ଅଧଃପତନ ଘଟିବାରେ ଲାଗିଛି l ମହାମନିଷୀମାନଙ୍କ ଜୀବନ ସଂଗ୍ରାମର ଚର୍ଚ୍ଚା, ଆଲୋଚନା ଲୋପ ପାଉଛି l ମଣିଷପାଣିଆ ମରିଯାଉଛି l ଏହି ଭଳି ଏକ ସଂକଟମୟ ପରିସ୍ଥିତିରେ ଛାତ୍ର ଓ ଯୁବସମାଜ ମଧ୍ୟରେ ଉନ୍ନତ ନୀତିନୈତିକତା, ମୂଲ୍ୟବୋଧ ଏବଂ ନେତାଜୀ ସୁଭାଷ ବୋଷଙ୍କ ନୀତି ଓ ଆଦର୍ଶ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ୪ର୍ଥ ଶ୍ରେଣୀରୁ ପି.ଜି ପର୍ଯ୍ୟନ୍ତ ୬ଟି ବିଭାଗରେ ନେତାଜୀଙ୍କ ଜୀବନ ସଂଗ୍ରାମ ସମ୍ପର୍କୀୟ ସାଧାରଣ ଜ୍ଞାନ ଏବଂ “ଆମେ ନେତାଜୀଙ୍କୁ ମନେ ପକାଇବା କାହିଁକି” ଶୀର୍ଷକ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାମାନଙ୍କରେ ସାରା ଜିଲ୍ଲାରୁ ସହସ୍ରାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆସନ୍ତା ଜାନୁୟାରୀ ୨୩ ତାରିଖ ଦିନ ଅପରାହ୍ନ ୫ ଘଟିକା ସମୟରେ ଗଞ୍ଜାମ କଳା ପରିଷଦ ଠାରେ ନେତାଜୀ ଜୟନ୍ତୀ ଜନସଭା ଅନୁଷ୍ଠିତ ହେବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ ଓ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହି ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଏ ଆଇ ଡି ଏସ ଓ ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା, ଗଞ୍ଜାମ ଜିଲ୍ଲା କମିଟି ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଅଫିସ ସମ୍ପାଦକ କିସାନ ସାହୁ ସମେତ ଶୁଭସ୍ମିତା ପାଣିଗ୍ରାହୀ, ଅଲିଭା ଦାଶ, କାମରାଜ ସାହୁ ପ୍ରମୁଖ ଅନେକ ଛାତ୍ର ନେତା ଉପସ୍ଥିତ ରହି ଦାୟିତ୍ୱ ତୁଲାଇଥିଲେ l ଛାତ୍ର ଛାତ୍ରୀମାନେ ଗଭୀର ଆବେଗର ସହିତ ନେତାଜୀଙ୍କ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥଲେ । ଅଭିଭାବକ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ଅଂଶ ଗ୍ରହଣକାରୀଙ୍କୁ ଉତ୍ସାହିତ କରୁଥିଲେ l