ଓଡିଶାରେ “ପିଏମ କିଶାନ ଯୋଜନା”କୁ ଅଚଳ କରିବା ପାଇଁ ଚାଲିଛି ଚକ୍ରାନ୍ତ : ବିଜେପି କୃଷକମୋର୍ଚ୍ଚା।କୃଷି ବିଭାଗର ପ୍ରମୁଖ ଶାସନସଚିବଙ୍କୁ ଭେଟି କୃଷକମୋର୍ଚ୍ଚାର ଚେତାବନୀ

0
163

ଭୁବନେଶ୍ୱର,୦୯/୦୧/୨୦୨୩: ମୋଦୀ ସରକାର ପିଏମ କିଷାନ ଯୋଜନାରେ ଓଡିଶାର ୪୫ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରିଥିଲେ ବି ରାଜ୍ୟ ସରକାର କେନ୍ଦ୍ରକୁ ସଠିକ ତାଲିକା ଦେଉନାହାନ୍ତି । ଫଳରେ ଓଡିଶାର ଚାଷୀକୂଳ କେନ୍ଦ୍ରର ଯୋଜନାରୁ ବଂଚିତ ହେଉଛନ୍ତି । ଏବେ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ମାତ୍ର ୨୫ ଲକ୍ଷ ଚାଷୀଙ୍କର ଭୂଲେଖ ରେକର୍ଡ ଦେଇଥିବା ମୁଖ୍ୟ ଶାସନ ସଚିବ କହୁଛନ୍ତି । କାହିଁକି ରାଜ୍ୟ ସରକାର ଏବେ ସୁଦ୍ଧା ସେହି କାମକୁ ସମାପ୍ତ କରି ନାହାନ୍ତି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାଳିଆ ଯୋଜନାରେ ରାଜ୍ୟ ସରକାର ୫୯ ଲକ୍ଷ ଚାଷୀଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ତାହାଲେ ଓଡ଼ିଶାର ଚାଷୀଙ୍କ ତଥ୍ୟକୁ କେନ୍ଦ୍ର ସରକାରଙ୍କୁ ଦେବାରେ ତାଙ୍କ ହାତ ଥରୁଛି କାହିଁକି? ଓଡିଶା ଚାଷୀ ଉପକୃତ ହେଲେ ରାଜ୍ୟ ସରକାରଙ୍କ ଅସୁବିଧା କାହିଁକି ହେଉଛି? ବାରମ୍ବାର କହିବା ସତ୍ୱେ ରାଜ୍ୟ ସରକାର କାହିଁକି ଚାଷୀତାଲିକା କେନ୍ଦ୍ର ସରକାରକୁ ଦେଉନାହାନ୍ତି, ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଶାସକ ବିଜେଡିର ଚାଷୀମାରଣ ନୀତି ସ୍ପଷ୍ଟ ହୋଇଛି । ପିଏମ-କିସାନ ସମ୍ମାନ ଏବଂ କାଳିଆ ଯୋଜନାରେ ଭିନ୍ନ ଭିନ୍ନ ସଂଖ୍ୟାରେ ହିତାଧିକାରୀ ଥିବା, ବାରମ୍ବାର ମାଗିବା ସତ୍ୱେ ରାଜ୍ୟ ସରକାର କେନ୍ଦ୍ରକୁ ସଠିକ ଚାଷୀତାଲିକା ପ୍ରଦାନ ନକରିବା, କାଳିଆ ଯୋଜନାରେ ପିଏମ-କିସାନ ଯୋଜନାର ସହାୟତା ରାଶି ବଂଟନ କରି ଦ୍ୱନ୍ଦ ସୃଷ୍ଟି କରିବା ଭଳି ଅନେକ ସନ୍ଦେହଜନକ କାର୍ଯ୍ୟ କାରଣରୁ ଓଡିଶାର ଚାଷୀକୁଳ ଆଜି ଦ୍ୱନ୍ଦ ଭିତରେ ରହି ଅଯଥାରେ ହନ୍ତସନ୍ତ ହେଉଛନ୍ତି । ଏନେଇ ଆଜି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ପିଏମ କିଷାନ ଯୋଜନାରେ ପ୍ରଥମ କିସ୍ତିରେ ୪୦ ଲକ୍ଷ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳିଥିଲା । ହେଲେ ବର୍ଷକୁ ବର୍ଷ ଚାଷୀମାନଙ୍କର ତଥ୍ୟକୁ ଅପଡେଟ ନକରିବା କାରଣରୁ ଏହି ଯୋଜନାରେ ଏବେ ୨୧ ଲକ୍ଷ ଚାଷୀ ସେମାନଙ୍କର ଆର୍ଥୀକ ସହାୟତା ପାଇଛନ୍ତି । କାହିଁକି ରାଜ୍ୟ ସରକାର ଚାଷିମାନଙ୍କର ତଥ୍ୟକୁ ଅପଡେଟ କରି କେନ୍ଦ୍ର ସରକାରକୁ ଦେଉନାହାନ୍ତି ତାହା ଏକ ବଡ ପ୍ରଶ୍ନ । ରାଜ୍ୟ ସରକାର ଏବେ ସୁଦ୍ଧା ୫୯ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପଠାଇଛନ୍ତି ବୋଲି ଦାବି କରିଛନ୍ତି । ଯଦି ୫୯ଲକ୍ଷ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ସମସ୍ତ ତଥ୍ୟ ଅଛି ତାହାଲେ ତାକୁ କେନ୍ଦ୍ର ପଠାଇବାରେ ଅସୁବିଧା କେଉଁଠି ବୋଲି ବିଜେପି ପ୍ରଶ୍ନ କରିଛି । କାଳିଆ ଯୋଜନାରେ ରାଜ୍ୟ ସରକାର ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି କହି ଏବେ ମାତ୍ର ୪ ହଜାର ଟଙ୍କା କାହିଁକି ଦେଉଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନବେଳେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ, କିନ୍ତୁ ଏବେ ସୁଦ୍ଧା ୫୯ ଲକ୍ଷ ଚାଷୀଙ୍କୁ ସେହି ଯୋଜନାରେ ଅର୍ଥ ଦିଆଯାଉଛି ବୋଲି ସରକାର କହୁଛନ୍ତି । ତାହେଲେ ବଳକା ୧୬ ଲକ୍ଷ ଚାଷୀଙ୍କୁ କାହିଁକି ବଂଚିତ ରଖାଗଲା ବୋଲି ବିଜେପି ପ୍ରଶ୍ନ କରିଛି ।
ରାଜ୍ୟ ସରକାରଙ୍କ ଅଧିକାରୀମାନେ ବିଜୁ ଜନତା ଦଳର ମୁଖପାତ୍ର ଭଳି କେନ୍ଦ୍ରକୁ ଦୋଷ ଦେଉଛନ୍ତି । ସରକାରୀ ଅଧିକାରୀଙ୍କର କାମ ହେଉଛି ଲୋକମାନଙ୍କର ସେବା କରିବା । କିନ୍ତୁ ଅଧିକାରୀମାନେ ନିଜ ଦାୟୀତ୍ୱ ନବୁଝି କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ ଚାଷୀମାନଙ୍କୁ ସେମାନଙ୍କର ହକରୁ ବଂଚିତ କରିବେ ଏହା ଠାରୁ ବଳି ନିନ୍ଦନୀୟ କଥା କିଛି ନାହିଁ । ରାଜ୍ୟ ସରକାର ପିଏମ କିସାନ ଯୋଜନାରେ ୪୫ ଲକ୍ଷ ଚାଷୀଙ୍କର ସବିଶେଷ ଓ ସମ୍ପୃର୍ଣ୍ଣ ତାଲିକା କେନ୍ଦ୍ର ସରକାର ମାଗିଥିବା ଫର୍ମାଟରେ ଦେଲେ ଓଡିଶାର ଚାଷୀମାନେ ଉପକୃତ ହେବେ । ଏଥିସହ ଉପଯୁକ୍ତ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ତୁରନ୍ତ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ବିଜେପି ଦାବି କରିଛି ।
ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା, ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ରାଧାକାନ୍ତ ମହାନ୍ତ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ସ୍ୱାଇଁ ଓ କୃଷକ ମୋର୍ଚ୍ଚା ମିଡିଆ ସଂଯାଜକ ହୀତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here