ବୀଣାପାଣି ନର୍ସରୀ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ

0
156

ସାନଖେମୁଣ୍ଡି , ୨୧/୦୧/୨୦୨୩ : ଶିକ୍ଷାର୍ଥୀଙ୍କ ବୌଦ୍ଧିକ ବିକାଶରେ ବିଜ୍ଞାନ ମେଳାର ଗୁରୁତ୍ଵ ରହିଛି । ଶିକ୍ଷଣୀୟ ବୈଜ୍ଞାନିକ ତଥ୍ୟ ଆଧାରରେ ନିଜନିଜ ଆହରଣ ଶୈଳୀରେ ଗଠନ କରିଥିବା ପ୍ରକଳ୍ପର ବୈଶିଷ୍ଟ୍ୟ , ଆବଶ୍ୟକତା ଓ ଉପାଦେୟତା ସମ୍ପର୍କ ତଥ୍ୟର ଅବତାରଣା ସେମାନଙ୍କ ପରବର୍ତ୍ତୀ ବୈଜ୍ଞାନିକ ଚିନ୍ତାଧାରାରେ ପରିପକ୍ୱତା ଆଣିଥାଏ । ଅତଏବ ଶିକ୍ଷାନୁଷ୍ଠାନରେ ନିୟମିତ ବିଜ୍ଞାନ ମେଳା ଆୟୋଜନ ଶିକ୍ଷାର୍ଥୀଙ୍କ ବୈଜ୍ଞାନିକ ଚିନ୍ତାଧାରାକୁ ଉଦ୍ରେକ କରେ । ଗତକାଲି ସାନଖେମୁଣ୍ଡି ବ୍ଲକ ପାଟପୁର ବୀଣାପାଣି ନର୍ସରୀ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିବା ଅତିଥିବୃନ୍ଦଙ୍କ ଥରେ ମତ ପ୍ରକାଶ ପାଇଛି । ଅନୁଷ୍ଠାନର ଶିକ୍ଷକ ସୁବ୍ରତ କୁମାର ପାଟ୍ଟଯୋଶୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ଅନୁଧ୍ୟାନ କରିଥିଲେ । କୁନି ବୈଜ୍ଞାନିକଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ ନେଇ ସେମାନଙ୍କୁ ଉତ୍ସାହିତ କରିବା ସହିତ ଶିକ୍ଷାର୍ଥୀଙ୍କ ଦ୍ଵାରା ଆହରଣ ଜ୍ଞାନକୁ ପ୍ରଶଂସା କରିଥିଲେ । ଅନ୍ୟକ୍ରମରେ ଶିକ୍ଷାନୁଷ୍ଠାନରେ ନିୟମିତ ବିଜ୍ଞାନ ମେଳା ଆୟୋଜନ ବିଦ୍ୟାର୍ଥୀଙ୍କର ବିଜ୍ଞାନ ଶିକ୍ଷାର ଅନିସଂଦ୍ଧିତ୍ସୁ ଭାବନାକୁ କ୍ରିୟାଶୀଳ କରୁଥିବା ନେଇ ଅନୁଷ୍ଠାନର ପ୍ରତିଷ୍ଠାତା ଦୁର୍ଗାପ୍ରସାଦ ପାଢ଼ୀ ମତବ୍ୟକ୍ତ କରିଥିଲେ।
ଅନୁଷ୍ଠିତଏହି ବିଜ୍ଞାନ ଓ କାରିଗରୀ ମେଳାରେ ବିଦ୍ୟାର୍ଥୀଙ୍କ ଦ୍ଵାରା ୩୯ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା ।
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପ୍ରଶାନ୍ତ କୁମାର ବିଷୋୟୀ, ଶିବାରମ ରାଉତ, ଜ୍ୟୋତିରଞ୍ଜନ ସାହୁ, ସୋମନାଥ ସାହୁ ଏବଂ ସତ୍ୟନାରାୟଣ ନାୟକ ପ୍ରମୁଖ ଆୟୋଜିତ ଏହି ବିଜ୍ଞାନ ମେଳରେ ବିଚାରକ ଭାବେ ଯୋଗ ଦେଇ ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ l ମୂଲ୍ୟାଙ୍କନ ପ୍ରକାରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ବର୍ଗରେ ଆଦିତ୍ୟ ପ୍ରସାଦ ଦାସ ପ୍ରଥମ , ଶ୍ରାବଣୀ ସାହୁ ଦ୍ଵିତୀୟ ଏବଂ ପ୍ରତ୍ୟାଶା ଭଞ୍ଜ ତୃତୀୟ ସ୍ଥାନରେ ଥିବା ବେଳେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବର୍ଗରେ ଶ୍ରାବଣୀ ମହାରଣା ପ୍ରଥମ , ଅଂଶୁମାନ ପାଣିଗ୍ରାହୀ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ଆଦ୍ୟାଂଶୁ ମହାପାତ୍ର ରହିଥିଲେ । ସେହିପରି ଷଷ୍ଠ, ସପ୍ତମ ଓ ଅଷ୍ଟମ ଛାତ୍ରଛାତ୍ରୀଙ୍କ ବର୍ଗରେ ରୁଦ୍ର ମାଧବ ବାରିକ ପ୍ରଥମ , ଶୁଭେନ୍ଦୁ ସାହୁ ଓ କେଶବ ମାହାଙ୍କୁଡ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ଶୁଭମ ସାହୁ ଓ ବିଶ୍ୱଜିତ ସାହୁ ମିଳିତ ଭାବେ ପୁରସ୍କୃତ ହୋଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ସାଗରୀକା ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶଗ୍ରହଣ କରି ପରିଚାଳନାଗତ ସଫଳ ରୂପାୟନରେ ସହାୟତା କରିଥିଲେ l

LEAVE A REPLY

Please enter your comment!
Please enter your name here