ନୂଆଦିଲ୍ଲୀରେ ଜାତୀୟ ପର୍ଯ୍ୟଟନ ଦିବସରେ “ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ”ର ଶୁଭାରମ୍ଭ କଲେ ତିନି କେନ୍ଦ୍ରମନ୍ତ୍ରୀ। ଓଡ଼ିଶାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଅତିଥି ସତ୍କାର କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

0
148

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫/୦୧/୨୦୨୩: ଓଡ଼ିଶାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଅତିଥି ସତ୍କାର କରିବାର ଦାୟିତ୍ୱ ନେବା ପାଇଁ ବୁଧବାର ନୂଆଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନ୍ ଠାରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ଅନ୍ତର୍ଗତ “ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ”ର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ ଏହି ଟ୍ରେନର ଶୁଭାରମ୍ଭ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ “ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ”ରେ ପ୍ରାୟ ୫୨୮ ଜଣ ତୀର୍ଥଯାତ୍ରୀ ବାରାଣାସୀ, ବୈଦ୍ୟନାଥ, ପୁରୀ, ଭୁବନେଶ୍ୱର ଓ ଗୟା ଦେଇ ଯାତ୍ରା କରିବେ । ସେମାନେ ଶ୍ରୀମନ୍ଦିର, ଲିଙ୍ଗରାଜ, କୋଣାର୍କ, ବିଶ୍ୱନାଥ, ବୈଦନାଥ ମନ୍ଦିର ସମେତ ବିଷ୍ଣୁ ଭବବାନଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାର ଲାଭ ପାଇବେ । ଅତିଥି ଦେବ ଭବଃ । ତେଣୁ ଓଡ଼ିଶାର ଲୋକମାନେ ଏହି ଟ୍ରେନରେ ରାଜ୍ୟକୁ ଭ୍ରମଣ ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କର ଅତିଥି ସତ୍କାର କରିବାର ଦାୟିତ୍ୱ ନିଅନ୍ତୁ ।

ସେ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାମ ସମ୍ପନ୍ନ ହୁଏ ନାହିଁ । ତାଙ୍କର ଅନୁମତି ବିନା ଭକ୍ତମାନେ ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇପାରନ୍ତି ନାହିଁ ବୋଲି ଆମର ବିଶ୍ୱାସ ରହିଛି । ତୀର୍ଥଯାତ୍ରୀମାନେ ପର୍ଯ୍ୟଟନ ଓ ଐତିହ୍ୟ ସ୍ଥଳି ଭ୍ରମଣ କରିବା ସମୟରେ ସାଙ୍ଗରେ ମହାପ୍ରଭୁଙ୍କ ମହାପ୍ରସାଦ ଆଣିବା ସହ ରଘୁରାଜପୁରର ପଟ୍ଟଚ୍ଚିତ୍ର ଓ ସ୍ଥାନୀୟ ସାମଗ୍ରୀକୁ କିଣିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ପୁରୀ ଯାଉଥିବା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନକୁ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନରେ ନାମିତ କରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ପର୍ଯ୍ୟଟନ ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦେଶର ସାମାନ୍ୟ ଘରର ନାଗରିକମାନେ କମ୍ ଟଙ୍କାର ଉଚ୍ଚକୋଟୀର ସୁବିଧା ପାଇବେ । ଦେଶରେ ଓଡ଼ିଶାର ଗୌରବକୁ ବଢାଇବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ “ଦେଖୋ ଅପନା ଦେଶ”ର କଳ୍ପନା ଦିଗରେ ଆଜିର ପଦକ୍ଷେପ ଦ୍ୱାରା ସମଗ୍ର ଭାରତବର୍ଷରେ କେବଳ ପର୍ଯ୍ୟଟନର ବିକାଶ ହେବ ନାହିଁ ବରଂ ରୋଜଗାର ମଧ୍ୟ ବଢିବ । ଓଡ଼ିଶାର ସାମାଜିକ ଜୀବନରେ ମଧ୍ୟ ସୁପ୍ରଭାବ ପଡିବ । ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ସାମଗ୍ରୀର ପ୍ରଚାର ପ୍ରସାର ହେବା ସହ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ଏହାର ସଫଳ କରିବାର ଦାୟିତ୍ୱ ଆମ ମାନଙ୍କର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here