ଗଞ୍ଜାମ ଜିଲାରେ ମଣ୍ଡି ସମସ୍ୟା ନେଇ ବିଜେପିର ବିଷୋଦଗାର

0
157

ଭୂବନେଶ୍ୱର,୨୭/୦୧/୨୦୨୩:
ଗଞ୍ଜାମ ଜିଲାରେ ମଣ୍ଡି ସମସ୍ୟା ନେଇ ବିଜେପି ର କର୍ମକର୍ତ୍ତା ମାନେ ବିଷୋଦଗାର କରିଛନ୍ତି।ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କେଉଁ ଭଳି ଅବ୍ୟବସ୍ଥିତ ଭାବେ ଧାନ ସଂଗ୍ରହ କରାଯାଉଛି ତାହା ୫-ଟି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମ ହେଉଛି ଏହାର ପ୍ରକୃଷ୍ଠ ଉଦାହରଣ । ୩୪୬ଟି ରାଇସ ମିଲର୍ସ ଏବଂ ଧାନ ସଂଗ୍ରହ ପରିମାଣ ନିର୍ଦ୍ଧାରଣର ତାଲିକା କରି ଗଂଜାମ ଜିଲ୍ଲାପାଳ ଜିଲ୍ଲାରୁ ଧାନ ସଂଗ୍ରହ ପାଇଁ ଗତ ଡିସେମ୍ବର ୧୪ ତାରିଖ ଦିନ ନିର୍ଦ୍ଦେଶ ଦେଲେ । ତାଲିକାରେ ଅନିୟମିତତା ଓ ଭୁଲ୍ ଥିବା ଦର୍ଶାଇ ମିଲର୍ସ ଆସୋସିଏସନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ମିଲିଂ କ୍ଷମତା ଏବଂ ଆବଶ୍ୟକୀୟ ଗୋଦାମ ଘର ନଥିବା ସତ୍ୱେ ଏହି ତାଲିକାରେ ଥିବା କୁକୁଡାଖଣ୍ଡିସ୍ଥିତ ଦଣ୍ଡକାରିଣୀ ରାଇସ ମିଲ୍‌କୁ ୩୭,୧୮୬ କ୍ୱିଂଟାଲ ଏବଂ ଖଲିକୋଟସ୍ଥିତ ମଡର୍ଣ୍ଣ ରାଇସ ମିଲ୍‌କୁ ୫୯,୭୪୧ କ୍ୱଂଟାଲ ଧାନ ସଂଗ୍ରହ କରିବାକୁ କୁହାଯାଇଥିଲା । ବ୍ରହ୍ମପୁର ସମବାୟ ବ୍ୟାଂକର ସଭାପତି ଶିବରାମ ପାତ୍ର ହେଉଛନ୍ତି ଦଣ୍ଡକାରିଣୀ ରାଇସ ମିଲର ମାଲିକ ହୋଇଥିବାବେଳେ ଜିଲ୍ଲାରେ ପିଡିଏସ ଚାଉଳ ଯୋଗାଣ କରୁଥିବା ଶାସକ ବିଜେଡିର ଜଣେ ନେତା ହେଉଛନ୍ତି ମଡର୍ଣ୍ଣ ରାଇସ ମିଲ୍‌ର ମାଲିକ । ଏହି ଦୁଇ ଜଣଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଜେଡି ସରକାରର କଣ ସଂପର୍କ ରହିଛି, ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ଧାନ କିଣାରେ ବିଜେଡି ସରକାରର ଏକ ବ୍ୟବସ୍ଥିତ ର‌୍ୟାକେଟ କାର୍ଯ୍ୟ କରୁଛି । ଏହାର କ୍ୟାପଟେନ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଭାଇସ କ୍ୟାପଟେନ ସାଜିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ । ଏହି ର‌୍ୟାକେଟରେ ଶାସକ ବିଜେଡିର ନେତା ଓ କର୍ମୀ, କିଛି ବିଭାଗୀୟ କର୍ମଚାରୀମାନେ ଟିମର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହି ରାକେଟ ଜରିଆରେ ପ୍ରତି ବର୍ଷ ବିଜେଡି ସରକାର ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି । ଏହି ଦୁର୍ନୀତିର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯାଉ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତ ସରକାରୀ ଅଧିକାରୀ, ବେଆଇନ ଭାବେ ତାଲିକାରେ ଥିବା ରାଇସ ମିଲର୍ସ ମାଲିକଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here