ସାରିଲାଣି ଟୋକେନ୍ ସମୟ ଅବଧି : ଟାର୍ଗେଟ ନଥିବାରୁ ଦିଗପହଣ୍ଡିରେ ମଣ୍ଡିକୁ ଉଠୁନି ଚାଷୀଙ୍କ ଧାନ

0
150

ଦିଗପହଣ୍ଡି ,୨୮/୦୧/୨୦୨୩:
ଦିଗପହଣ୍ଡି ବ୍ଲକରେ ଧାନମଣ୍ଡି ଜରିଆରେ ଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କ୍ରୟ ନେଇ ରହିଥିବା ପ୍ରକ୍ରିୟାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି । ପୁଞ୍ଜିକୃତ ପ୍ରାୟ ୫୦ ପ୍ରତିଶତ ଚାଷୀଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା ସରକାର ମଣ୍ଡି ମାଧ୍ୟମରେ ଧାନ କ୍ରୟ କରିପାରିନାହାନ୍ତି । ଚାଷୀଙ୍କ ମୋବାଇଲକୁ ଟୋକନ ଜରିଆରେ ଧାନକ୍ରୟ ତାରିଖ ଆସିଥିଲେ ମଧ୍ୟ ମିଲରଙ୍କ ଟାର୍ଗେଟ ନଥିବାରୁ ସେମାନେ ଚାଷୀଙ୍କ ଠାରୁ ମଣ୍ଡି ଜରିଆରେ ସେବା ସମବାୟ ସମିତି ଓ ଏସଏଚଜି ଗୁଡ଼ିକରୁ ଧାନ କ୍ରୟ କରିବା ନେଇ ପ୍ରଶ୍ନ ସୃଷ୍ଟି କରିଛି ।ଚାଷୀମାନେ ବିଭିନ୍ନ ସୂତ୍ରରୁ ଋଣକରି ଧାନ ଫସଲ କରିଥିବା ବେଳେ ସରକାରଙ୍କ ଧାନକ୍ରୟରେ ଅବ୍ୟବସ୍ଥା କାରଣରୁ ସେମାନେ ଋଣବୋଝରେ ଥିବା ଅଭିଯୋଗ କରୁଛନ୍ତି । ଅନ୍ୟ କ୍ରମରେ ମଣ୍ଡିରେ ଧାନ ଦେବାକୁ ନେଇ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଡାହାମିଛ କହୁଥିବା ଅଭିଯୋଗ ହେଉଅଛି । ଦିଗପହଣ୍ଡି ବ୍ଲକରେ ୨୩ ଗୋଟି ସେବା ସମବାୟ ସମିତି ଏବଂ ନିର୍ଦ୍ଧାରିତ ମହିଳା ଗୋଷ୍ଠୀଙ୍କ ଜରିଆରେ ବର୍ତ୍ତମାନ ସୁଦ୍ଧା ୨,୧୧,୭୯୭ କୁଇଣ୍ଟାଲ୍ ୮୫ କେଜି ଧାନ କ୍ରୟ କରାଯାଇଛି । ପାସ୍କରେ ଦିଗପହଣ୍ଡି ବ୍ଲକରେ ୮୪୪୪ ଜଣ ଚାଷୀ ସେମାନଙ୍କ ଧାନ ସରକାରୀ ଦରରେ ବିକ୍ରିପାଇଁ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ମାତ୍ର ୪୬୪୬ ଚାଷୀଙ୍କ ଧାନ ସରକାରୀ ଦରରେ ନିଆଯାଇଥିବା ସୂଚନା ରହିଅଛି । ଦିଗପହଣ୍ଡି ବ୍ଲକକୁ ପ୍ରଥମ ପର୍ଯ୍ୟାୟ ରେ ଚାଷୀଙ୍କ ଠାରୁ ୧୭ ଗୋଟି ମିଲରଙ୍କ ଦ୍ଵାରା ୨ଲକ୍ଷ ୧୮ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଯୋଗାଣ ବିଭାଗ ଟାର୍ଗେଟ ଦେଇଥିଲେ । ମାତ୍ର ଦ୍ୱିତୀୟ ପର୍ଯ୍ୟାୟରେ ମାତ୍ର ୨୦ ହଜାର କୁଇଣ୍ଟାଲ ଟାର୍ଗେଟ ଆସିଥିବା ସୂଚନା ରହିଛି । ଯାହା ପ୍ରାୟ ୫୦ ଭାଗ ଚାଷୀଙ୍କ ଧାନ ସଂଗ୍ରହରେ ଅଜବ ସ୍ଥିତି ସୃଷ୍ଟି କରିଛି । ଏ ନେଇ ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ୨୩ ଗୋଟି ସମବାୟ ସମିତି ସଂପାଦକଙ୍କ ପାକ୍ସ ବୈଠକ କରିଛନ୍ତି । ବୈଠକରେ ପାସ୍କ ସମ୍ପାଦକ ମାନେ ବିଭାଗୀୟ ଧାନକ୍ରୟ ପାଇଁ ଟାର୍ଗେଟ ନଥିବା କାରଣରୁ ସେମାନେ ଚାଷୀଙ୍କ ରୋଷର ଶିକାର ହେଉଥିବା ପ୍ରକାଶ କରିଥିଲେ । ତହସିଲଦାର ମହୋଦୟ ଧାନକ୍ରୟ ପାଇଁ ଧାର୍ଯ୍ୟ ଟାର୍ଗେଟ ଆସିଥିବାର ସୂଚନା ମଧ୍ୟ ଦେଇଥିଲେ । ଅନ୍ୟ ଅଭିଯୋଗ ପ୍ରକାରେ ଚୌଧୁରୀ ଟିକରପଡାରେ ଚାଷୀଙ୍କ ଧାନକ୍ରୟ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ଠାରୁ ବସ୍ତା ପ୍ରତି ୫ କିଲୋଗ୍ରାମ ଧାନ ଅଧିକ ନେଉଥିବା ମଧ୍ୟ ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here