କ୍ରାଇମବ୍ରାଞ୍ଚ ଉପରେ ଓଡିଶାବାସୀଙ୍କ ଭରସା ନାହିଁ,ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ରାଜ୍ୟ ସରକାର: ଡ.ଲେଖାଶ୍ରୀ। ତଥ୍ୟ ଲୁଚାଇବା ପାଇଁ କ୍ରାଇମବ୍ରାଂଚକୁ ତଦନ୍ତ ନିର୍ଦ୍ଦେଶ ଦିଅନ୍ତି ରାଜ୍ୟ ସରକାର

0
146

ଭୁବନେଶ୍ୱର,୦୨/୦୨/୨୦୨୩ : ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଦିବାଲୋକ ଓ ଜନସାଧାରଣଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିବା ଘଟିଣାର ତଦନ୍ତ ଲାଗି ରାଜ୍ୟ ସରକାରଙ୍କ କୌଣସି ନୈତିକତା ନାହିଁ । ଅତୀତରେ କ୍ରାଇମବ୍ରାଂଚ ରାଜ୍ୟ ସରକାରଙ୍କ ମୋହରା ହୋଇ କାର୍ଯ୍ୟ କରିଛି । ପୂର୍ବରୁ ପରୀ, କୁଳମଣି ବରାଳ ଓ ମମିତା ମେହେର ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଏହାର ସଠିକ ତଦନ୍ତ ହୋଇନାହିଁ ବରଂ ତଦନ୍ତ ଶେଷ ହେବା ପୂର୍ବରୁ ସମସ୍ତ ଦୋଷୀ ତଥା ସାକ୍ଷୀମାନଙ୍କୁ ହତ୍ୟା କରାଗଲା । ସେହିଭଳି କ୍ୟାବିନେଟ୍ ପାହ୍ୟା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାର ଅଭିଯୁକ୍ତ ଗୋପାଳ ଦାସଙ୍କ ତଦନ୍ତ ଭାର ରାଜ୍ୟ ସରକାର କ୍ରାଇମବ୍ରାଂଚ ଉପରେ ଦେଇଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଂଚ ଉପରେ ଓଡିଶାବାସୀଙ୍କ ଭରସା ନାହିଁ ବରଂ ମନ୍ତ୍ରୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପୁଣି ଥରେ କହିଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଏକ ସମ୍ବେଦନଶୀଳ ଘଟଣା । ରାଜ୍ୟ ସରକାର ଯେତେବେଳେ ତଥ୍ୟ ପ୍ରମାଣ ଲୁଚାଇବାକୁ ଚାହାନ୍ତି କିମ୍ବା ଲିପାପୋତି କରିବାକୁ ଚାହାଁନ୍ତି, ସେତେବେଳେ ରାଜ୍ୟ ସରକାର କ୍ରାଇମବ୍ରାଂଚ ମୁଖ୍ୟଙ୍କୁ ଦାୟିତ୍ୱ ଦିଅନ୍ତି । ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡରେ କ୍ରାଇମବ୍ରାଂଚର ମୁଖ୍ୟଙ୍କୁ ତଦନ୍ତ ପାଇଁ ନିଯୁକ୍ତି ଦେଇଥିଲେ, କିନ୍ତୁ ସେ ‘ଜାମୁକୋଳି ଗପ’କୁ ସଜେଇ ସେ ପ୍ରସଙ୍ଗକୁ ରଫାଦଫା କଲେ । ଆଜି ମଧ୍ୟ ଅନୁରୁପ ଭାବେ ଅନ୍ୟ ଏକ ଗପ ଲେଖା ଯାଉଥିବାର ରାଜ୍ୟବାସୀ ଅନୁଭବ କରୁଛନ୍ତି । ରାଜ୍ୟରେ ଯଦି କ୍ୟାବିନେଟ୍ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତାହେଲେ ସାଧାରଣ ନାଗରିକ କିପରି ସୁରକ୍ଷିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେବାକୁ ଡ.ଲେଖାଶ୍ରୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here