ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ପ୍ରସଙ୍ଗରେ, ଦଳ ଏବଂ ନିର୍ଦ୍ଧିଷ୍ଟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଖୁସି କରାଇବା ପାଇଁ ରାଜ୍ୟବାସୀଙ୍କୁ ପୁଣି ଥରେ ମିଛ କହିଛନ୍ତି ଦେବୀ ମିଶ୍ର: ଦିଲୀପ ମଲ୍ଲିକ

0
154

ଭୁବନେଶ୍ୱର,୦୩/୦୨/୨୦୨୩ : ବାସ୍ତବ ସତ୍ୟତାକୁ ଡରୁଛି ବିଜୁ ଜନତା ଦଳ । ଏନେଇ ବିଜେଡିର ମନ୍ତ୍ରୀ, ନେତା ଓ ବିଧାୟକମାନେ ମିଥ୍ୟା ତଥ୍ୟ ରଖି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ୨୩ ବର୍ଷ ଶାସନରେ ବିଜୁ ଜନତା ଦଳ ଓଡିଶାର ଚାଷୀକୂଳକୁ କୌଣସି ସୁବିଧା ଯୋଗାଇ ନାହିଁ । କିନ୍ତୁ ବିଜୁ ଜନତା ଦଳର ଅଭିଜ୍ଞ ଏବଂ ବରିଷ୍ଠ ନେତା ଦେବୀ ମିଶ୍ର ତାଙ୍କର ସତ୍ୟ ଅନୁଭବକୁ ପ୍ରକାଶ ନକରି ରାଜନୈତିକ ବାଧ୍ୟବାଧକତା କାରଣରୁ ପ୍ରଶାସନିକ ଅଧିକାରୀ ମାନେ ଦେଉଥିବା ଚିଠାକୁ ଗଣମାଧ୍ୟମ ଆଗରେ ପଢ଼ୁଛନ୍ତି । ରାଜ୍ୟ ସରକାର ଗରୀବଙ୍କ କଥା ଚିନ୍ତା କରୁଛନ୍ତି ବୋଲି ଆଜି ଶ୍ରୀ ମିଶ୍ର ବକ୍ତବ୍ୟ ରଖିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ପ୍ରଥମେ ଶ୍ରୀ ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ବଡମ୍ବା ନରସିଂହପୁରରେ ଯାଇ ତାଙ୍କ ସରକାରଙ୍କ ଦୁର୍ନୀତି ପରିମାଣ କେତେ ମାପି ଓ ଦେଖି ଆସନ୍ତୁ ଏବଂ କେତେ ଗରୀବ ଲୋକ ନ୍ୟାୟ ପାଉଛନ୍ତି, ତାପରେ ଜବାବ୍ ରଖିବା ଉଚିତ୍ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।ଯୋଗ୍ୟ ବାସହୀନ ହିତାଧିକାରୀ ଆଜି ବି ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଂଚିତ । ଅଯୋଗ୍ୟ ହିତାଧିକାରିଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ବ୍ୟାପକ ଅନିୟମିତତା । ମଣିଷ ପରିବର୍ତେ ମେସିନ ଦ୍ୱାରା କାମ କରାଯାଇ ମନରେଗା ଯୋଜନାର ଅର୍ଥକୁ ହରିଲୁଟ୍ କରାଯାଉଛି । ମଣ୍ଡିର ଘୋର ଅବ୍ୟବସ୍ଥା, କଟନୀ ଛଟନୀ ଓ କ୍ୱିଂଟାଲ ପିଛା ଏମ୍‌ଏସପି ୨୦୪୦ଟଙ୍କା ପାଉନାହାନ୍ତି ଚାଷୀ । ବିଧାୟକ ଦେବୀ ମିଶ୍ର ତାଙ୍କ ନିଜ ନିର୍ବାଚନ ମଣ୍ଡଳୀର ଗରୀବ ଲୋକଙ୍କୁ ନ୍ୟାୟ ଦେବାର ଚିନ୍ତା ନକରି ଅଯଥାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

କେନ୍ଦ୍ର ସରକାର ଓଡିଶାର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା ଜରିଆରେ ରାଜ୍ୟ ସରକାର ମାଗିଥିବା ଠାରୁ ଅଧିକ ଅର୍ଥ ଦେଇ ଆସୁଛନ୍ତି । ଓଡ଼ିଶା ସରକାର ବିଧାନସଭାରେ ୨୭ଲକ୍ଷ ଆବାସ ପାଇଁ ପ୍ରସ୍ତାବ ରଖିଥିବାବେଳେ ମୋଦି ସରକାର ଦେଲେ ୨୮ଲକ୍ଷରୁ ଊର୍ଦ୍ଧ୍ୱ । ମନରେଗା ଯୋଜନାରେ ୯ବର୍ଷରେ ୬.୫ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଆସିଛି । କିନ୍ତୁ ବିଜେଡି ସରକାରଙ୍କ ଦୁର୍ନୀତି କାରଣରୁ ଯୋଜନା ପଥଭ୍ରଷ୍ଟ । ୨୦୨୩-୨୪ ବଜେଟ୍‌ରେ ମନରେଗା ଯୋଜନା ପାଇଁ ୬୦ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମନରେଗା ଯୋଜନାରେ ଦେଶରେ ମୋଦି ସରକାରରେ ଆର୍ôଥକ ବର୍ଷରେ ୨,୪୦୨କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଛି ଏବଂ ୫ଲକ୍ଷ ୮୮ହଜାର ୭୬୮କୋଟି ଟଙ୍କା ଯୋଗାଇ ଦିଆଯାଇଛି ।
ଚତୁଦର୍ଶ ଅର୍ଥ କମିଶନ ଜରିଆରେ ସିଧା ସଳଖ ପଂଚାୟତ ଆକାଉଂଟକୁ କୋଟି କୋଟି ଟଙ୍କା ଦେଲେ କେନ୍ଦ୍ର ସରକାର । ଗ୍ରାମସଭା ଜରିଆରେ ଗାଁ ଲୋକଙ୍କ ନିଷ୍ପତି ଅନୁଯାୟୀ ଗାଁର ବିକାଶ ହେବା ପାଇଁ । ଗ୍ରାମସଭା ନକରି ବିଧାୟକଙ୍କ ଚିଠା, ବ୍ଲକ ଜେଇଙ୍କ ନାଁରେ ୱାର୍କ ଅର୍ଡର ଓ କାମ କରୁଛନ୍ତି ବିଜେଡି ଠିକାଦାର କର୍ମୀ । ବାସ୍ତବରେ କାମ ୩୦ ପ୍ରତିଶତ ହେଉଥିବାବେଳେ ମିଥ୍ୟା ବିଲ୍ କରି ୭୦ ପ୍ରତିଶତ ଅର୍ଥକୁ ହଡପ୍ କରାଯାଉଛି । ତେବେ ଗାଁ ଓ ଗରୀବଙ୍କର ବିକାଶ ହେବ କେମିତି ବୋଲି ଶ୍ରୀ ମଲ୍ଲିକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।ସେହିପରି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ଲକ୍ଷ ୮୩ହଜାର ପରିବାର ଅର୍ଥାତ୍ ୩କୋଟି ୨୫ଲକ୍ଷ ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣା ଚାଉଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ ଏଥି ପାଇଁ ମୋଦି ସରକାର ବର୍ଷକୁ ପ୍ରାୟ ୮,୪୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯଦି ଏଥିରେ ଦେବୀ ବାବୁଙ୍କ ବିଜେଡି ସରକାର କମ୍ ଭାବୁଛନ୍ତି, ତାହାଲେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୁହନ୍ତୁ ରାଜ୍ୟବାସୀଙ୍କ ପାଇଁ ଆଉ ୫କିଗ୍ରା ଚାଉଳ ବ୍ୟବସ୍ଥା କରନ୍ତୁ । ସେଥିରେ ଆମେ ଖୁସି ହେବୁ ଏବଂ ସହଯୋଗ କରିବୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ରାଜ୍ୟ ସରକାର କାଳିଆ ଯୋଜନା ନାଁରେ ଯେଉଁ ଟଙ୍କା ବାଂଟିଥିଲେ, ଯାହା କେନ୍ଦ୍ରୀୟ ଅଂଶଧନ ଥିବା ପ୍ରାକୃତିକ ବିପର୍ଯ୍ୟୟ ପାଂଠି ପାଇଁ ବ୍ୟବସ୍ଥା ଥିଲା । ରାଜ୍ୟ ସରକାର ମାଛ ତେଲରେ ମାଛ ଭାଜି କେନ୍ଦ୍ରୀୟ ଯୋଜନା ଓ ଅର୍ଥରେ କେବଳ ନିଜର ଠପା ମାରିଜାଣନ୍ତି । କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପିଛା ଏମ୍‌ଏସପି ୨୦୪୦ ଦେଉଥିବାବେଳେ ଓଡ଼ିଶାର ଚାଷୀଙ୍କୁ ତାହା ମିଳୁନାହିଁ । ନିର୍ବାଚନ ବେଳେ ନବୀନ ବାବୁଙ୍କ ସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାଏଁ କୌଣସି ଗୋଟିଏ ବି ଶୀତଳ ଭଣ୍ଡାର ହେଲା ନାହିଁ ବରଂ ଯାହାଥିଲା ସେସବୁ ଅଚଳ ଅବସ୍ଥାରେ । ଶୀଳତଭଣ୍ଡାର ନଥିବାରୁ କେନ୍ଦୁଝରର ଚାଷୀ ଟଙ୍କାଏରେ ଟମାଟୋ ବିକ୍ରି କରୁଛି । ସେମିତି ଆଳୁ, ପିଆଜ ମିଶନ ସଂପୂର୍ଣ୍ଣ ବିଫଳ ହୋଇଛି । ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଆର୍ଥିକ କ୍ଷତିଗ୍ରସ୍ତ ହେଉଛି । ଗରୀବଙ୍କ ପାଇଁ ରାଜ୍ୟ ସରକାରଙ୍କର ଏ କି ପ୍ରକାର ଦରଦ ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି ।କେନ୍ଦ୍ର ସରକାରଙ୍କ ଯୋଜନାକୁ ବାଟମାରଣା ନକରି ସଠିକ ଉପଯୋଗ, ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ଚାଷୀକୁ ଉଚିତ ମୂଲ୍ୟ, ଚାଷ କ୍ଷେତକୁ ପାଣି, ସବୁ ଲୋକଙ୍କ ପିଇବା ପାଣି, ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ୧୦୦ୟୁନିଟ୍ ପର୍ଯ୍ୟନ୍ତ ଶୁଳ୍କ ଛାଡ ଏବଂ ମନରେଗା ଯୋଜନାରେ ଯୋଗ୍ୟ ଶ୍ରମିକଙ୍କୁ କାମ ଯୋଗାଇ ଦେବାର ଦାୟିତ୍ୱ ନିଅନ୍ତୁ । ବରିଷ୍ଠ ବିଜେଡି ବିଧାୟକ ଶ୍ରୀ ମିଶ୍ର ତାଙ୍କ ଦଳ ଏବଂ ନିର୍ଦ୍ଧିଷ୍ଟ ପ୍ରଶାସନିକ ଅଧିକାରୀମାନଙ୍କୁ ଖୁସି କରାଇବା ପାଇଁ ବୟାନବାଜୀ କରିବା ସ୍ୱାଭାବିକ, କିନ୍ତୁ ଏହି ଆଳରେ ରାଜ୍ୟବାସୀଙ୍କୁ ମିଛ କହି ପ୍ରତାରଣା କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here