ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ହତ୍ୟାକୁ ନେଇ ମା’ ମାଉସୀ କାହାଣୀ ଶୁଣାଇଛି ବିଜେଡି। ଓଡ଼ିଶା ପୋଲିସ ଉପରେ ଓଡ଼ିଶାବାସୀଙ୍କ ଭରସା ନାହିଁ, ସିବିଆଇ ତଦନ୍ତ ପାଇଁ ଦାବି: ଗୋଲକ ମହାପାତ୍ର

0
181

ଭୁବନେଶ୍ୱର,୦୪/୦୨/୨୦୨୩: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କଲେ କିନ୍ତୁ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଇ କ୍ରାଇମବ୍ରାଂଚକୁ ତଦନ୍ତ ଭାର ହସ୍ତାନ୍ତର କଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଗିରଫ କରିବା ପରେ ଥାନା ଭିତରକୁ ଯାଇ ପାଇଖାନାରେ କାଗଜ ପକାଇଲେ କେମିତି ? ତାହେଲେ ତା ହାତରେ କଣ ହାତକଡି ବନ୍ଧା ଯାଇନଥିଲା କି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ନବ ଦାସ ହତ୍ୟାକୁ ନେଇ ନୀରବ ଥିବା ରାଜ୍ୟ ପୋଲିସ ଡିଜି ଗତ କାଲି ହଠାତ୍ ଆବିର୍ଭାବ ହୋଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ପୁରଣା ଉକ୍ତି “ଉତ୍କଳରେ ନାହିଁ ନେତାର ପ୍ରୟୋଜନ, ଉତ୍କଳରେ ଅଛନ୍ତି ସ୍ୱୟଂ ନାରାୟଣ”କୁ ମନେ ପକାଇ ଦେବା ସହ ରାଜ୍ୟରେ ପୋଲିସ କିମ୍ବା ପୋଲିସ ଡିଜିଙ୍କ ଆବଶ୍ୟକତା ନଥିବାର ନିରାଶବାଦୀ ବୟାନ ନିଜେ ପୋଲିସ ଡିଜି ଦେବା ଅତ୍ୟନ୍ତ ଲଜ୍ଜାଜନକ । କେବଳ ବିଜେଡିକୁ ନିର୍ବାଚନ ଜିତାଇବା ଦାୟୀତ୍ୱରେ ଥିବା ରାଜ୍ୟ ଗୋଇନ୍ଦା ବିଭାଗ ନିଜ ଦାୟୀତ୍ୱ ନିର୍ବାହ କରିବାରେ ସଂପୂର୍ଣ୍ଣ ଫେଲ୍ ମାରିଛି । ଅତୀତରେ ବହୁ ଗପ କହି ଓଡିସାବାସୀଙ୍କୁ ଭୁଆଁ ବୁଲାଇଥିବା ପୋଲିସ ବିଭାଗ ଏବଂ କ୍ରାଇମବ୍ରାଂଚ ଆଜି ପାଇଖାନାରୁ କାଗଜ ବାହାର କରି ନୂଆ ତାମସା ରଚୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ସେହିପରି ଶାସକ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଆଉ ପାଦେ ଆଗକୁ ଯାଇ ‘ମା ଓ ମାଉସୀ’ର କାହାଣୀ ଶୁଣାଇଛନ୍ତି । ମା ଏବଂ ଡାହାଣୀ ଉଭୟେ ପିଲାଙ୍କୁ ଭଲ ପାଆନ୍ତି । ଏହା ପୂର୍ବରୁ ତାଙ୍କ ଦଳ ଓ ସେ ନିଜେ “ମା’ ନାଁ ଡାହାଣୀ” ସ୍ପଷ୍ଟ କରିବା ଉଚିତ୍ । ରାଜ୍ୟ ସରକାର ସୁରକ୍ଷା ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ଥୀ ଦେବା ପରିବର୍ତେ ମା ଓ ମାଉସୀଙ୍କ କାହାଣୀ ଶୁଣାଇବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ଯଦି ଓଡ଼ିଶାର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଅଧିକାରୀ ହତ୍ୟା କରୁଛି, ତାହାଲେ ସାଧାରଣ ଜନତାଙ୍କ ଅବସ୍ଥା କଣ ହେବ? ନବ ଦାସ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାର ସାକ୍ଷୀ ଓ ପ୍ରମାଣର ଲିପାପୋତା ବନ୍ଦ କରି ସତ୍ୟକୁ ପଦାକୁ ଆଣନ୍ତୁ । ବିଜେପି କଥା ଯଦି ମାଉସୀ ଭଳି ଲାଗୁଛି ତାହାଲେ ବିଜେଡିର କଥା ଡାହାଣୀ ଭଳି ଲାଗୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ଅପରାଧୀଙ୍କୁ ବଂଚାଇବା ପାଇଁ ଏବଂ ସତ୍ୟକୁ ଚାପି ଦେବା ପାଇଁ ଓଡିଶାବାସୀଙ୍କୁ ମିଛ ଗପ ଶୁଣାଇବାର କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ଅତୀତର କିଛି ସମ୍ବେଦଶୀଳ ଘଟଣାର ତଦନ୍ତ ଏବଂ ବର୍ତମାନ ନବ ଦାସ ହତ୍ୟାକାଣ୍ଡ ପରେ ପୋଲିସର କାର୍ଯ୍ୟକଳାପକୁ ଦେଖିଲେ ନିଜ ବିଶ୍ୱସନୀୟତା ହରାଇଥିବାର ସ୍ପଷ୍ଟ ପରିଲକ୍ଷିତ ହେଉଛି । ତେଣୁ ଏହି ଘଟଣାର ତଦନ୍ତ ଭାର ଯଥାଶୀଘ୍ର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ରାଜେନ୍ଦ୍ର ପଣ୍ଡା ଓ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here