ବ୍ରହ୍ମପୁର,୧୦/୦୨/୨୦୧୩: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗିରି ମାର୍ଗ ସ୍ଥିତ ଭି.ଭି.ଗିରି. ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର ଙ୍କ ଦ୍ବାରା ଜାତୀୟ କୃମିନାଶକ ଦିବସ ଶୁଭାରମ୍ଭ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ. ମନୋଜ କୁମାର ପଣ୍ଡା, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟ ପରିଚାଳକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ତ୍ରିପାଠୀ, ଶିଶୁ କଲ୍ୟାଣ କାର୍ଯ୍ୟ ଅଧୃକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ ଏବଂ ଭି.ଭି.ଗିରି. ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତ ମଞ୍ଜରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ. ଉମା ଶଙ୍କର ମିଶ୍ର ଉଦବୋଧନ ଦେଇ କୃମି ସଂକ୍ରମଣ ସମ୍ପର୍କରେ ଆଲୋଚନା କରିବା ସହିତ କୃମି ସଂକ୍ରମଣ କିଭଳି ପିଲାମାନଙ୍କ ମଧ୍ୟରେ ଦେଖାଦେଇଥାଏ ଏବଂ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ବର୍ଷକୁ ୨ ଥର ଯଥା ଫେବୃଆରୀ ଓ ଅଗଷ୍ଟ ମାସରେ ପ୍ରତିବର୍ଷ ଭାରତ ସରକାରଙ୍କ ଦ୍ବାରା ଅନୁଷ୍ଠିତ ହୋଇଥାଏ । ଆଜିର ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହେବ । ଆଜିର ପର୍ଯ୍ୟାୟ ଅନୁଷ୍ଠିତ ହେବାପରେ ଯଦି ୧ ରୁ ୧୯ ବର୍ଷ ମଧ୍ୟରେ ଥିବା କୌଣସି ବର୍ଗର ପିଲା ଏହି କୃମିନାଶକ ଔଷଧ ସେବନରୁ ବଞ୍ଚିତ ଥିବେ, ସେମାନଙ୍କୁ ଔଷଧ ଖୁଆଇବା ପାଇଁ ଦ୍ବିତୀୟ ପର୍ଯ୍ୟାୟଟି ଆସନ୍ତା ୧୭ ତାରିଖ ଦିନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସମସ୍ତ ୧ ରୁ ୫ ବର୍ଷର ପିଲାଙ୍କୁ ଆଲବେଣ୍ଡାଜୋଲ ସିରପ, ୬ ରୁ ୧୯ ବର୍ଷର ପିଲାଙ୍କୁ ଆଲବେଣ୍ଡାଜୋଲ ବଟିକା ଖୁଆଇଦିଆଯିବ। ତେବେ ସମୁଦାୟ ୫୯୪୪୦ଜଣ ୧ ରୁ ୧୯ ବର୍ଷର ପିଲା ଏହି କାର୍ଯ୍ୟକ୍ରମ ରେ ଉପକୃତ ହେବେ।