ଗୋକର୍ଣପୁରରେ ବିପିନ ପ୍ରଧାନଙ୍କ ବିଶାଳ ମହିଳା ସମାବେଶ ଇଫେକ୍ଟ : ଏସ ଟିକରପଡାରେ ରାଜନୈତିକ ହିଂସା , ପୁଣି ଗଡ଼ିଲା ମୁଣ୍ଡ

0
192

ଦିଗପହଣ୍ଡି, ୨୫/୦୩/୨୦୨୩ : ଶୁକ୍ରବାର ରାତିରେ ଦିଗପହଣ୍ଡି ବ୍ଲକ ବ୍ରହ୍ମପୁର ପୋଲିସ ଜିଲ୍ଲା କେ. ନୂଆଗାଁ ଥାନା ସହଦେବ ଟିକରପଡା ଗ୍ରାମରେ ପୁଣି ଏହି ରାଜନୈତିକ ହିଂସାରେ ତୋଫାନ ଗୌଡ଼ଙ୍କ ମୃତ୍ୟୁ ଘଟିଥିବା ବେଳେ କାଳୁ ଗୌଡ଼, ପ୍ରତିମା ଗୌଡ଼ ଓ ଜୋଛନା ଗୌଡ଼ ଗୁରୁତର ହୋଇ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର କାଳୁ ଗୌଡ଼ ନିଜ ସମର୍ଥକଙ୍କୁ ନେଇ ଗୋକର୍ଣ୍ଣପୁର ଠାରେ ଆୟୋଜିତ ବିଜେଡ଼ି ମହିଳା ସମାବେଶରେ ଯୋଗଦେଇ ଗାଁ କୁ ଫେରିଥିଲେ । କାଳୁଙ୍କୁ ଆକ୍ରମଣ ପାଇଁ ପୂର୍ବପ୍ରସ୍ତୁତି ଯୋଜନା ଅନୁଯାୟୀ ବିରୋଧୀ ଗୋଷ୍ଠୀ ପ୍ରଥମେ ଗାଁ ଛକରେ ଜଳୁଥିବା ବିଜୁଳି ଆଲୋକକୁ ବନ୍ଦ କରି କୁରାଢ଼ୀ କାତି ଭଳି ମାରଣାସ୍ତ୍ରରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । କାଳୁଙ୍କ ୨ଭଉଣୀ ଏହାର ପ୍ରତିବାଦ କରିବାରୁ ଦୂର୍ବୁର୍ତ୍ତମାନେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ।ଗୁରୁତରମାନଙ୍କୁ ପରିବାର ଲୋକେ ଏକ ଅଟୋରେ ଦିଗପହଣ୍ଡି ମେଡ଼ିକାଲ ଆଣିଥିଲେ । ଏହାପରେ କାଳୁଙ୍କ ସମର୍ଥକମାନେ ରାଗରେ ଜର୍ଜରିତ ହୋଇ ତୋଫାନ ଗୌଡ଼ଙ୍କୁ ପ୍ରତି ଆକ୍ରମଣ କରି ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ବିଳମ୍ବିତ ରାତିରେ କେ. ନୂଆଗାଁ ପୋଲିସ ଟିକରପଡ଼ା ଗାଁରେ ପହଞ୍ଚି ତୋଫାନଙ୍କୁ ଦିଗପହଣ୍ଡି ମେଡ଼ିକାଲ ଆଣିଥିଲେ । କିନ୍ତୁ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସାଇଣ୍ଟିଫିକ ଟିମ ଗାଁ ରେ ପହଞ୍ଚି ତଦନ୍ତ କରିଥିବା ବେଳେ ଘଟଣା ସ୍ଥଳରେ ଚାପା ଉତେଜନା ଯୋଗୁଁ ପୋଲିସ ଫୋର୍ସ ପହରା ଦେଉଛନ୍ତି.।

ପୂର୍ବ ଘଟଣା କ୍ରମରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ସମୟରେ ପାଳଝାଡ଼ି ଗ୍ରାମର ୨ଜଣ ବିଜେଡ଼ି ସମର୍ଥକ ସୁଦର୍ଶନ ସୁଆର ଓ ସୁଧୀର ପାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ମୂଖ୍ୟ ଅଭିଯୁକ୍ତ ଭାବେ ସରପଞ୍ଚ ପାର୍ଥି ପ୍ରଶାନ୍ତ ଗୌଡ଼ଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲେ ଏବଂ କାର୍ଯ୍ୟରେ ଅବହେଳା କାରଣରୁ ତତ୍କାଳୀନ ଦିଗପହଣ୍ଡି ଥାନାଅଧିକାରୀ ବସନ୍ତ ସେଠିଙ୍କୁ ବ୍ରହ୍ମପୁର ଏସପି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଉକ୍ତ ଘଟଣାର ୨ ମାସପରେ ଜୁନ ୬, ୨୦୨୨ ରାତିରେ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗ୍ରାମରେ ପୁଣି ରାଜନୈତିକ ହିଂସାରେ ବାବୁ ଗୌଡ଼ ଓ ପ୍ରଦୀପ ସାହୁଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ତୋଫାନ ଗୌଡ଼ ଓ ମାଷ୍ଟର ମାଇଣ୍ଡ ଭାବେ ମୟୁର ଗୌଡ଼ଙ୍କୁ ପୋଲିସ ଗିରଫ କରିଥିଲା ।
ଦିଗପହଣ୍ଡି ଅଞ୍ଚଳରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ ମୁଣ୍ଡ ଗଡ଼ିଲାଣି ତ ଆଗାମୀ ବିଧାନସଭା ନିର୍ବାଚନରେ ସ୍ଥିତି ଅଣାୟତ୍ତ ହେବାନେଇ ଅଞ୍ଚଳ ରାଜନୈତିକ ବିଶାରଦମାନେ କଳ୍ପନା କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦଳୀୟ କନ୍ଦଳକୁ ପ୍ରଶ୍ରୟ ନ ଦେବାକୁ ଅଞ୍ଚଳବାସୀ ଆଶା ରଖିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here