ବ୍ରହ୍ମପୁର , ୧୬/୦୪/୨୦୨୩ : ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିତଳ ପାକୁଖୋଳା ନିକଟରେ ଏକ ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଟପୁର ପୋଲିସ ଘଟଣାର ଅନୁସନ୍ଧାନ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।
ସୂଚନା ପ୍ରକାରେ ଗତ ୧୩ ତାରିଖ ରାତ୍ର ସମୟରେ ଆଳୁ ବୋଝେଇ ଟ୍ରକ ନଂ ଡବ୍ଲୁ ବି ୨୩ – ଇ – ୬୬୫୧ ଏନ ଏଚ -୩୨୬ ତପ୍ତପାଣି ନିକଟ ପାଳୁ ଖୋଳା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ।ଖବରପାଇ ପାଟପୁର ଥାନା ପକ୍ଷରୁ ଏସ ଆଇ ଟୁନା ପିଡିକା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ । ଗାଡିରୁ ଖସିଥିବା ଆଳୁବସ୍ତାକୁ ନିରୀକ୍ଷଣ କଲାବେଳେ ସେଥିମଧ୍ୟରୁ ବହୁ ଗଞ୍ଜେଇ ଥିବା ଜାଣିପାରିଥିଲେ । ବସ୍ତା ମଧ୍ୟରେ ୫୪ ବସ୍ତା ଆଳୁ ସହ ୨୫ ଗୋଟି ଜାରି ବସ୍ତାରେ ଗଞ୍ଜେଇ ଥିବା ଜଣାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ପାଖରେ କୌଣସି ଲୋକ ନ ଥିବାରୁ ଉଭୟ ଗାଡ଼ି ଓ ବସ୍ତାକୁ ପୋଲିସ ନିଜ ଅକ୍ତିଆରକୁ ନେଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୦୦୧ • ୯ କେଜି ଗଞ୍ଜେଇ ବିଧିବଦ୍ଧ ଭାବେ ଜବତ କରାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବାନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ପାଟପୁର ଥାନା ପୋଲିସ କେଶ ନଂ -୧୯୪/୨୦୨୩ ରେ ଏନଡିପିଏସ୍ ଅଧିନିୟମ ୟୁ/ଏସ ୨୦(ବି) (||) (ସି) ପ୍ରକାରେ ଏକ ମାମଲା ରୁଜ୍ଜୁ କରିଛି । ଏହି କେସ ନେଇ କାହାକୁ ଗିରଫ କରାଯାଇନଥିବା ବେଳେ ଅନୁସନ୍ଧାନ ଜାରି ରହିଥିବା ନେଇ ପାଟପୁର ଥାନା ପକ୍ଷରୁ ଗଣମାଧ୍ୟମକୁ ସୂଚିତ କରାଯାଇଛି ।